www.samajalive.in
Monday, December 15, 2025
17.1 C
Bhubaneswar

କାଠ ବିକିଲେ ଚୁଲି ଜଳେ, ସରକାରୀ ଯୋଜନା କାହାପାଇଁ ? 

କେନ୍ଦୁଝରଗଡ଼: ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ଓ ପାଉଡି ଭୂୟାଁଙ୍କ ସମେତ ଅନୁସୂଚିତ ଜନଜାତିବର୍ଗ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସରକାରୀସ୍ତରରେ ଯୋଜନା ପରେ ଯୋଜନା ପ୍ରଣୟନ ହୋଇ କାର୍ଯ୍ୟକାରୀ ହୋଇଆସୁଛି। ତେବେ ସରକାରଙ୍କ ଏହି ଯୋଜନା କାର୍ଯ୍ୟକାରୀ ଦାୟିତ୍ୱରେ ଥିବା ବାବୁମାନଙ୍କ ଆବଶ୍ୟକ ତଦାରଖ ଅଭାବରୁ ଜନଜାତିଙ୍କ ବିକାଶ ଯେଉଁଠି ଥିଲା ସେହିଠାରେ ହିଁ ରହିଯାଇଛି। ଖଣି ଓ ଶିଳ୍ପରେ ଭରପୁର କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ଓ ପାଉଡି ଭୂୟାଁ ସମ୍ପ୍ରଦାୟ ଲୋକଙ୍କୁ ଏବେବି ଦିନକୁ ଦି’ଓଳି ପେଟପୂରା ଖାଇବାକୁ ମିଳୁନଥିବାବେଳେ ଭାଗ୍ୟକୁ ଆଦରି ପଡ଼ିଛନ୍ତି।

