ଘରୋଇ ସ୍କୁଲ୍ ଫି’ରେ ଲାଗିବ ଅଙ୍କୁଶ!
ନୂଆଦିଲ୍ଲୀ: ଏଣିକି ଆଉ କୌଣସି ଘରୋଇ ସ୍କୁଲ୍ ମନଇଚ୍ଛା ନାମଲେଖା ଫି’ କିମ୍ବା ଅନ୍ୟାନ୍ୟ ଦେୟ ବୃଦ୍ଧି କରିପାରିବେ ନାହିଁ। କେନ୍ଦ୍ର ସରକାର ଏହି ମର୍ମରେ ଖୁବ୍ ଶୀଘ୍ର ନିୟମ ଆଣିବାକୁ ଯାଉଛନ୍ତି। ଉତ୍ତରପ୍ରଦେଶ ସରକାର ଏଭଳି କଟକଣା ଜାରି କରି ସଫଳତା ପାଇବା ପରେ ସବୁ ରାଜ୍ୟରେ ଏକାପ୍ରକାର କଟକଣା ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଫି’ ନିର୍ଦ୍ଧାରଣ କଟକଣା ଲାଗୁ କରିବା ରାଜ୍ୟ ସରକାରଙ୍କ ଅଧିକାର ପରିସରଭୁକ୍ତ ଥିବାରୁ ନିୟମ ଲାଗୁ କରିବା ପୂର୍ବରୁ ଏ ସଂକ୍ରାନ୍ତରେ ସବୁ ମହଲରୁ ମତାମତ ଆହ୍ୱାନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଉତ୍ତରପ୍ରଦେଶ ଜାରି କରିଥିବା ଅଧ୍ୟାଦେଶରେ ବାର୍ଷିକ ସ୍କୁଲ୍ ଫି’ ଓ କ୍ୟାପିଟେସନ୍ ଫି’ରେ ମନଇଚ୍ଛା ବୃଦ୍ଧି ଉପରେ କଟକଣା ଜାରି କରାଯାଇଥିବା ବେଳେ କେନ୍ଦ୍ର ସରକାର ସେଥିରେ ଆଉ ଦୁଇ ନୂଆ କଟକଣା ଯୋଡ଼ିବାକୁ ଚାହୁଁଛନ୍ତି। ସେହି ଦୁଇ ଅତିରିକ୍ତ ନିୟମ କାର୍ଯ୍ୟକାରୀ ହେଲେ ସ୍କୁଲ୍ କର୍ତ୍ତୃପକ୍ଷ ପ୍ରତିବର୍ଷ ନାମ ଲେଖା ଫି’ ଆଦାୟ କରିପାରିବେ ନାହିଁ କି ପ୍ରତିବର୍ଷ ସ୍କୁଲ୍ ୟୁନିଫର୍ମ ବଦଳାଇ ପାରିବେ ନାହିଁ। ତିନି ଥର ନିୟମ ଉଲ୍ଲଂଘନ କରିଥିବା ସ୍କୁଲ୍ର ଅନୁମତି ପ୍ରତ୍ୟାହାର କରାଯିବ।