ଚୀନ୍‌ ସହରରେ ବୁଲୁଛି ସ୍ନାକ୍ସ ଗାଡ଼ି !

କରୋନା ଭାଇରସ୍ ବ୍ୟାବସାୟିକ ଗତିବିଧିର ରୂପରେଖ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଦେଇଛି। ଦୋକାନ, ବଜାରକୁ ଗଲେ ଆଜିକାଲି ପ୍ରବେଶ ଦ୍ବାରରେ ସାନିଟାଇଜର୍‌ଟିଏ ଥୁଆ ହୋଇଥିବ। ହାତରେ ଲଗାଇବା ପରେ ଭିତରକୁ ପ୍ରବେଶ, ମୁହଁରେ ମାସ୍କ ନଥିଲେ ଏବେ ଦେବାକୁ ପଡ଼ୁଛି ଜୋରିମାନା। ପ୍ରତି ଦୋକାନ ସମ୍ମୁଖରେ ଲେଖାହୋଇଛି ‘ମାସ୍କ ପିନ୍ଧି ପ୍ରବେଶ କରନ୍ତୁ’। ଖାଦ୍ୟ ହୋମ୍ ଡେଲିଭରୀର ଚାହିଦା ଇତିମଧ୍ୟରେ ବଢ଼ିଛି। କାରଣ ଲୋକେ ରେସ୍ତୋରାଁ ଯାଇ ଭାଇରସ୍‌ ଭୟରେ ଆତଙ୍କିତ ହେବାକୁ ଚାହୁଁନାହାନ୍ତି। ମହାମାରୀର ପ୍ରକୋପ ଦେଖିବା ସହ ଅଙ୍ଗେନିଭାଇବା ପରେ ଚୀନ୍‌ ରାଷ୍ଟ୍ର ଏବେ ପୂର୍ବାପେକ୍ଷା ଅଧିକ ସତର୍କ ହୋଇଛି। ଲୋକଙ୍କୁ ହୋମ୍ ଡେଲିଭରୀ ସହ ସ୍ନାକ୍ସ ଗାଡ଼ି ଜରିଆରେ ଖାଦ୍ୟ ବିକ୍ରି କରୁଛି ଏହି ରାଷ୍ଟ୍ର। ପ୍ରଥମେ ସାଂଘାଇରେ ‘ସ୍ନାକ୍ସ ଗାଡ଼ି’ ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ସେଠା ଲୋକ ଏଇ ନୂଆ ପ୍ରଣାଳୀକୁ ସ୍ବାଗତ କରିଛନ୍ତି। ସହରର ପ୍ରମୁଖ ଛକ, ଆପାର୍ଟମେଣ୍ଟ ପାଖରେ ଏସବୁ ସ୍ନାକ୍ସ ଗାଡ଼ି ବୁଲୁଥିବାବେଳେ ଆପଣଙ୍କ ମୋବାଇଲ୍‌କୁ ମଧ୍ୟ ଗାଡ଼ି ଘର ପାଖରେ ଥିବାର ନୋଟିଫିକେସନ୍‌ ଯିବ। ଅନ୍-ଲାଇନ୍ ପେମେଣ୍ଟ ଜରିଆରେ ଏହି ଗାଡ଼ିରୁ ଆପଣ ନିଜ ମନମୁତାବକ ସ୍ନାକ୍ସ ନେଇପାରିବେ। ବ୍ୟାଟେରି ଓ ରୋବଟ୍ ଚାଳିତ ଏହି ସ୍ନାକ୍ସ ଗାଡ଼ିକୁ ନିଜ ଫୋନ୍‌ର ଆପ୍ଲିକେସନ୍ ଜରିଆରେ ଘର ପାଖକୁ ଡକାଇବାର ବ୍ୟବସ୍ଥା ଅଛି। ଗାଡ଼ିକୁ ସ୍ପର୍ଶ ନ କରି ମଧ୍ୟ ଜଣେ ନିଜ ପ୍ରିୟ ସ୍ନାକ୍ସ ଏଠାରୁ କିଣିପାରିବ। ରେସ୍ତୋରାଁ କିମ୍ବା ବେକରୀ ଦୋକାନକୁ ଯାଇ ଭିଡ଼ କରିବା ପରିବର୍ତ୍ତେ ଏହି ଭ୍ରମଣ ସ୍ନାକ୍ସ ଗାଡ଼ି ସହାୟତାରେ ଲୋକେ ଜଳଖିଆ କିଣୁଛନ୍ତି। ମହାମାରୀ ସମୟରେ ଏହା ଏକ ଭଲ ସୁବିଧା ବୋଲି ସ୍ଥାନୀୟ ଲୋକଙ୍କ ମତ।

Comments are closed.