କେନ୍ଦୁଝରଗଡ଼: କେନ୍ଦୁଝର ଜିଲାରେ ଖଣିଖନନ ଓ ଶିଳ୍ପ ପ୍ରତିଷ୍ଠା ନାମରେ ବ୍ୟାପକ ଜଙ୍ଗଲ ଧ୍ୱଂସ ଯୋଗୁଁଁ ଚେରମୂଳି ଏବଂ ଔଷଧ ଜାତୀୟ ବୃକ୍ଷ ଲୋପ ପାଇବାକୁ ବସିଲାଣି। ଯୋଡ଼ା-ବଡ଼ବିଲ ଖଣି ଅଞ୍ଚଳମାନଙ୍କରେ ଏହି ବୃକ୍ଷ ସମ୍ପୂର୍ଣ୍ଣ ଲୋପ ପାଇବାକୁ ବସିଥିବାବେଳେ ଜିଲାର ଅନ୍ୟ ଅଞ୍ଚଳମାନଙ୍କରୁ ମଧ୍ୟ ଏହା କ୍ରମଶଃ ଲୋପ ପାଇବାକୁ ବସିଛି। ଖଣିଖନନ ହେତୁ ଗନ୍ଧମାର୍ଦ୍ଦନ ପାହାଡ଼ରେ ଥିବା ଦୁର୍ଲ୍ଲଭ ପାତାଳଗରୁଡ଼, ବିଶଲ୍ୟକରଣୀ, ଅଗ୍ନିଜାଳ, ଖଣ୍ଡାଖାଇ ଆଦି ଔଷଧୀୟ ବୃକ୍ଷ ଲୁପ୍ତ ପ୍ରାୟ ଅବସ୍ଥାରେ ପହଞ୍ଚିଛି। ଏତଦ୍ବ୍ୟତୀତ ଏବେ ଖଣିମାଲିକଙ୍କ ଲୋଲୁପ ଦୃଷ୍ଟି ଖଣ୍ଡାଧାର ଜଳପ୍ରପାତ ଅଞ୍ଚଳ, ପର୍ଯ୍ୟଟନ କେନ୍ଦ୍ର ଗୋନାସିକା, ଗୁପ୍ତଗଙ୍ଗା ଆଦି ଅଞ୍ଚଳରେ ପଡ଼ିଥିବାରୁ ଯଦି ଏହି ଅଞ୍ଚଳମାନଙ୍କରେ ଖଣି ଉତ୍ତୋଳନ ପ୍ରକ୍ରିୟା ଆରମ୍ଭ ହୁଏ ତାହାଲେ ଏହି ଅଞ୍ଚଳରେ ଥିବା ଔଷଧୀୟ ବୃକ୍ଷ ମଧ୍ୟ ଲୋପ ପାଇବ। ଜିଲାର ଗରିବ ଅଧିବାସୀମାନେ ସାଧାରଣତଃ ଜଡିବୁଟି ତଥା କବିରାଜି ଚିକିତ୍ସା ଉପରେ ନିର୍ଭର କରି ସେମାନଙ୍କର ଦୂରାରୋଗ୍ୟ ରୋଗରୁ ଆରୋଗ୍ୟ ଲାଭ କରିଥା’ନ୍ତି। ଏହି ଚିକିତ୍ସା ଉପରେ ସେମାନଙ୍କର ଅଗାଧ ବିଶ୍ୱାସ ରହିଛି। ଚେରମୂଳି ଔଷଧ ଦ୍ୱାରା ସ୍ୱଳ୍ପ ଖର୍ଚ୍ଚରେ ଭଲ ହୋଇ ପାରୁଥିବା ରୋଗ ଏବେ ବହୁ ଅର୍ଥ ବ୍ୟୟ ସତ୍ତ୍ବେ ରୋଗ ମୁକ୍ତ ହୋଇ ପାରୁନଥିବା ଦେଖାଯାଉଛି। ଚେରମୂଳି ଜାତୀୟ ଔଷଧୀୟ ବୃକ୍ଷର ବିଲୋପ ଯୋଗୁଁଁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଥିବା ବେଳେ ପୋଡ଼ୁ ଚାଷ ଯୋଗୁଁଁ ମଧ୍ୟ ବ୍ୟାପକ ଜଙ୍ଗଲ ଧ୍ୱଂସ କରାଯାଉ ଥିବାରୁ ବହୁ ଔଷଧୀୟ ବୃକ୍ଷ ନଷ୍ଟ ହେବାକୁ ଯାଉଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
Popular Categories



