ଝାଡୁଆପଡା ଠାରେ ମହିଳାଙ୍କ ଠାରୁ ସୁନା ମାଳି ଲୁଟ

ସମ୍ବଲପୁର: ସମ୍ବଲପୁର ସହରରେ ପୁଲିସ ଅପରାଧିଙ୍କ ଉପରେ ଲଗାମ ରହୁ ନ ଥିବାରୁ ଦିନକୁ ଦିନ ବିଭିନ୍ନ ଅପରାଧିକ ଗତିବିଧି ବଢ଼ି ବଢ଼ି ଚାଲିଛି। ପୁଲିସ ନିଜର ଦକ୍ଷତା ପ୍ରତିପାଦନ କରିବା ଅପେକ୍ଷା ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାରେ ପ୍ରାଧାନ୍ୟ ଦେଉଥିବାର ପରିଲକ୍ଷିତ ହେଉଛି। ଏଣୁ ଦିନକୁ ଦିନ ସମ୍ବଲପୁର ସହରରେ ଲୁଟ ମାମଲା ଗୁଡିକରେ ଅହେତୁକ ବୃଦ୍ଧି ପରିଲକ୍ଷିତ ହେଉଛି। ଏଭଳି ଏକ ଘଟଣାରେ ବ୍ୟସ୍ତବହୁଳ ତଥା ପୁରୁଣା ବସ୍ତି ଝାଡୁଆପଡା ଠାରେ ରିଂ ରୋଡରେ ସନ୍ଧ୍ୟା ସମୟରେ ଜଣେ ମହିଳାଙ୍କ ଠାରୁ ଏକ ମୂଲ୍ୟବାନ ସୁନା ମାଳି ଲୁଟ ହୋଇଯାଇଛି। ନନ୍ଦପଡା ନିବାସୀ କଲ୍ୟାଣୀ ନନ୍ଦ ଓ ତାଙ୍କର ସାଙ୍ଗ ସନ୍ଧ୍ୟା ସମୟରେ କୌଣସି ଏକ କାମରେ ରିଂ ରୋଡରେ ଚାଲି ଚାଲି ଯାଉଥିବା ବେଳେ ଝାଡୁଆପଡା ଠାରେ ଜଣେ ପରିଚିତଙ୍କ ସହିତ ଦେଖା ହେବାରୁ ରାସ୍ତା କଡରେ ଠିଆ ହୋଇ କଥାବାର୍ତ୍ତା ହେଉଥିଲେ। ସେହି ସମୟରେ ବାଲିବନ୍ଧା ପଟରୁ ଏକ ମୋଟର ସାଇକେଲରେ ଦୁଇ ଜଣ ଯୁବକ ଆସି କଲ୍ୟାଣୀ ପିନ୍ଧିଥିବା ୧୦ ଗ୍ରାମରୁ ଉର୍ଦ୍ଧ ଓଜନର ସୁନା ମାଳି ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହେବ, ଲୁଟ କରି ନେଇ ଦ୍ରୁତଗତିରେ ଜିଲାପାଳଙ୍କ କାର୍ଯ୍ୟାଳୟ ପାର୍ଶ୍ବ ରାସ୍ତା ଦେଇ ଫେରାର ହୋଇ ଯାଇଥିଲେ। ସନ୍ଧ୍ୟା ସମୟ ହୋଇଥିବାରୁ ଯୁବକ ଦ୍ୱୟଙ୍କୁ ପିଡିତା ଚିହ୍ନି ପାରି ନ ଥିବା ବେଳେ ପାଟି କରିବାରୁ କିଛି ଲୋକେ ଲୁଟେରା ମାନଙ୍କୁ ଗୋଡାଇ ଥିଲେ। ତେବେ ଲୁଟିଆ ମାନେ ଫେରାର ହେବାରେ ସଫଳ ହୋଇଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ଟାଉନ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବାର ଜଣାପଡିଛି ଏବଂ ପୁଲିସ ଅଭିଯୋଗ ପତ୍ରକୁ ଅପେକ୍ଷା କରି ହାତ ବାନ୍ଧି ବସି ରହିଛି।

kalyan agarbati

Comments are closed.