www.samajalive.in
Monday, December 15, 2025
14.1 C
Bhubaneswar

ମିତ୍ରଭାନୁ ଗୌନ୍ତିଆଙ୍କୁ ‘ପଦ୍ମଶ୍ରୀ’, ‘ସମ୍ବଲପୁରୀ ଭାଷା ସାହିତ୍ୟକୁ ସ୍ବୀକୃତି’

ସମ୍ବଲପୁର/କୁଚିଣ୍ଡା: ବିଶ୍ବପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ରଚୟିତା ବିଶିଷ୍ଟ ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ ସୋମବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରିଛନ୍ତି। ୨୦୨୦ ମସିହା ପାଇଁ ଏହି ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାର ପାଇବାକୁ ସେ ମନୋନୀତ ହୋଇଥିଲେ। ପୁରସ୍କାର ପାଇବା ପରେ ଶ୍ରୀ ଗୌନ୍ତିଆ ତାଙ୍କ ପ୍ରତିକ୍ରିୟା କହିଛନ୍ତି ଯେ, ପଦ୍ମ ପୁରସ୍କାର ପାଇ ବହୁତ ଖୁସି ଲାଗୁଛି। ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲାର କୁଚିଣ୍ଡା ଉପଖଣ୍ଡର ପ୍ରଥମ, ପୂର୍ବତନ ବାମଣ୍ଡା ଗଡ଼ଜାତର ବି ପ୍ରଥମ, ଏଥିପାଇଁ ଉପଖଣ୍ଡର ସମସ୍ତେ ଖୁସି। ସମସ୍ତଙ୍କ ସ୍ନେହ ଓ ଶ୍ରଦ୍ଧା ନେଇ ଆଗକୁ ବଢ଼ିଛି। କୁଚିଣ୍ଡା ମାଟିର ମହକରେ ସମ୍ବଲପୁରୀ ସାହିତ୍ୟ ସାଧନା ଯୋଗୁଁ ଏହା ସମ୍ଭବପର ହେଲା।

୧୯୬୦ ମସିହାରେ ଯେତେବେଳେ ଭାଷା ପରିଷଦରେ ପ୍ରବେଶ କଲି ସେତେବେଳେ ସମ୍ବଲପୁରୀକୁ ଆଦିବାସୀ ଭାଷା ବୋଲି ଘୃଣା କରୁଥିଲେ। ସେତେବେଳେ ରସରକେଲି, ମାଇଲାଜଡ଼ ଆଦି ଅନ୍ୟ ବର୍ଗର ଲୋକେ ଗାଉ ନଥିଲେ। କୁଚିଣ୍ଡାରେ ଦଶମ ଶ୍ରେଣୀରେ ପଢ଼ିବା ସମୟରେ ସୀମିତ ସଂଖ୍ୟକ ଝିଅ ପଢ଼ୁଥିଲେ। ଷଷ୍ଠରୁ ଏକାଦଶ ପର୍ଯ୍ୟନ୍ତ ମାତ୍ର ୧୨ରୁ ୧୪ ଜଣ ଝିଅ ଥିଲେ। ଆଦିବାସୀ ଅନାର୍ଯ୍ୟ ମାନଙ୍କ ନାଚ କଣ ନାଚିବ ବୋଲି କହୁଥିଲେ। ସେତେବେଳେ ମା’ ମାଟିର ଭାଷାକୁ କିଭଳି ଆଗକୁ ନେବି ବୋଲି ମୋ ମନରେ ଏକ ଇଚ୍ଛା ଆସିଲା। ମା’ ସମଲେଇକୁ କହୁଥିଲି ତୋର ଭାଷାକୁ କିପରି ବଞ୍ଚେଇବା ତାହା ତୁ ହିଁ କର। ରଙ୍ଗବତୀ ଗୀତ ମା’ ସମଲେଇଙ୍କ ପ୍ରତୀକ ରୂପେ ମୋ କଲମରୁ ଝରାଇଦେଲେ। ଏହି ଗୀତ କେବଳ ବିଶ୍ବକୁ ଚାଲିଗଲା, ଅନ୍ୟ ଗୀତ ଗୁଡ଼ିକ ବି ଆଦର ପାଇଛି। ସମ୍ବଲପୁରୀ ଭାଷା ସାହିତ୍ୟକୁ ସ୍ବୀକୃତି ମିଳିଲା, କିନ୍ତୁ କେବଳ ସମ୍ବିଧାନରେ ଅନ୍ତର୍ଭୁକ୍ତ ହେବା ବାକି ରହିଛି ବୋଲି ଶ୍ରୀ ଗୌନ୍ତିଆ କହିଛନ୍ତି।
୧୯୪୨ ମସିହାରେ ଜନ୍ମିତ ଶ୍ରୀ ଗୌନ୍ତିଆଙ୍କୁ ସମ୍ମାନ ଜଣାଇ ଦୁଇବର୍ଷ ତଳେ ସରକାର ଅଧ୍ୟାଦେଶ ବଳରେ କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ଜରାବଗା ପଞ୍ଚାୟତରେ ଥିବା ତାଙ୍କ ଗାଁର ନାମକୁ ‘ବିଲୁଙ୍ଗ’ରୁ ବଦଳେଇ ‘ରଙ୍ଗବତୀ ବିଲୁଙ୍ଗ’କୁ ପରିବର୍ତ୍ତନ କରିଥିଲେ। ସେହି ଗାଁରେ ଆଜି ଖୁସିର ଲହରୀ ଖେଳିଯାଇଛି। ପଦ୍ମଶ୍ରୀରେ ସମ୍ବର୍ଦ୍ଧିତ ହେବାପରେ କୁଚିଣ୍ଡାରେ ମଧ୍ୟ ଅଭିନନ୍ଦନର ସୁଅ ଛୁଟିଛି। ସମ୍ବଲପୁରୀ ଭାଷାକୁ ନୂଆ ଦିଗ ଦେବାରେ ତାଙ୍କର କୃତୀ ଅନନ୍ୟ ବୋଲି ତାଙ୍କ ସମର୍ଥକ ମହଲରେ ପ୍ରଶଂସା କରାଯାଇଛି। ଆଦିବାସୀ ଓ ପଛୁଆ ଅଞ୍ଚଳରେ ରହି ଏହି ସ୍ୱତନ୍ତ୍ର ପ୍ରତିଭାର ଅଧିକାରୀ ମିତ୍ରଭାନୁ ଗୌନ୍ତିଆଙ୍କ ମାନ୍ୟତା କୁଚିଣ୍ଡା ମାଟି ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ବିଶିଷ୍ଟ କଳାକାର ସୁରଥ ଚନ୍ଦ୍ର ନାଏକ, ସଂସ୍କୃତି ସଂଗଠକ ମଳୟ ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି। କୁଚିଣ୍ଡା ବିଧାୟକ, ପୂର୍ବତନ ବିଧାୟକ, ରାଜନୈତିକ ଦଳର ନେତା, ପ୍ରଶାସନିକ ଅଧିକାରୀ ତଥା ବିଭିନ୍ନ ସାମାଜିକ ସଙ୍ଗଠନର କାର୍ଯ୍ୟକର୍ତ୍ତା ଶ୍ରୀ ଗୌନ୍ତିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories