ମେଡିକାଲ କଲେଜରେ ନିଯୁକ୍ତି ନାଁରେ ଠକେଇ ମାମଲା: ୫ ଗିରଫ, ୫୦ଜଣଙ୍କଠୁ ୩୦ଲକ୍ଷ ଆଦାୟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନିଯୁକ୍ତି ନାଁରେ ଠକେଇ ମାମଲାର ପୁଲିସ ପର୍ଦ୍ଦାଫାଶ କରିବା ସହ ପ୍ରଥମ ପର୍ଯ୍ୟାୟରେ ୫ଜଣଙ୍କୁ ଗିରଫ କରିଥିବାର ଜଣାପଡ଼ିଛି । ଗିରଫ ୫ଜଣଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଟାଉନ ପୁଲିସ ସୂଚନା ଦେଇଥିବା ବେଳେ ଏଥିରେ ଅଧିକ ଲୋକଙ୍କ ସଂପୃକ୍ତି ରହିଥିବା ବେଳେ ପ୍ରାୟ ୫୦ଜଣ ଯୁବକ/ଯୁବତୀଙ୍କଠାରୁ ଏଯାଏ ୩୦ଲକ୍ଷ ଟଙ୍କା ଆଦାୟ କରିଥିବାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମିଳିଥିବା ସୂତ୍ରରୁ ପ୍ରକାଶ, ସୁନ୍ଦରଗଡ଼ରେ ମେଡିକାଲ କଲେଜ ଓ ହସ୍ପିଟାଲ ଆରମ୍ଭ ହୋଇଯିବା ପରେ ଠକ ଦଳ ଏକ ପ୍ରକାର ସକ୍ରିୟ ହୋଇ ଗାଁ ଗହଲିରେ ଥିବା ଶିକ୍ଷିତ ବେକାରୀଙ୍କୁ ଠକିବା ଉଦ୍ଦେଶ୍ୟରେ ଏକ ଯୋଜନା ପ୍ରସ୍ତୁତ କରି ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ନକଲି ଷ୍ଟାମ୍ପ, ଦସ୍ତଖତ, ଓଡ଼ିଶା ସରକାରଙ୍କ ଲଗୋ ଆଦି ବ୍ୟବହାର କରି ଯୁବକ/ଯୁବତୀଙ୍କୁ ଏକ ପ୍ରକାର ବିଶ୍ବାସ ଜନ୍ମାଇଥିଲେ ।

prayash

ଏକ ନିର୍ଦ୍ଧିଷ୍ଟ ନମ୍ବରରୁ ଯୁବକ/ଯୁବତୀଙ୍କୁ ଫୋନ କରାଯାଇ ନିଯୁକ୍ତି ପତ୍ର ଓ ଫର୍ମ ଦାଖଲ କରିଥିବାର ରସିଦ ମଧ୍ୟ ଏହି ଠକ ଦଳ ଦେଇଆସୁଥିଲେ । ସଦର ଥାନା ଅନ୍ତର୍ଗତ ବନ୍ଦପାଲିର ଜୟନ୍ତ ଚାନ୍ଦଙ୍କଠାରୁ ଏହି ଦଳ ନିଯୁକ୍ତି ନାମରେ ୪୦ହଜାର ଓ ତାଙ୍କ ଭଉଣୀଠାରୁ ୮୦ହଜାର ଟଙ୍କା ଠକି ନେଇ ଏମାନଙ୍କୁ ଧରାଛୁଆଁ ଦେଉନଥିଲେ । ଏପରିକି ହସ୍ପିଟାଲର ନାମ କହି ଏମାନେ ଯେଉଁ ନିଯୁକ୍ତି ପତ୍ର ବା କାଗଜପତ୍ର ଦେଉଥିଲେ ତାହା ଜାଲ ବୋଲି ଜାଣି ପାରି ଜୟନ୍ତ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ସମେତ ଅନ୍ୟାନ୍ୟ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ପ୍ରର୍ଯ୍ୟାୟକ୍ରମେ ଗିରଫ ହୋଇଥିବା ୫ଜଣ ସୁଶାନ୍ତ ମାଝୀ, ଚୈତନ୍ୟ ତନ୍ତୀ, ଆଶିଷ ନାଏକ, ସୋମନାଥ ପୃଷେଠ, ମଦନ ଗର୍ଡ଼ିଆ ପ୍ରମୁଖ ପରସ୍ପରକୁ ଭଲ ଭାବେ ଜାଣିଥିବା ବେଳେ ପୂର୍ବରୁ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ରହିଥିବାରୁ କାଗଜପତ୍ର ସଂପର୍କରେ ଏମାନଙ୍କ କିଛି ଅଭିଜ୍ଞତା ମଧ୍ୟ ରହିଥିଲା ଓ ଏମାନଙ୍କ ମଧ୍ୟରୁ ଦୁଇଜଣ କିଛି ବର୍ଷ ପୂର୍ବରୁ ଜୈନିକ ଲୋକପ୍ରତିନିଧିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିବାରୁ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ସହ ଚିହ୍ନା ପରିଚିତ ମଧ୍ୟ ହୋଇଥିଲା ।

ଏ ଘଟଣା ଘଟିବା ପରେ ବିଜେଡି ଓ କଂଗ୍ରେସ ପକ୍ଷରୁ ଠକେଇରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲାପାଳ ଓ ଏସ.ପିଙ୍କୁ ସ୍ମାରକ ପତ୍ର ଦିଆଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ମଧ୍ୟ ଦାବି କରାଯାଇଥିଲା । ଏସ.ପିଙ୍କ ନିର୍ଦେଶକ୍ରମେ ଟାଉନ ପୁଲିସ ଅତ୍ୟନ୍ତ ସତର୍କତାର ସହ ଏ ଘଟଣାର ତଦନ୍ତ କରି ୫ଜଣଙ୍କୁ ଗିରଫ କରିଥିବା ବେଳେ ଏହି ଘଟଣା ସହ ଆହୁରି ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବାର ପୁଲିସ ନିଜ ତଦନ୍ତରୁ ଜାଣିପାରିଥିଲେ ହିଁ ତଦନ୍ତରେ ବ୍ୟାଘାତ ହେବା ଦୃଷ୍ଟିରୁ ଅଧିକ କିଛି କହିବାକୁ ଉଚିତ ମଣି ନଥିବା ବେଳେ ଗିରଫ ୫ଜଣଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।

kalyan agarbati

Comments are closed.