ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମକୁ ନେଇ ବଢୁଛି ବିବାଦ

ରାଜଭବନ ଓ ଉଚ୍ଚଶିକ୍ଷା ଚିଠିରେ ରହୁନି ତାଳମେଳ, ଦାନା ବାନ୍ଧୁଛି ଛାତ୍ର ଅସନ୍ତୋଷ, ଗରିବ ମେଧାବୀ ବିଦ୍ୟାର୍ଥୀ ପଢ଼ିବେ କେମିତି?

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଚାଲିଥିବା ସେଲ୍ଫ ଫାଇନାନ୍ସିଂ (ନିଜସ୍ବ ଦେୟ) ପାଠ୍ୟକ୍ରମର ଆସନ କାଟ କରାଯିବା ପରେ ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ର ରୂପ ନେବାରେ ଲାଗିଛି। ରାଜଭବନ ପକ୍ଷରୁ ଜାରି ନିୟମାବଳୀକୁ କାର୍ଯ୍ୟକାରୀ କରିବାକୁ ଗତମାସ ୧୨ରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଥିଲା। ରାଜଭବନ ପକ୍ଷରୁ ଜାରି ନିୟମାବଳୀକୁ କାର୍ଯ୍ୟକାରୀ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ଗତମାସରେ ଏହି ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ୍‌ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ଓ ଟମାଟୋ ମାଡ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୃଥକ ଭାବେ ବିଭାଗୀୟ ଅଧିକାରୀଙ୍କୁ ଦିନକ ପରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ ଜାରି କଟକଣା ନ ଲଗାଇବାକୁ କୁହାଯାଇଥିଲା। ରାଜଭବନ ଓ ଉଚ୍ଚଶିକ୍ଷା ବିଭାଗ ମଧ୍ୟରେ ସମନ୍ବୟ ନ ରହିବାରୁ ଏବେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମର ଆସନ କାଟ ହୋଇଥିବା ଅଭିଯୋଗ ହୋଇଛି। ସରକାରୀ ବିଶ୍ବବିଦ୍ୟାଳୟ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ତୁଳନାରେ ଘରୋଇ ଶିକ୍ଷାନୁଷ୍ଠାନର ପାଠ୍ୟକ୍ରମ ଦେୟ ପ୍ରାୟ ୩ରୁ ୧୦ ଗୁଣା(ଘରୋଇ ଶିକ୍ଷାନୁଷ୍ଠାନ ମୁତାବକ) ଅଧିକ ରହିଛି। ରାଜ୍ୟରେ ଥିବା ଗରିବ ମେଧାବୀ ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ପାଇବେ କେମିତି ସେଥିନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ପଦ ସହ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଭାବେ ପ୍ରଶାସକ ଶାଶ୍ବତ ମିଶ୍ର କାର୍ଯ୍ୟରତ । ଉଭୟ ଦାୟିତ୍ଵରେ ଶ୍ରୀ ମିଶ୍ର ଥିବାବେଳେ କିଭଳି ସମନ୍ବୟର ଅଭାବ ରହୁଛି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ କୌଣସି ଘୋଷଣା କରାଯାଇ ନ ଥିବାବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଯାଇନି। ସରକାରୀ ଶିକ୍ଷାନୁଷ୍ଠାନରେ ପାଠ୍ୟକ୍ରମର ଆସନ ସଂଖ୍ୟା କମିବା ଦ୍ବାରା ଗରିବ ମେଧାବୀ ଛାତ୍ରଛାତ୍ରୀ ପାଠ ପଢାରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି। ପୁନର୍ବାର ଏବେ ଆସନ କାଟ ହେବାରୁ ଏହି ପ୍ରସଙ୍ଗରେ ପ୍ରମୁଖ ବିରୋଧୀ ଛାତ୍ର ସଙ୍ଗଠନ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଛାତ୍ର କଂଗ୍ରେସ୍‌ ଓ ଏଆଇଏସ୍‌ଏଫ୍‌ ପକ୍ଷରୁ ଆନ୍ଦୋଳନ ପାଇଁ ଧମକ ଦିଆଯାଇଥିବାବେଳେ ଏବିଭିପି ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି।
