ଦକ୍ଷିଣ ଚୀନ୍‌ ସାଗରରେ ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ର ମୁତୟନ କଲା ଚୀନ୍‌

0

ବେଜିଂ : ଦକ୍ଷିଣ ଚୀନ୍‌ ସାଗର ଉପରେ ନିଜର ନିର୍ବିବାଦୀୟ ପ୍ରଭୁତ୍ୱ ଜାହିର କରିବାକୁ ଯାଇ ଚୀନ୍‌ ସେଠାରେ ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ର ଓ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ର ମୁତୟନ କରିଛି। ଦକ୍ଷିଣ ଚୀନ୍‌ ସାଗରର ନାନ୍ସା ଦ୍ୱୀପରେ ଥିବା ଚୀନ୍‌ର ତିନିଟି ଘାଟୀରେ ଏଗୁଡ଼ିକୁ ଗତ ୩୦ଦିନ ମଧ୍ୟରେ ମୁତୟନ କରାଯାଇଛି। ଏ ନେଇ ଆମେରିକୀୟ ଗଣମାଧ୍ୟମରେ କବର ପ୍ରକାଶ ପାଇବା ପରେ ଏହି ଅଞ୍ଚଳ ଉପରେ ନିଜର ସାର୍ବଭୌମତ୍ୱ ତଥା ଅଧିକାର ରହିଛି ବୋଲି ଚୀନ୍‌ ଦର୍ଶାଇଛି। ଏଥିସହିତ ପୂର୍ବ ଚୀନ୍‌ ସାଗର ଉପରେ ମଧ୍ୟ ଚୀନ୍‌ ନିଜର ଅଧିକାର ଦାବି କରୁଛି। ଭିଏତନାମ, ଫିଲାପାଇନ୍ସ, ମାଲେସିୟା, ବ୍ରୁନେଇ ଓ ତାଇୱାନ୍‌ର କୌଣସି ଅଧିକାର ଏହି ଅଞ୍ଚଳ ଉପରେ ନାହିଁ ବୋଲି ପୁନର୍ବାର ଚୀନ୍‌ ସରକାର କହିଛନ୍ତି।
ଚୀନ୍‌ର ବୈଦେଶିକ ବିଭାଗ ମୁଖପାତ୍ର ହୁଆ ଚୁନିଂ କ୍ଷେପଣାସ୍ତ୍ର ମୁତୟନକୁ ପ୍ରକାରାନ୍ତେ ସ୍ୱୀକାର କରିବା ସହ କହିଛନ୍ତି ଯେ ‘ଏହି ସାଗରରେ ଚୀନ୍‌ ଯାହା କିଛି କାର୍ଯ୍ରକ୍ରମ କରୁଛି ସେ ସବୁ ନିଜ ସାର୍ବଭୌମତ୍ୱର ସୁରକ୍ଷା ପାଇଁ। ଏହା ଆମର ଅଧିକାର। ଏଗୁଡ଼ିକ କୌଣସି ରାଷ୍ଟ୍ର ବିରୋଧରେ ଅଭିପ୍ରେତ ନୁହେଁ। କୌଣସି ରାଷ୍ଟ୍ର ଏଥିପ୍ରତି ଚିନ୍ତା ପ୍ରକଟ କରିବା ଅନୁଚିତ।’ ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ମାସରେ ଚୀନ୍‌ ଏହି ସାଗରରେ ଏହାର ସର୍ବକାଳୀନ ବୃହତ୍‌ ସାମରିକ ଅଭ୍ୟାସ କରିଥିଲା।

Leave A Reply