ବରେଇପାଲି ଓ ସଦର ଥାନାଞ୍ଚଳରୁ ହଟିଲା କର୍ଫ୍ୟୁ
ସମ୍ବଲପୁର: ସମ୍ବଲପୁରରେ ବିଗତ ୧୨ ଓ ୧୪ ତାରିଖରେ ହନୁମାନ ଜୟନ୍ତୀ ଉତ୍ସବ ସମୟରେ ହୋଇଥିବା ହିଂସାକାଣ୍ଡ ଓ ସାମ୍ପ୍ରଦାୟିକ ଅଶାନ୍ତିକୁ ଧ୍ୟାନରେ ରଖି ୧୪ – ୧୫ ତାରିଖ ମଧ୍ୟ ରାତ୍ରିରୁ ଜିଲା ପ୍ରଶାସନ ତରଫରୁ ସହରର ୬ଟି ଥାନାଞ୍ଚଳ ଟାଉନ, ଧନୁପାଲି, ଅଇଁଠାପାଲି, କ୍ଷେତରାଜପୁର, ବରେଇପାଲି ଓ ସଦର ଥାନାଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା। ଏବେ ସହରର ସ୍ଥିତି ସୁଧୁରୁଥିବାରୁ କ୍ରମାଗତ ଭାବରେ କର୍ଫ୍ୟୁ ସମୟରେ କୋହଳ ଅବଧିକୁ ବୃଦ୍ଧି କରାଯାଉଛି। ଏହି କ୍ରମରେ କର୍ଫ୍ୟୁ ଲାଗିବାର ୧୦ ଦିନ ପରେ ୨୫ ତାରିଖ ରାତ୍ରିରେ ସଦର ଉପ ଜିଲାପାଳ ପ୍ରଭାସ ଦଣ୍ଡସନା ତାଙ୍କର ଚିଠି ସଂଖ୍ୟା ୧୦୮/ତା. ୨୫.୦୪.୨୦୨୩ ଅନୁଯାୟୀ ବରେଇପାଲି ଓ ସଦର ଥାନାଞ୍ଚଳରୁ କର୍ଫ୍ୟୁ ଓ ଅନ୍ୟାନ୍ୟ କଟକଣା ଗୁଡିକୁ ହଟାଇ ଦେଇଛନ୍ତି। ଫଳରେ ଏହି ଥାନାଞ୍ଚଳ ଦ୍ୱୟରେ ମଙ୍ଗଳବାର ରାତ୍ରିରୁ କର୍ଫ୍ୟୁ ସମ୍ପୁର୍ଣ୍ଣ ହଟି ଯାଇଥିବାର ଉପ ଜିଲାପାଳ ସୂଚନା ଦେଇଛନ୍ତି। ଫଳରେ ଏବେ ସହରରେ ଥିବା ଟାଉନ, କ୍ଷେତରାଜପୁର, ଧନୁପାଲି ଓ ଅଇଁଠାପାଲି ଅଞ୍ଚଳରେ କର୍ଫ୍ୟୁ ପୂର୍ବବତ ବଳବତ୍ତର ରହିଛି। ମଙ୍ଗଳବାର ଠାରୁ କର୍ଫ୍ୟୁରେ ସକାଳ ୫ଟାରୁ ରାତ୍ରି ୧୦ଟା ପର୍ଯ୍ୟନ୍ତ କୋହଳ କରାଯାଇଛି। ପ୍ରଶାସନ ଯେଭଳି ଭାବରେ ନିଷ୍ପତ୍ତି ନେଉଛି, ତାହା ସହରରେ ପୂର୍ବ ସ୍ୱାଭାବିକ ଅବସ୍ଥା ଫେରି ଆସୁଥିବାର ସୂଚନା ମିଳୁଛି।
Comments are closed.