ପ୍ରାଚୁର୍ଯ୍ୟରେ ଭରପୂର ଏହି ଜିଲାବାସୀ ଦାରିଦ୍ର୍ୟତାର କଷାଘାତରେ ଜର୍ଜରିତ ଥିବାବେଳେ ପେଟକୁ ମୁଠାଏ ଅନ୍ନ ପାଇଁ ଜଙ୍ଗଲ ସମ୍ପଦ ହିଁ ସାହାଭରସା। ବିଶେଷକରି ବାଂଶପାଳ ବ୍ଲକରେ ବସବାସ କରୁଥିବା ଜୁଆଙ୍ଗ ଓ ଭୂୟାଁ ସମ୍ପ୍ରଦାୟ ଲୋକେ ଜଙ୍ଗଲ ସମ୍ପଦକୁ ନିର୍ଭର କରି ବର୍ଷତମାମ ସେମାନଙ୍କ ପରିବାର ପ୍ରତିପୋଷଣ କରଥାନ୍ତି। ଜିଲାର ଏହି ଆଦିମ ଜନଜାତିର ପୁରୁଷମାନେ ଦୈନିକ ନିକଟସ୍ଥ ସଂରକ୍ଷିତ ଜଙ୍ଗଲକୁ ଯାଇ ଗଛକୁ କାଟି ଚାଲି ଆସିଥାନ୍ତି। ଗଛ ତଳେ ପଡ଼ି ଶୁଖିଯିବା ପରେ ଏହାକୁ ଜାଳେଣି କାଠ ଭାବେ କାଟିବା ପରେ ମହିଳାମାନେ ଛୋଟ ଛୋଟ ଶିଶୁଙ୍କୁ କୋଳ କରି ଅତିକମ୍‌‌ରେ ୧୦ରୁ ୧୫ କି.ମି. ଦୂର ବିପଦସଙ୍କୁଳ ଅବସ୍ଥାରେ କାଠକୁ ମୁଣ୍ଡରେ ବୋଝେଇ କେନ୍ଦୁଝର ସହରକୁ ଦୈନିକ ବିକ୍ରି ପାଇଁ ଆସିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଜାଳେଣି କାଠ ବିକିଲେ ଏମାନଙ୍କ ଘରେ ଚୁଲି ଜଳେ। ଏହି ଆଦିମ ଜନଜାତିଙ୍କ ଜୀବିକା ନିର୍ବାହ ପାଇଁ ସରକାରୀସ୍ତରରେ ଜୁଆଙ୍ଗ ଉନ୍ନୟନ ସଂସ୍ଥା, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଓଡ଼ିଶା ଜୀବିକା ମିଶନ ଆଦି କାର୍ଯ୍ୟକ୍ଷମ ହୋଇ ଆସୁଥିଲେ ମଧ୍ୟ ଏହାର ସଠିକ୍‌‌ ପରିଚାଳନା ଅଭାବରୁ ବହୁ ପରିବାର ଓଳିଏ ଖାଇ ଓଳିଏ ଉପାସରେ ରହିବା ଆଜିବି ଦେଖିବାକୁ ମିଳେ। ଫଳସ୍ୱରୂପ ଭୋକ ମେଣ୍ଟାଇବା ପାଇଁ ଏହି ନୀରିହ ଆଦିବାସୀମାନେ ଘଞ୍ଚ ଜଙ୍ଗଲରୁ ଦୈନିକ ଶହ ଶହ ମୂଲ୍ୟବାନ ଗଛ କାଟି ଜାଳେଣି କାଠ ଭାବେ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତି। ଏହାର ସୁଯୋଗ ନେଇ କାଠ ମାଫିଆମାନେ ନୀରିହ ଏହି ଆଦିବାସୀଙ୍କୁ ଢ଼ାଲ କରି ବହୁ ପୁରାତନ ଶାଳ ପିଆଶାଳ ଭଳି ମୂଲ୍ୟବାନ ଗଛକୁ କାଟି ଜିଲା ଓ ରାଜ୍ୟ ବାହାରକୁ ଚାଲାଣ କରି ମାଲାମାଲ ହେବା ଘଟଣା କାହାକୁ ଅଛପା ନୁହେଁ। ଆଦିବାସୀଙ୍କ ଜିବନ ଜୀବିକା ନାମରେ ଗଛ କଟାକୁ କିଭଳି ରୋକାଯାଇ ପାରିବ ସେ ନେତ୍ତ ତତ୍‌‌କାଳୀନ ଜିଲାପାଳ ଓ ଡିଏଫଓ ମିଳିତ ଉଦ୍ୟମ କରିଥିଲେ ହେଁ ତାହା ଫଳପ୍ରଦ ହୋଇପାରିଲା ନାହିଁ। ଜିଲାର ଏହି ଆଦିମ ଜନଜାତିଙ୍କ ପେଟର ଭୋକ ମେଣ୍ଟି ପାରୁନଥିବା ବେଳେ ଏମାନଙ୍କ ପାଇଁ ଶୁଦ୍ଧ ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ଆବଶ୍ୟକତା ସାତସପନ। ଏଭଳିକି ସ୍ୱାଧିନତାର ଦୀର୍ଘ ୭୮ବର୍ଷ ପରେ ମଧ୍ୟ ଏମାନଙ୍କ ନିକଟରେ ସଭ୍ୟତା ଏବେବି ଅପହଞ୍ଚ।

- Advertisement -

ଶିକ୍ଷା ଓ ସଚେତନତାର ଅଭାବ ଯୋଗୁଁଁ ଏହି ଆଦିମ ଜନଜାତି ସର୍ବଦା ନିଶାସକ୍ତ ହୋଇ ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କଥାକଥାକେ ଜଘନ୍ୟ ହତ୍ୟାକାଣ୍ଡ ଭିଆଇବା ଜିଲାର ବାଂଶପାଳ, ତେଲକୋଇ, ଯୋଡା ଓ ହରିଚନ୍ଦନପୁର ଆଦି ବ୍ଲକମାନଙ୍କରେ କିଛି ନୂଆକଥା ନୁହେଁ। ଏଭଳି ସ୍ଥିତିରେ ଏହି ଆଦିମ ଜନଜାତିଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ହେଲେ ଏମାନଙ୍କୁ କର୍ମସଂସ୍ଥାନ ଯୋଗାଣ ସହ ଖାଦ୍ୟସୁରକ୍ଷା, ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ଅତ୍ୟାବଶ୍ୟକୀୟ ସେବା ନିଶ୍ଚିତ କରାଯାଇ ପାରିଲେ ଜଙ୍ଗଲସମ୍ପଦ ନଷ୍ଟ ରୋକାଯାଇ ପାରନ୍ତା ବୋଲି ପରିବେଶବିତ୍‌‌ ରମେଶ ଚନ୍ଦ୍ର ମିଶ୍ର ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories