ଭାଙ୍ଗିଲା ସିନିୟର ମନୋନୟନ କମିଟି

ଟି-୨୦ ବିଶ୍ବକପ୍‌ ବିପର୍ଯ୍ୟୟ

ନୂଆଦିଲ୍ଲୀ  : ଅଷ୍ଟ୍ରେଲିଆରେ ଆୟୋଜିତ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତୀୟ ଦଳ ସେମିରେ ଶୋଚନୀୟ ଭାବେ ପରାଜିତ ହେବା ପରେ ବିସିସିଆଇ ବଡ ପଦକ୍ଷେପ ନେଇଛି। ଚେତନ ଶର୍ମାଙ୍କ ନେତୃତ୍ବାଧିନ ୪ଜଣିଆ ସିନିୟର ପୁରୁଷ ମନୋନୟନ କମିଟିକୁ ବିସିସିଆଇ ଶୁକ୍ରବାର ଭଙ୍ଗ କରିଛି। ମନୋନୟନ କମିଟିର ମୁଖ୍ୟ ଭାବେ ଉତ୍ତରାଞ୍ଚଳ ଜୋନରୁ ଚେତନ ଶର୍ମା ରହିଥିବାବେଳେ ହରବିନ୍ଦର ସିଂହ କେନ୍ଦ୍ରାଞ୍ଚଳ, ସୁନୀଲ ଜୋଷୀ ଦକ୍ଷିଣାଞ୍ଚଳ ଓ ପୂର୍ବାଞ୍ଚଳରୁ ଦେବାଶିଷ ମହାନ୍ତି ସଦସ୍ୟ ରହିଥିଲେ। ମନୋନୟନକାରୀ ଭାବେ ଏମାନଙ୍କ କାର୍ଯ୍ୟକାଳ କମ ଦିନ ଥିଲା। ସେମାନଙ୍କ ମଧ୍ୟରୁ କେତେକ ୨୦୨୦ ଓ ଆଉ କେତେକ ୨୦୨୧ରେ କମିିଟିରେ ସାମିଲ ହୋଇଥିଲେ। ମନୋନୟନ କମିଟି ସଦସ୍ୟମାନେ ପ୍ରାୟତଃ ୪ବର୍ଷ କାମ କରିବାର ସୁଯୋଗ ପାଆନ୍ତି।
ସୂଚନାଥାଉକି ୨୦୨୧ ଟି୨୦ ବିଶ୍ବକପରେ ଭାରତୀୟ ଦଳ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିନଥିବା ବେଳେ ୨୦୨୨ରେ ସେମିଫାଇନାଲରୁ ବିଦାୟ ନେଇଥିଲା। ଗତ ଅକ୍ଟୋବର ୧୮ରେ ବିସିସିଆଇ ଏଜିଏମ୍‌ରେ ଚେତନ ଶର୍ମାଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠିଥିଲା। ତାଙ୍କୁ ବରଖାସ୍ତ କରାଯିବା ଆଶଙ୍କା ରହିଥିଲା। ଯାହାକି ସତ୍ୟରେ ପରିଣତ ହୋଇଛି। ବିସିସିଆଇ ନୂତନ ସିନିୟର ମନୋନୟନକାରୀ ନିଯୁକ୍ତି ନିମନ୍ତେ ଦରଖାସ୍ତ ଆହ୍ବାନ କରିଛି। ନଭେମ୍ବର ୨୮ ଆବେଦନର ଶେଷ ସମୟ ଧାର୍ଯ୍ୟ କରାଯାଇଛି।

Comments are closed.