ଶରଦ ଯାଦବଙ୍କ ଦରମା, ଭତ୍ତା ଉପରେ ସୁପ୍ରିମକୋର୍ଟଙ୍କ ଅଙ୍କୁଶ

0

ନୂଆଦିଲ୍ଲୀ : ରାଜ୍ୟସଭା ସଦସ୍ୟତା ରଦ୍ଦ ମାମଲାରେ ଜନତା ଦଳ ୟୁନାଇଟେଡ୍‍ (ଜେଡିୟୁ)ର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କୁ ଗୁରୁବାର ଶକ୍ତ ଧକ୍କା ଲାଗିଛି। ସଦସ୍ୟତା ରଦ୍ଦ ହୋଇଥିବାରୁ ତାଙ୍କୁ ଦରମା, ଭତ୍ତା ତଥା ବିମାନ ଓ ରେଳ ଟିକଟ୍‍ ଭଳି ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ ଉପରେ ସୁପ୍ରିମକୋର୍ଟ ଅଙ୍କୁଶ ଲଗାଇଛନ୍ତି। ଦିଲ୍ଲୀ ହାଇକୋର୍ଟରେ ଏ ସମ୍ପର୍କିତ ଆବେଦନର ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ ଏହି ନିର୍ଦେଶ ବଳବତ୍ତର ରହିବ ବୋଲି ବିଚାରପତି ଆଦର୍ଶ କୁମାର ଗୋଏଲ ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ପୀଠ ରାୟ ଦେଇଛନ୍ତି। ଏଥିସହ ଶୀଘ୍ର ଉକ୍ତ ଆବେଦନ ଉପରେ ଶୁଣାଣି ଶେଷ କରିବାକୁ ପୀଠ ହାଇକୋର୍ଟଙ୍କ ନିର୍ଦେଶ ଦେଇଛନ୍ତି।
ଅନ୍ୟପଟେ ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନ ଖାଲି କରିବା ପ୍ରସଙ୍ଗରେ ଯାଦବଙ୍କୁ ଆଶ୍ୱସ୍ତି ମିଳିଛି। ଜୁଲାଇ ୧୨ରେ ଏହି ସଦସ୍ୟତା ରଦ୍ଦ ସମ୍ବନ୍ଧୀୟ ବିବାଦର ସମାଧାନ ହେବା ପର୍ଯ୍ୟନ୍ତ ଯାଦବ ସରକାରୀ ବାସଭବନରେ ରହିପାରିବେ ବୋଲି ପୀଠ କହିଛନ୍ତି। ୨୦୧୭ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟ ଯାଦବଙ୍କ ସଦସ୍ୟତା ରଦ୍ଦ ଉପରେ ରହିତାଦେଶ ଲାଗୁ କରିବାକୁ ମନା କରିଥିଲେ ମଧ୍ୟ ସେ ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ରହିପାରିବେ ବୋଲି ହାଇକୋର୍ଟ ନିର୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦେଶ ବିରୋଧରେ ଜେଡିୟୁ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ପ୍ରସାଦ ସିଂହ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟଙ୍କ ପୀଠ ଏହି ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ନିର୍ଦେଶରେ ସାମୟିକ ପରିବର୍ତ୍ତନ ପୂର୍ବକ ଉପରୋକ୍ତ ରାୟ ଦେଇଛନ୍ତି। ଉଲ୍ଲେଖ ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୧୭ ଜୁଲାଇରେ କଂଗ୍ରେସ ସହ ମେଣ୍ଟ ତୁଟାଇ ବିଜେପି ସହିତ ହାତ ମିଳାଇବା ପ୍ରତିବାଦରେ ଜେଡିୟୁର ଦୁଇ ନେତା ଯାଦବ ଏବଂ ଅଲ୍ଲୀ ଅନୱର ଦଳର ସଦସ୍ୟତା ତ୍ୟାଗ କରିଥିଲେ। ଫଳରେ ଜେଡିୟୁର ଆବେଦନ କ୍ରମେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଉଭୟ ବିଦ୍ରୋହୀ ନେତାଙ୍କ ସଦସ୍ୟତା ରଦ୍ଦ କରିଥିଲେ।

Leave A Reply