ବିଧବା ଓ ନିରାଶ୍ରୟ ମହିଳାଙ୍କ ସମସ୍ୟା ନେଇ ସୁପ୍ରିମ କୋର୍ଟ କ୍ଷୁବ୍ଧ

0

ନୂଆଦିଲ୍ଲୀ  : ବିଧବା ତଥା ନିରାଶ୍ରୟ ମହିଳାଙ୍କ ସୁରକ୍ଷା ତଥା ମଙ୍ଗଳ ପ୍ରତି ସରକାର ଆଦୌ ଚିନ୍ତା କରୁ ନାହାନ୍ତି କି ଯତ୍ନବାନ ହେଉ ନାହାନ୍ତି ଦର୍ଶାଇ ସୁପ୍ରିମ କୋର୍ଟ ୮ଟି ରାଜ୍ୟ ସରକାରଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଜୋରିମାନା ନିର୍ଦେଶ ଦେଇଛନ୍ତି। ଏହି କ୍ରମରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଜାମ୍ମୁ-କାଶ୍ମୀର ସରକାରଙ୍କୁ ୫୦ହଜାର ଏବଂ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ପଞ୍ଜାବ ଓ ଉତ୍ତରାଖଣ୍ଡ ସରକାରଙ୍କୁ ୨୫ହଜାର ଟଙ୍କା ଲେଖାଏଁ ଜୋରିମାନା ନିର୍ଦେଶ ଦେଇଛନ୍ତି। ମହିଳା ଓ ଶିଶୁକଲ୍ୟାଣ ବିଭାଗକୁ ଏଥିପାଇଁ ବିଚାରପତି ଦୋଷାରୋପ କରିଛନ୍ତି। ଆସନ୍ତା ୪ସପ୍ତାହ ମଧ୍ୟରେ ଏହି ଅର୍ଥ ସୁପ୍ରିମ କୋର୍ଟ ଆଇନ ସେବା କମିଟି ନିକଟରେ ଜମା କରିବାକୁ ନିର୍ଦେଶ ଦେଇଛନ୍ତି। ଉକ୍ତ ଅର୍ଥ ବାଳୁତ ନ୍ୟାୟ କ୍ଷେତ୍ରରେ ବିନିଯୋଗ ହେବ ବୋଲି ବିଚାରପତି ସ୍ପଷ୍ଟ କରିଛନ୍ତି।
ବୁଧବାର ବିଚାରପତି ମଦନ ବି ଲୋକୁର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ପୀଠ ବିଧବାଙ୍କ ସମସ୍ୟା ସମାଧାନ ପାଇଁ ବିଶେଷଜ୍ଞ କମିଟି ଗଠନ କରିବାକୁ କେନ୍ଦ୍ର ସରକାର ଦେଇଥିବା ପରାମର୍ଶ କାର୍ଯ୍ୟକାରୀ ହେଉ ନଥିବାରୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବା ସହ ଏହି ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଚଳିତ ବିଧିବ୍ୟବସ୍ଥାକୁ ନେଇ ଏକ ଉପଯୁକ୍ତ ଏବଂ ସମୁନ୍ନତ ଯୋଜନା ପ୍ରଣୟନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ‘ସମ୍ପୃକ୍ତ ରାଜ୍ୟମାନେ ଯଦି କିଛି କରୁ ନାହାନ୍ତି ତାହାହେଲେ କରିବେ ନାହିଁ; ସେମାନଙ୍କର ଯଦି ନିଜର ରାଜ୍ୟର ମହିଳାଙ୍କ ପ୍ରତି ଚିନ୍ତା ନାହିଁ ତାହାଲେ ଆମେ କଣ କରିପାରିବୁ?’ ବିଚାରପତିମାନେ ଏଭଳି ପ୍ରଶ୍ନ କରିବା ସହ ‘ସେମାନେ କିଛି କରିପାରିବେ ନାହିଁ’ ବୋଲି ବିରକ୍ତି ପ୍ରକାଶ କରିଛନ୍ତି।
ମାମଲାର ଶୁଣାଣିବେଳେ ଅତିରିକ୍ତ ସଲିସିଟର ଜେନେରାଲ ଏଏନ୍‍ଏସ୍‍ ନାଦକର୍ଣ୍ଣି ବିଧବା ଓ ନିରାଶ୍ରୟ ମହିଳାମାନଙ୍କ ସମସ୍ୟା ଓ ଏହାର ସମାଧାନ ପାଇଁ କାର୍ଯ୍ୟକାରୀ ହୋଇଥିବା ଯୋଜନା ସମ୍ପର୍କରେ ଅଦାଲତକୁ ଅବଗତ କରିଥିଲେ। ଏହାକୁ ଶୁଣି ବିଚାରପତି ପ୍ରଶ୍ନ କରିଥିଲେ ଯେ ଗୋଟିଏ ଭଲ ଯୋଜନା ପ୍ରଣୟନ କରା ନ ଯାଇ ଏତେଗୁଡ଼ିଏ ଯୋଜନାର ମୂଲ୍ୟ କ’ଣ? ନାଦକର୍ଣ୍ଣି ଏହାକୁ ଗ୍ରହଣ କରି ଗୋଟିଏ ସମୁନ୍ନତ ଯୋଜନା ପ୍ରଣୟନ କରିବାକୁ ସହମତ ହୋଇଥିଲେ। ବିଚାରପତି ଶୀଘ୍ର ଏଥିପାଇଁ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ। ଜାତୀୟ ମହିଳା ଆୟୋଗ ମଧ୍ୟ ଏଥିପ୍ରତି ସବୁମନ୍ତେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ସୁପ୍ରିମ କୋର୍ଟ ଫେବୃଆରି ୭ରେ ମଧ୍ୟ ରାଜ୍ୟ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ଉପରେ ଏଭଳି ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଭିନ୍ନ ମନ୍ଦିର ଓ ଆଶ୍ରୟ ସ୍ଥଳରେ ବିଧବା ତଥା ବେସାହାରା ମହିଳାମାନଙ୍କୁ ଅତର ଓ ଅଗରବତୀ ପ୍ରସ୍ତୁତି, ଫୁଲ ବାଣ୍ଟିବା ଭଳି ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେମାନେ ଅତି ଅସ୍ୱାସ୍ଥ୍ୟକର ପରିବେଶରେ ଓ ଦୟନୀୟ ପରିସ୍ଥିତିରେ ଚଳୁଥିବା ନେଇ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩୧କୁୁ ଧାର୍ଯ୍ୟ କରିଛନ୍ତି।

Leave A Reply