ଚଢ଼ାଉ ବେଳେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ପନିକିରେ ଆକ୍ରମଣ

ସିନାପାଲି: ନୂଆପଡ଼ା ଜିଲା ସିନାପାଲି ବ୍ଲକ ଓ ବୋଡ଼େନ ଥାନା ଅନ୍ତର୍ଗତ ବର ଗାଁ ଗ୍ରାମର ଆକବର ମେହେରଙ୍କ ଘରେ ଦୀର୍ଘଦିନ ଧରି ବେଆଇନ ଭାବେ ବାଘନଖ, ହାତୀଦାନ୍ତ, ହାତିନଖ, ହୀରା ପଥର ସମେତ ଅନ୍ୟାନ୍ୟ ବେଆଇନ ସାମଗ୍ରୀର କାରବାର ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା। ଏ ନେଇ ବିଶେଷ ସୂତ୍ରରୁ ସୂଚନା ପାଇ ଆଜି ବର ଗାଁରେ ପୁଲିସର ଅପରାଧ ଶାଖା (କ୍ରାଇମ୍‌ବ୍ରାଞ୍ଚ) ଚଢ଼ଉ କରିଛି। ପ୍ରଥମେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଆରକ୍ଷୀ ନିରୀକ୍ଷକ ଗ୍ରାହକ ଭାବେ ପହଞ୍ଚି ଆକବର ମେହେର ସହ ମୂଲଚାଲ କରିଥିବା ବେଳେ ଆକବର ମେହେର ପ୍ରଶାସନିକ ଅଧିକାରୀଙ୍କୁ ହୀରା ଦେଖାଇଥିଲେ। ପରେ ଶ୍ରୀ ମେହେର କ୍ରାଇମବ୍ରାଞ୍ଚ ଅଧିକାରୀ ବୋଲି ଜାଣି ହୋହଲ୍ଲା କରି ଏକ ବ୍ୟାଗ୍‌ରେ ହୀରା ଧରି ଫେରାର୍ ହୋଇ ଯାଇଥିଲେ।

ହୋହଲ୍ଲା ମଧ୍ୟରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଆରକ୍ଷୀ ନିରୀକ୍ଷକଙ୍କୁ ଶ୍ରୀ ମେହେରଙ୍କ ପୁଅ ପରିବା କଟା ପନିକିରେ ଆକ୍ରମଣ କରିଥିବା ବେଳେ ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି। ଚଢ଼ଉରେ ଶ୍ରୀ ମେହେରଙ୍କ ଘରୁ ବେଆଇନ ସାମଗ୍ରୀ ଜବତ ହୋଇଛି। ବିଭାଗ ତରଫରୁ ତଦନ୍ତ ଜାରି ରହିଛି। କ୍ରାଇମ୍‌ ବ୍ରାଞ୍ଚ ଅତିରିକ୍ତ ଆରକ୍ଷୀ ନିରୀକ୍ଷକଙ୍କ ତତ୍ତ୍ବାବଧାନରେ ବୋଡ଼େନ ଥାନା ଅଧିକାରୀ ଦିଲୀପ କୁମାର ଲାକ୍ରାଙ୍କ ନେତୃତ୍ବରେ ଏକ ଦଳ ଏବଂ ସିନାପାଲି ପୁଲିସ ମିଲିତ ଭାବେ ଚଢ଼ଉରେ ସାମିଲ ଥିଲେ। ଶ୍ରୀ ମେହେରଙ୍କ ପୁଅକୁ କ୍ରାଇମବ୍ରାଞ୍ଚ ଗିରଫ କରି ପଚରା ଉଚରା ପାଇଁ ନେଇଥିବା ବେଳେ ତାଙ୍କ ଭାଇ ଘରେ ମଧ୍ୟ ଯାଞ୍ଚ କରାଯାଇଛି। ଚଢ଼ଉରେ କ୍ରାଇମବ୍ରାଞ୍ଚ ସମେତ ବୋଡ଼େନ ଥାନା ଅଧିକାରୀ ଦିଲୀପ କୁମାର ଲାକ୍ରା, ନିରୀକ୍ଷକ ଶ୍ରୀ ଛତିର୍ୟା, ସିନାପାଲି ପୁଲିସ ଉପ ନିରୀକ୍ଷକ ବବିତାରାଣୀ ପୁହାଣ, ସୁଦର୍ଶନ ନାଏକ, କୁଳମଣି ବରୋଦା, ସୁଜିତ ସାମନ୍ତରାୟଙ୍କ ସହ ଅଧିକାରୀମାନେ ସାମିଲ ଥିଲେ।

Comments are closed.