ରାଜଭବନ ନିର୍ଦେଶନାମା ମୁତାବକ ସବୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବହୁ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମର ବିଭାଗ ବନ୍ଦ କରିବା ସହ ଆସନ କମାଇଦେଇଛନ୍ତି। ଏଭଳି ହେବା ଦ୍ବାରା ସବୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନେଇ ଛାତ୍ର ଆନ୍ଦୋଳନ ଭୟରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଗଣମାଧ୍ୟମରେ ମୁହଁ ଖୋଲୁନାହାନ୍ତି।
ଚଳିତ ମାସ ଶେଷ ସପ୍ତାହ କିମ୍ବା ଆସନ୍ତା ମାସରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ସାମ୍ସ ଜରିଆରେ ଉଭୟ ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ନାମଲେଖା ଅନୁଷ୍ଠିତ ହେବ। ନାମଲେଖା ପାଇଁ ପ୍ରସ୍ତୁତ ତାଲିକାରେ ଆସନ କାଟ କରାଯାଇଛି। ଶିକ୍ଷାନୁଷ୍ଠାନରେ ୫୦ ରୁ ୭୦% ପର୍ଯ୍ୟନ୍ତ ଆସନ କମିଛି। ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ଗତମାସରେ ସବୁ କୁଳପତିଙ୍କୁ ଚିଠି ଲେଖି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ସମୁଦାୟ ବିଦ୍ୟାର୍ଥୀଙ୍କର ୨୦ %ରେ ସୀମିତ ରଖିବା ସହ ବିବିଧ କଟକଣା ସମ୍ବନ୍ଧରେ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ନିର୍ଦେଶ ଦେଇଥିଲେ। ୨୦୨୨-୨୩ ଶିକ୍ଷାବର୍ଷରୁ ଲାଗୁ କରିବାକୁ କୁହାଯାଇଥିଲା।
ଏହାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟରେ ଚାଲିଥିବା ବିଭିନ୍ନ ପାଠ୍ୟକ୍ରମ ବନ୍ଦ କରିବା ସହ ଆସନ କମାଇଛନ୍ତି। ରାଜଭବନ ପକ୍ଷରୁ ଜାରି କଟକଣାକୁ ଲାଗୁ କରିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ଅଧିକ ନିଯୁକ୍ତି ସୁଯୋଗ ଥିବାବେ‌ଳେ ପାଠ୍ୟକ୍ରମର ଆସନ କମିବା ଦ୍ବାରା ଶିକ୍ଷିତ ବେକାରୀ ବଢିପାରେ। ଆର୍ଥିକ ଭାବେ ପଛୁଆ ବିଦ୍ୟାର୍ଥୀଙ୍କୁ ନାମଲେଖା ସୁଯୋଗ ମିଳିବ ନାହିଁ। ଡାଟା ସାଇନ୍ସ, ଏମ୍‌ଟେକ୍‌ କମ୍ପ୍ୟୁଟର ସାଇନ୍ସ, ରିମୋଟ ସେନ୍ସିଂ , ଆଇଟିଏମ୍‌ ଭଳି ଚାହିଦା ଥିବା ପାଠ୍ୟକ୍ରମର ଆସନ କାଟ ସହ କିଛି ବିଭାଗରେ ଝୁଲିଛି ତାଲା। ଏହି ପାଠ୍ୟକ୍ରମ ଗୁଡ଼ିକର କଟ୍‌ଅଫ୍‌ ଅଧିକ ଥିବାବେଳେ ମେଧାବୀ ବିଦ୍ୟାର୍ଥୀ ଓଡ଼ିଶା ବାହାରକୁ ନଯାଇ ଓଡ଼ିଶାରେ ପାଠପଢା ସୁଯୋଗ ପାଉଥିଲେ।
ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେବା ସହ ବିଭାଗ ବନ୍ଦ ହେଉଥିବାରୁ ନାକ୍‌ ମୂଲ୍ୟାୟନରେ ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରୁଛନ୍ତି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆସନ କାଟ ଓ ବିଭାଗ ବନ୍ଦ କରିବା ସହ ଏ ସମ୍ବନ୍ଧରେ ପ୍ରସ୍ତାବ ଏକାଡେମିକ କାଉନସିଲ ଓ ସିଣ୍ଡିକେଟ୍‌ରେ ଉପସ୍ଥାପନ କରିଛନ୍ତି। ବହୁ ବିଶ୍ବବିଦ୍ୟାଳୟ ପ୍ରସ୍ତାବ ପାରିତ ହୋଇଥିବାବେଳେ ଅଳ୍ପ କେତେକଙ୍କ ଖୁବ୍‌ଶୀଘ୍ର ପ୍ରସ୍ତାବ ପାରିତ ହେବ। ଆସନ୍ତା ଶିକ୍ଷାବର୍ଷରେ ରେଭେନ୍ସା ବିଶ୍ବବିଦ୍ୟାଳୟର ସ୍ନାତକରେ ୩୬୮ ଓ ସ୍ନାତକୋତ୍ତର (ପିଜି)ରେ ୧୯୨ ଆସନ କମାଯାଇଛି। ସେହିପରି ଉତ୍କଳରେ ୯୫୦ ଆସନ ଥିବାବେଳେ ଚଳିତ ବର୍ଷ ଏହାକୁ ୫ଶହକୁ କମାଯାଇଛି। ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ରଙ୍କ ସହ ଯୋଗଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା।

kalyan agarbati

Comments are closed.