ରେଙ୍ଗାଲି କ୍ୟାମ୍ପ : ଅତାବିରା ଥାନା ଅନ୍ତର୍ଗତ ଚକୁଳି ଫାର୍ମ କୋଶଳ ସ୍କୁଲ ନିକଟରେ ଥିବା ନୂଆଁ ଖଇର ପାଲି କେନାଲ କଡ଼ରେ ରହିଛି କେ ସାବିତ୍ରୀଙ୍କ ଘର। ସେ ମାସେ ହେବ କର୍ଣ୍ଣାଟକ ଜିନ୍ଦଲରେ କାମ କରୁଥିବା ପୁଅ କେ ସତିଶ କୁମାରଙ୍କ ସହ ରହୁଥିଲେ। ଇତି ମଧ୍ୟରେ ଘର ସମ୍ମୁଖରେ ରହୁଥିବା କେ ସାବିତ୍ରୀଙ୍କ ମା’ ଲକ୍ଷ୍ମୀ ଓ ବଡ ଭଉଣୀଙ୍କୁ ଘର ଦେଖାଦେଖି କରିବା ପାଇଁ କହି ପୁଅ ସହ ଯାଇଥିଲେ ଏବଂ ସାବିତ୍ରୀଙ୍କ ବଡ ଭଉଣୀଙ୍କ ସ୍ବାମୀ ଘର ଦେଖରେଖା ସହ ଘର ଜଗୁଥିଲେ। ହେଲେ କୌଣସି କାରଣ ବଶତଃ ତାଙ୍କ ଶରୀର ଅସୁସ୍ଥ ଥିବାରୁ ସାବିତ୍ରୀ ଘରେ ନରହି ସମ୍ମୁଖରେ ଥିବା ନିଜ ଘରେ ପାଞ୍ଚ ଦିନ ହେବ ଶୋଉଥିଲେ। ଦୁର୍ବୃତ୍ତ ମାନେ ଏହି ସୁଯୋଗ ନେଇ କଳାକନା ବୁଲାଇ ଚମ୍ପଟ ମାରିଥିଲେ। ସାବିତ୍ରୀ ଘରେ ପ୍ରତ୍ୟହ କାର୍ଯ୍ୟରତ ଥିବା ଜଯୁଆ ନାମକ ଏକ ଯୁବକ ସାବିତ୍ରୀଙ୍କ ମା’ ଘରୁ ଚାବିକାଠି ନେଇ ଆଜି ସକାଳ ୬ଟାରେ ଗେଟ ଖୋଲି ସଫାସୁତୁରା କରିବା ପାଇଁ ଯାଇଥିବାବେଳେ ଭିତର ଗେଟର ତାଲା ଭାଙ୍ଗି ତଳେ ପଡିଥିବା ଦେଖି ଥାନାକୁ ଖବର ଜଣାଇଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ସହ ସମ୍ବଲପୁର ସାଇଣ୍ଟିଫିକ୍ ଟିମ୍ ଅଧିକାରୀ ବିଜୟ ଲକ୍ଷ୍ମୀ ତିର୍କି ଅନୁସନ୍ଦାନୀ କୁକୁର ସହ ଦଳବଳ ପହଞ୍ଚି ଅଧିକରୁ ଅଧିକ ତଦନ୍ତ କରିବା ସମୟରେ ଭିତରେ ରହିଥିବା ଦୁଇଟି କୋଠରୀର ଗେଟ ତାଲା ଭାଙ୍ଗିବା ସହ ଆଲମୀରା ଓ ଲକରର ତାଲା ଭାଙ୍ଗିବା ସହ ଆସବାବ ପତ୍ର ଏପଟ ସେପଟ ଫିଙ୍ଗି ଦେଇ ମୂଲ୍ୟବାନ ଜିନିଷ ପତ୍ର ନେଇ ଫେରାର ମାରିଥିବା ଅନୁମାନ କରାଯାଉଛି। ଖବର ପାଇ କେ ସାବିତ୍ରୀ ପୁଅଙ୍କ ସହ ଆସି ଦେଖିବା ମାତ୍ରେ ଚୋରି ହୋଇଥିବା ସମ୍ପୂର୍ଣ ଆକଳନ ଜଣା ପଡ଼ିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି।
Popular Categories



