ପାହାଡଶ୍ରୀଗିଡା ବୀରତା ଦିବସ ପାଳିତ
ସମ୍ବଲପୁର: ପାହାଡଶ୍ରୀଗିଡା ଜମିଦାର ଜନାର୍ଦ୍ଦନ ସିଂ ଙ୍କ ନେତୃତ୍ୱରେ ସଂଗ୍ରାମୀ ମାନେ ବ୍ରିଟିଶ ସେନାକୁ ଶୋଚନୀୟ ଭାବରେ ପରାଜିତ କରିବା ସହିତ କ୍ୟାପଟେନ ଉଡବ୍ରିଜ ଙ୍କୁ ହତ୍ୟା କରିଥିଲେ। କିନ୍ତୁ ଜନାର୍ଦ୍ଦନ ସିଂ ଯେତିକି ପ୍ରଚାର ପ୍ରସାର ଓ ସମ୍ମାନ ପାଇବା କଥା ତାହା ହୋଇ ନ ଥିବା ଦୁଃଖର ବିଷୟ ଅଟେ। ତେବେ ସମ୍ମଳୀତ ଉଦ୍ୟମରେ ଜନାର୍ଦ୍ଦନ ସିଂ ଓ ପାହାଡଶ୍ରୀଗିଡାକୁ ଯଥାର୍ଥ ମର୍ଯ୍ୟାଦା ଦିଆଯାଇ ପାରିବ ବୋଲି ପାହାଡଶ୍ରୀଗିଡା ବୀରତା ଦିବସ ଅବସରରେ ବକ୍ତା ମାନେ ମତ ପ୍ରକାଶ କରିଛନ୍ତି। ଶନିବାର ବୀରତା ଦିବସ ପାଳନ ଅବସରରେ ଅତାବିରା ବିଧାୟିକା ସ୍ନେହାଙ୍ଗୀନୀ ଛୁରିଆ ଯୋଗ ଦେଇ ପାହାଶ୍ରୀଗିଡାରେ ଜନାର୍ଦ୍ଦନ ସିଂ ଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତି ଓ ଅତାବିରା ଠାରେ ତାଙ୍କର ପୂର୍ଣ୍ଣାବୟ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି।
ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ଜନାର୍ଦ୍ଦନ ସିଂଙ୍କ ବୀରତ୍ୱର ପରାକାଷ୍ଟା, ପାହାଡଶ୍ରୀଗିଡାର ଉତ୍ତର ପୁରୁଷଙ୍କ ଉପରେ ପଡୁ ଏବଂ ଗ୍ରାମର ପ୍ରତିଷ୍ଠା ଓ ସୁନାମ ବୃଦ୍ଧି ହେଉ ବୋଲି ମୁଖ୍ୟ ଅତିଥି ଛୁରିଆ କହିଥିଲେ। ମୁଖ୍ୟବକ୍ତା ରୂପେ ଐତିହାସିକ ଦୀପକ କୁମାର ପଣ୍ଡା ଯୋଗ ଦେଇ ପାହାଡଶ୍ରୀଗିଡାର ସଂଗ୍ରାମୀଙ୍କ ବିଜୟ, ବ୍ରିଟିଶ ସେନାର ପରାଜୟ ଏବଂ ଉଡବ୍ରିଜଙ୍କ ହତ୍ୟା ସମଗ୍ର ଭାରତବର୍ଷରେ ବ୍ରିଟିଶ ବିରୋଧି ସଂଗ୍ରାମର ଏକ ମହତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି କହି ପୃଷ୍ଠଭୂମି ଓ ଘଟଣାର ବିସ୍ତୃତ ଆଲୋଚନା କରିଥିଲେ। ସାମ୍ବାଦିକ ମୁରଲୀଧର ସେଠୀ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ସଂଗ୍ରାମୀମାନଙ୍କର ତ୍ୟାଗ ଓ ବଳିଦାନ ବିଷୟରେ ଉଲ୍ଲେଖ୍ୟ କରିଥିଲେ। ପାହାଡଶ୍ରୀଗିଡାରେ ୧୮୫୮ ଫେବୃଆରୀ ୧୨ ତାରିଖର ଘଟଣା ଏକ ବିଶେଷ ଐତିହାସିକ ଦିବସ ବୋଲି ସେଠୀ କହିଥିଲେ। ସତ୍ୟବାନ ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଜନାର୍ଦ୍ଦନ ସିଂ ସ୍ମୃତି କମିଟୀର ସଭାପତି ମୋହନ ସିଂ ଅଧ୍ୟକ୍ଷତା ଓ ସମ୍ପାଦକ ଅରୁଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମ ପୂର୍ବରୁ ପାହାଡଶ୍ରୀଗିଡା ଯୁଦ୍ଧସ୍ଥଳୀ ଓ ଉଡବ୍ରିଜ ଙ୍କୁ କରାଯାଇଥିବା ହତ୍ୟାସ୍ଥଳୀ ମୋର୍ଚ୍ଚା ବନ୍ଧ ଠାରେ ବିଭିନ୍ନ ଗ୍ରାମ ଓ ବନ ଦେବୀ ସମୁହଙ୍କୁ ପୂଜା କରାଯାଇ ମଶାଲ ପ୍ରଜ୍ୱଳିତ କରାଯାଇ ଗ୍ରାମକୁ ଅଣାଯାଇଥିଲା। ଏହି ଅବସରରେ ଐତିହାସିକ ଦୀପକ ପଣ୍ଡା, ରାଜାରାମ ନାୟକ, ସୁଜିତ ସାହୁ, ଭୋଲାନାଥ ବାରିକ, ଗ୍ରାମବାସୀ, ବନ ବିଭାଗର କର୍ମଚାରୀ ଓ ପୂଜକ ୮ କିଲୋମିଟର ଜଙ୍ଗଲ ରାସ୍ତାରେ ଚାଲି ଚାଲି ପ୍ରାୟ ୧୩୬୦ ଫୁଟ ଉଚ୍ଚକୁ ପର୍ବତାରୋହଣ କରିଥିଲେ। ମୋର୍ଚ୍ଚା ବନ୍ଧ ଠାରୁ ମଶାଲ ଓ ଶସ୍ତ୍ର ଶୋଭାଯାତ୍ରା ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରାଯାଇଥିଲା।
Comments are closed.