ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ପ୍ରଘଟ ଘଟଣା, ଥାନାରେ ମାମଲା ; ତଦନ୍ତ ଆରମ୍ଭ

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହ ଏବଂ ରତ୍ନସିଂହାସନ ଫଟୋ ପ୍ରଘଟ ଘଟଣାରେ ରବିବାର ମୋକଦ୍ଦମା ରୁଜୁ କରିଛି ସିଂହଦ୍ୱାର ଥାନା ପୁଲିସ। ନିଷେଧାଦେଶ ଉଲ୍ଲଂଘନ କରିଥିବା ଆକାଶ ଚୌଧୁରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସକ (ସୁରକ୍ଷା) ଭି.ଏସ୍‍ ଚନ୍ଦ୍ରଶେଖର ରାଓ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଶ୍ରୀଜଗନ୍ନାଥ ମନ୍ଦିର ଆଇନର ବିଭିନ୍ନ ଦଫାରେ ମୋକଦ୍ଦମା ପଞ୍ଜୀକରଣ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ଦଳ ପଶ୍ଚିମବଙ୍ଗ ଯିବାକୁ ପ୍ରସ୍ତୁତି ଚଳାଇଛି। ଆକାଶଙ୍କ ଫେସ୍‍ବୁକ୍‍ ଆକାଉଣ୍ଟ ଯାଞ୍ଚ କରାଯାଉଛି। ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆକାଶ ଇସ୍କନ ଭକ୍ତ ବେଶରେ ଶ୍ରୀମନ୍ଦିରକୁ ଯାଇଥିବା ପ୍ରଶାସକ ଶ୍ରୀ ରାଓ କହିଛନ୍ତି। ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ। ଶ୍ରୀମନ୍ଦିରର ଚାରୋଟି ଦ୍ୱାରରେ ପୁଲିସ ଯାଞ୍ଚ କରୁଥିଲେ ମଧ୍ୟ କିଛି ବ୍ୟକ୍ତି ଲୁଚିଛପି ଭିତରକୁ ମୋବାଇଲ ଫୋନ ନେଉଥିବା ସୁରକ୍ଷା ପ୍ରଶାସକ କହିଛନ୍ତି। ଅଭିଯୁକ୍ତ ଆକାଶ ଶ୍ରୀମନ୍ଦିର ଜଗମୋହନରେ ଛିଡା ହୋଇ ଶ୍ରୀଜୀଉଙ୍କ ଅବକାଶ ସମୟର ଫଟୋ ଉଠାଇଛନ୍ତି। ଏହାଛଡା କୌଣସି ସେବାୟତ ଶ୍ରୀମନ୍ଦିର ରତ୍ନସିଂହାସନ ଫଟୋ ଉଠାଇ ତାଙ୍କୁ ଦେଇଥିବା ପୁଲିସ ସନ୍ଦେହ କରୁଛି। କଡା କଟକଣା ଏବଂ ପୁଲିସ ଯାଞ୍ଚ ସତ୍ତ୍ୱେ ଜଣେ ବଙ୍ଗୀୟ ଭକ୍ତ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ସହ ମହାପ୍ରଭୁଙ୍କ ଫଟୋ ଉଠାଇ ନିଜ ଫେସବୁକ ଆକାଉଣ୍ଟରେ ପ୍ରଘଟ କରିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଏହା ଏକ ବଡ ତ୍ରୁଟି ବୋଲି କୁହାଯାଉଛି। ଜଗନ୍ନାଥ ପ୍ରେମୀ ଭକ୍ତ ଏବଂ ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ଏଥିଯୋଗୁ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍‍ ନେବାପାଇଁ ସେବାୟତ, ମନ୍ଦିର ପ୍ରଶାସନ ଏବଂ ପୁଲିସ କର୍ମଚାରୀଙ୍କୁ ଅନୁମତି ଦିଆଯାଇଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟୁଛି। ତେଣୁ ଶ୍ରୀମନ୍ଦିରର ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଶ୍ରୀମନ୍ଦିରରେ ମୋବାଇଲ୍‍ ଫୋନ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯିବାକୁ ଦାବି ହୋଇଛି। ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୁରକ୍ଷା ପ୍ରଶାସକ ଶ୍ରୀ ରାଓ କହିଛନ୍ତି।

Comments are closed.