କଟକ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କ ପ୍ରତିଷ୍ଠିତ ‘ସତ୍ୟବାଦୀ’ ପତ୍ରିକା ମାଧ୍ୟମରେ ଏକ ସୁସଂହତ ଜାତୀୟ ଜୀବନ, ସାମାଜିକ ଶୃଙ୍ଖଳା ସହ ଚେତନା ସୃଷ୍ଟିକାରୀ ଆଭିମୁଖ୍ୟ ଗ୍ରହଣ କରିଥିଲେ। ଗୋପବନ୍ଧୁଙ୍କ ସରଳ ଭାଷା ହିଁ ଜନଗଣଙ୍କୁ ଉଦ୍ବୃଦ୍ଧ କରୁଥିଲା। କାରଣ ଭାଷା ହିଁ ବ୍ୟକ୍ତି ଚିନ୍ତନକୁ ପ୍ରଭାବିତ କରିଥାଏ। ଏଭଳି ସାହିତ୍ୟ ନାଗରିକଙ୍କ ମନନଶୀଳତାକୁ ବଦଳାଏ। ଏହା କହିଛନ୍ତି ବିଶିଷ୍ଟ ସାମ୍ବାଦିକ ତଥା ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ।
ଲୋକସେବକ ମଣ୍ଡଳ ଦ୍ବାରା ରବିବାର ସାରଳା ଭବନଠାରେ ଆୟୋଜିତ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ବାର୍ଷିକ ସାରସ୍ବତ ସମାରୋହରେ ମୁଖ୍ୟଅତିଥି ଭାବେ ଶ୍ରୀ ହରିବଂଶ ଯୋଗଦେଇ କହିଲେ, ଓଡ଼ିଆ ଭାଷା, ଅସ୍ମିତା, ସଂସ୍କୃତି ସହିତ ରାଷ୍ଟ୍ରୀୟ ପୁନଃ ଜାଗରଣରେ ସଂଯୋଗର ସେତୁ ଥିଲେ ପଣ୍ଡିତ ଗୋପବନ୍ଧୁ ଦାସ। ଓଡ଼ିଶା ହେଉଛି ପୂଣ୍ୟଭୂମି। ଏଠାରେ କବି ଜୟଦେବ, ସାରଳା ଦାସ, ଉପେନ୍ଦ୍ର ଭଞ୍ଜ, ବଳରାମ ଦାସଙ୍କ ସମେତ ବହୁ ଯୋଗଜନ୍ମା ସାହିତ୍ୟିକ ଜନ୍ମହୋଇ ମାଟିକୁ ଗୌରବାନ୍ବିତ କରିଛନ୍ତି। ସେହିପରି ସ୍ବାଧୀନତା ସଂଗ୍ରାମରେ ହରେକୃଷ୍ଣ ମହତାବ, ଅନ୍ନପୂର୍ଣ୍ଣା ମହାରଣା, ବକ୍ସି ଜଗବନ୍ଧୁ, ଗୋପବନ୍ଧୁ ଚୌଧୁରୀ, କୃଷ୍ଣଚନ୍ଦ୍ର ଗଜପତି, ସହିଦ ବାଜି ରାଉତ, ଜୟୀ ରାଜଗୁରୁ, ଚାଖି ଖୁଣ୍ଟିଆ ଆଦି ଏଇ ମାଟିକୁ ଗର୍ବିତ କରିଥିବା ସେ କହିଥିଲେ। ଗୋପବନ୍ଧୁଙ୍କ ଚିନ୍ତାଧାରା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ହରିବଂଶ କହିଲେ, ଆଜି ବି ସତ୍ୟବାଦୀ ପତ୍ରିକା, ‘ସମାଜ’ ଖବରକାଗଜ ପ୍ରକାଶନ ଏକ ଦର୍ଶନକୁ ଆଧାର କରି ଚାଲିଛି। ସାମ୍ବାଦିକତା ଏକ ସେବା ହେବା ଉଚିତ୍ ବୋଲି ଗାନ୍ଧିଜୀଙ୍କ ନୀତି ‘ସମାଜ’ରେ ପରିଲକ୍ଷିତ ହେଉଛି। ଗୋପବନ୍ଧୁଙ୍କ ଭଳି ଭବିଷ୍ୟଦ୍ରଷ୍ଟାଙ୍କ ନୀତି, ଆଦର୍ଶ ଆଗାମୀ ପିଢ଼ିର ଅନୁକରଣୀୟ ହେବା ଉଚିତ ବୋଲି ସେ କହିଥିଲେ। ଆଧୁନିକ ଜ୍ଞାନକୌଶଳ ଯୋଗୁଁ ସାମ୍ବାଦିକତାର ପରିଧି କିଭଳି ବଦଳିଛି ସେ ସଂପର୍କରେ ଶ୍ରୀ ହରିବଂଶ ମାର୍ଗଦର୍ଶନ କରିଥିଲେ।
ମୁଖ୍ୟବକ୍ତା ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତଥା ପ୍ରାକ୍ତନ ପ୍ରଶାସକ ଦେବଦାସ ଛୋଟରାୟ କହିଲେ, ‘ସତ୍ୟବାଦୀ’ ଉଚ୍ଚାରଣ କଲେ ମନରେ ଶିହରଣ ଆସେ। ଗୋପବନ୍ଧୁ ମନେପଡ଼ନ୍ତି। ବକୁଳ ବନ ବିଦ୍ୟାଳୟ ସ୍ମୃତିକୁ ଆସେ। ସତ୍ୟବାଦୀର ମୂଳ ଉଦ୍ଦେଶ୍ୟ ସତ୍ୟର ଉନ୍ମେଷ। ସତ୍ୟ ଯେତେ ନିଷ୍ଠୁର ହେଲେ ବି ଭୁଲିବାର ନୁହେଁ। ସତ୍ୟବାଦୀ ପତ୍ରିକା ମାଧ୍ୟମରେ ଗୋପବନ୍ଧୁଙ୍କ ବିଚାରଧାରା ବିକଶିତ ହେଉଛି ବୋଲି