ସୀମାରେ ସ୍ନିପର କମାଣ୍ଡୋ ମୁତୟନ କରିବ ଭାରତ

0

ଇନ୍ଦୋର : ଅମରନାଥ ଯାତ୍ରାବେଳେ ଆତଙ୍କବାଦୀ ଆକ୍ରମଣ ଘଟାଇବା ଉଦ୍ଦେଶ୍ୟରେ ଭାରତ- ପାକିସ୍ତାନ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ସହଯୋଗ ନିମନ୍ତେ ପାକିସ୍ତାନ ସେନା ସ୍ନିପର କମାଣ୍ଡୋ ମୁତୟନ କରିଥିବାର ଗୁଇନ୍ଦା ରିପୋର୍ଟ ମିଳିଛି। ସୂଚନା ଅନୁସାରେ ଏହି ପାକିସ୍ତାନୀ ସ୍ନିପର୍‍ମାନେ ଭାରତୀୟ ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ ଯୋଜନାରେ ଅଛନ୍ତି। କିନ୍ତୁ ପାକିସ୍ତାନର ଏଭଳି ମନ୍ଦବୁଦ୍ଧିର ଉଚିତ୍‍ ଜବାବ୍‍ ଦେବାକୁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଭାରତ-ପାକ୍‍ ସୀମାରେ ସ୍ନିପର କମାଣ୍ଡୋ ମୁତୟନ କରିବାକୁ ସୀମା ସୁରକ୍ଷା ବାହିନୀ (ବିଏସ୍‍ଏଫ୍‍) ଯୋଜନା କରିଛି। ଜୁନ୍‍ ୩ ରାତିରେ ସୁନ୍ଦରବନୀଠାରେ ପାକିସ୍ତନୀ ସ୍ନିପର ଯେଭଳି ଭାବେ ଭାରତୀୟ ସୁରକ୍ଷା ବାହିନୀ ଉପରେ ଅତର୍କିତ ଆକ୍ରମଣ କଲେ, ତାହା ପରେ ସୀମାରେ ଭାରତୀୟ ସେନା ନିଜର ସ୍ନିପର କମାଣ୍ଡୋ ମୁତୟନ କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି। ଉକ୍ତ ରାତିରେ ସୁନ୍ଦରବନୀ ନିକଟସ୍ଥ ଭାରତ-ପାକ୍‍ ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ଖବର ପାଇ ସେଠାରେ ମୁତୟନ ସୁରକ୍ଷା ବାହିନୀ ସତର୍କ ହୋଇଯାଇଥିଲା। ସବ୍‍-ଇନ୍ସପେକ୍ଟରଏସ୍‍. ଏନ୍‍ ଯାଦବ ଏବଂ ବିଏସ୍‍ଏଫ କନ୍‍ଷ୍ଟେବଳ ବି. କେ ପାଣ୍ଡେ ନିରନ୍ତର ସୀମାରେ ଦୃଷ୍ଟି ରଖିଥିଲେ। ହଠାତ୍‍ ଗୁଳିମାଡ଼ର ଶବ୍ଦ ଶୁଣାଗଲା। କେହି କିଛି ବୁଝିବା ବେଳକୁ ଯାଦବ ଏବଂ ପାଣ୍ଡେ ଶତ୍ରୁପକ୍ଷର ଗୁଳିରେ ସହିଦ ହୋଇସାରିଥିଲେ। ସେମାନଙ୍କ ଲହୁଲୁହାଣ ପାର୍ଥିବ ଶରୀର ସାଥୀ ଯବାନଙ୍କ ସମ୍ମୁଖରେ ଟଳି ପଡିଥିଲା। ପାକିସ୍ତାନୀ ସେନାର ଏକ ସ୍ନିପର ଦଳ ଏହି ଆକ୍ରମଣ କରିଥିବା ପରେ ତଦନ୍ତରୁ ଜଣାପଡିଥିଲା। ଏହି ଦଳ ପାକିସ୍ତାନୀ ରେଞ୍ଜରମାନଙ୍କ ସହାୟତା ନିମନ୍ତେ ସୀମାରେ ମୁତୟନ ଥିଲା। ପାକିସ୍ତାନୀ ସ୍ନିପରଙ୍କ ଆକ୍ରମଣରେ ଏଯାବତ୍‍ ବହୁ ଭାରତୀୟ ଯବାନ ସହିଦ ହୋଇଥିବାରୁ ଭାରତ ମଧ୍ୟ ପାକିସ୍ତାନ୍‍କୁ ତାହାରି ଭାଷାରେ ଜବାବ୍‍ ଦେବାକୁ ସ୍ଥିର କରିଛି।
ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ସେଣ୍ଟର ସ୍କୁଲ ଅଫ୍‍ ୱିପନ୍‍ ଆଣ୍ଡ ଟାକ୍ଟିସ୍‍ (ସିଏସ୍‍ଡବ୍ଲ୍ୟୁଟି)ଠାରେ ଭାରତୀୟ ସ୍ନିପରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ପ୍ରତି ୧୦ ଜଣ ଯବାନଙ୍କ ମଧ୍ୟରୁ ଜଣେ ଯବାନଙ୍କୁ ସ୍ନିପର କମାଣ୍ଡୋ ପ୍ରଶିକ୍ଷଣ ନିମନ୍ତେ ମନୋନୟନ କରାଯାଇଛି। ଘଞ୍ଚ ଜଙ୍ଗଲ ବା ବରଫାବୃତ୍ତ ପାହାଡ ଅଥବା ବିସ୍ତୃତ ପଡିଆ ଯେକୌଣସି ପରିବେଶର ଢାଞ୍ଚାରେ ଏହି ସ୍ନିପରମାନେ ନିଜକୁ ଏଭଳି ଢଳିନିଅନ୍ତି ଯେ, ସେମାନଙ୍କୁ ଚିହ୍ନଟ କରିବା ସହଜ ହୁଏ ନାହିଁ। ସ୍ନିପରମାନେ ନିଜ ସହିତ ନିଜର ଅସ୍ତ୍ରଶସ୍ତ୍ରଗୁଡିକୁ ମଧ୍ୟ ଲୁଚାଇ ଥାଆନ୍ତି। ଏଥିନିମନ୍ତେ ପ୍ରତ୍ୟେକ ସ୍ନିପରଙ୍କୁ ସିଏସ୍‍ଡବ୍ଲ୍ୟୁଟିରେ ୬୦ ଦିନର କଡ଼ା ପ୍ରଶିକ୍ଷଣ ଦିଆଯାଇଥାଏ। ଆତଙ୍କବାଦୀ ଅନୁପ୍ରବେଶ ଆଶଙ୍କା ଥିବା ଅଞ୍ଚଳ ଉପରେ ସ୍ନିପରମାନେ ଦୃଷ୍ଟି ନିବଦ୍ଧ କରନ୍ତି। ଏମାନେ ଶତ୍ରୁ ଉପରେ ଅତର୍କିତ ଆକ୍ରମଣ ଉଦ୍ଦେଶ୍ୟରେ ଉପଯୁକ୍ତ ସ୍ଥାନ ମନୋନୟନ କରି ନିଜକୁ ସେଠାକାର ପରିବେଶ ଅନୁସାରେ ସଜାଇ ଲୁଚି ରୁହନ୍ତି। ସବୁଜ ବନାନୀ ଭରା ଅଞ୍ଚଳ ଏବଂ ବରାଫାବୃତ୍ତ କ୍ଷେତ୍ର ନିମନ୍ତେ ଅନୁରୂପ ରଙ୍ଗର ପୋଷାକ ସେମାନେ ପିନ୍ଧିଥାଆନ୍ତି। ‘ଗୋଟିଏ ଶତ୍ରୁ ଗୋଟିଏ ଲକ୍ଷ୍ୟ’ ଆଭିମୁଖ୍ୟ ନେଇ ଏମାନେ ଅତ୍ୟନ୍ତ ଧୈର୍ଯ୍ୟର ସହିତ ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ଶତ୍ରୁ ଅପେକ୍ଷାରେ ଥାଆନ୍ତି। ପ୍ରତି ମୁହୂର୍ତ୍ତରେ ସ୍ନିପରଙ୍କ ଉପରେ ମୃତ୍ୟୁ ଆଶଙ୍କା ରହିଥାଏ। ନିଶାଣ ଠିକ୍‍ ନ ବସିଲେ ମୃତ୍ୟୁ ସୁନିଶ୍ଚିତ। ଅନେକ ଥର ଶତ୍ରୁର କ୍ଷେତ୍ରରେ ପ୍ରବେଶ କରି ସେମାନଙ୍କୁ ନିପାତ କରିବାର ସଫଳ ଯୋଜନା କରିଥିବା ସ୍ନିପର ଦଳ ଏବେ ସୀମାରେ ପାକିସ୍ତାନ ସ୍ନିପରଙ୍କ ମୁକାବିଲା କରିବେ।

Leave A Reply