ଶ୍ରୀ ଛୋଟରାୟ କହିଥିଲେ। ଏହି ଅବସରରେ ପ୍ରଫେସର ନୀଳାଦ୍ରିଭୂଷଣ ହରିଚନ୍ଦନଙ୍କୁ ୨୦୨୧ ମସିହା ପାଇଁ ସତ୍ୟବାଦୀ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥିଲା। ଶ୍ରୀ ହରିଚନ୍ଦନଙ୍କୁ ଏକ ଲକ୍ଷ ଟଙ୍କାର ଦକ୍ଷିଣା ସହ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କରୋନା ସଂକ୍ରମଣ ଯୋଗୁଁ ଗତ ଦୁଇବର୍ଷ ଧରି ଅନୁଷ୍ଠିତ ହୋଇପାରି ନ ଥିବା ପୁରସ୍କାର ପ୍ରଦାନ ସମାରୋହ ଲାଗି ୨୦୨୦ ଓ ୨୦୨୧ ମସିହା ପାଇଁ ସତ୍ୟବାଦୀ ସାହିତ୍ୟ ସମ୍ମାନ ମଧ୍ୟ ଆଜି ପ୍ରଦାନ କରାଯାଇଥିଲା। ୨୦୨୦ ପାଇଁ ପ୍ରବନ୍ଧରେ ବେଣୁଧର ପାଢ଼ୀ, ଗଳ୍ପରେ ଦେବବ୍ରତ ମଦନରାୟ, କବିତାରେ ଗାୟତ୍ରୀବାଳା ପଣ୍ଡା, ରମ୍ୟରଚନାରେ ଗୋବିନ୍ଦଚନ୍ଦ୍ର ତ୍ରିପାଠୀ, ଶିଶୁ ସାହିତ୍ୟ କବିତାରେ ଦେବେନ୍ଦ୍ର ଚୌଧୁରୀ, ଶିଶୁ ସାହିତ୍ୟ ଗଳ୍ପରେ ରବୀନ୍ଦ୍ରନାଥ ମାଝୀ ଏବଂ ୨୦୨୧ ପାଇଁ ପ୍ରବନ୍ଧରେ ବ୍ରଜମୋହନ ମିଶ୍ର, ଗଳ୍ପରେ ଅର୍ଜ୍ଜୁନ ପୃଷ୍ଟି, କବିତାରେ ପିନାକୀ ମିଶ୍ର, ଶିଶୁ ସାହିତ୍ୟ କବିତାରେ ଡ. ସୁନାମଣି ରାଉତ, ଶିଶୁ ସାହିତ୍ୟ ଗଳ୍ପରେ ଦେବେନ୍ଦ୍ର କରଙ୍କୁ ୧୦ ହଜାର ଟଙ୍କା ଲେଖାଏ ଦକ୍ଷିଣା ସହ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ଅଧ୍ୟକ୍ଷ, ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ତଥା ‘ସତ୍ୟବାଦୀ’ର ସମ୍ପାଦକ ନିରଞ୍ଜନ ରଥ ଅଧ୍ୟକ୍ଷତା କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ‘ସମାଜ’ର ସମ୍ପାଦକ କାନନ ବିହାରୀ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ପ୍ରଭାସ ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସେହିପରି ସାରା ରାଜ୍ୟରୁ ଆସିଥିବା ସତ୍ୟବାଦୀ ପତ୍ରିକାରେ ନିୟମିତ ଲେଖାପ୍ରକାଶ ପାଉଥିବା ଲେଖକଲେଖିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଗୋପବନ୍ଧୁଙ୍କ ସତ୍ୟବାଦୀର ବାର୍ଷିକ ସଂଖ୍ୟା ଓ ଗୋପବନ୍ଧୁ ସାହିତ୍ୟ ମନ୍ଦିର ଦ୍ବାରା ପ୍ରକାଶିତ ୬ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଆୟୋଜିତ ବ୍ୟଙ୍ଗ ଚିତ୍ରଶିଳ୍ପୀ ଜ୍ଞାନ ରଥଙ୍କ ପ୍ରସ୍ତୁତ ବ୍ୟଙ୍ଗଚିତ୍ର ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଶ୍ରୀ ହରିବଂଶ ଉଦ୍ଘାଟନ କରିଥିଲେ।
ଜ୍ଞାନ ରଥଙ୍କ ପ୍ରସ୍ତୁତ ୩ ପ୍ରମୁଖ ଅତିଥିଙ୍କ ବ୍ୟଙ୍ଗଚିତ୍ର ସ୍ବତନ୍ତ୍ର ଉପହାର ରୂପେ ସେମାନଙ୍କୁ ପ୍ରଦାନ କରାଯାଇଥିଲା। ସୁଶ୍ରୀ ମମତା ବିଶୋୟୀ, ଲହରିକା ପଟ୍ଟନାୟକ, ପ୍ରତିମା ପାଲ ପ୍ରମୁଖ ମାନପତ୍ର ପାଠ କରିଥିଲେ। ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।



