ସମ୍ବଲପୁର ଜିଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା, ୪ ଆହତ
ସମ୍ବଲପୁର: ସମ୍ବଲପୁର ଜିଲା ଅନ୍ତର୍ଗତ ଟାମ୍ପରଗଡ଼ ନିକଟରେ ସଡକ ଦୁର୍ଘଟଣାରେ ୨ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ପ୍ରାପ୍ତସୂଚନାନୂଯାୟୀ, ଗୁରୁବାର ଦିନ ସମୟରେ ଟାମ୍ପରଗଡ଼ ଅଞ୍ଚଳରେ ୨ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଆରୋହୀ ଆହତ ହୋଇଛନ୍ତି। ଜଣେ ବ୍ୟକ୍ତିଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଜଣକର ଦେହର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ଉଭୟ ଆହତଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇଛନ୍ତି।
ବାଇକ ଧକ୍କାରେ ସାଇକେଲ ଆରୋହୀ ଆହତ
ସମ୍ବଲପୁରର ଉପକଣ୍ଠସ୍ଥ ମାଝିପାଲି ଅଞ୍ଚଳରେ ଜଣେ ସାଇକେଲ ଆରୋହୀଙ୍କୁ ଏକ ବାଇକ ଧକ୍କା ଦେବାରୁ ସେ ଆହତ ହୋଇଛନ୍ତି। ପ୍ରାପ୍ତସୂଚନାନୁଯାୟୀ, ଗୁରୁବାର ମାଝିପାଲିକୁ ଅଇଁଠାପାଲି ପଟରୁ ଯାଉଥିବା ଜଣେ ସାଇକେଲ ଆରୋହୀ ମଙ୍ଗଳୁ ଦୀପଙ୍କୁ ମାଝିପାଲି ନିକଟରେ ଏକ ଅଜଣା ବାଇକ ଆରୋହୀ ଧକ୍କା ଦେଇଥିଲା। ଧକ୍କା ଦେବା ପରେ ବାଇକ ଆରୋହତୀ ଫେରାର ମାରିଥିବା ବେଳେ ସଡକ ଉପରେ କଚାଡି ହୋଇ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ପ୍ରାଥମିକ ଯାଞ୍ଚରେ ଆହତ ମଙ୍ଗଳୁଙ୍କ ଏକ ହାତ ଭାଙ୍ଗିଥିବାର ଜଣାପଡ଼ିଥିଲା। ଏଣୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।
ମାଲବାହୀ ରେଳଗାଡି ଧକ୍କାରେ ବୃଦ୍ଧା ଆହତ
ସମ୍ବଲପୁର ଜିଆରପି ଥାନା ଅନ୍ତର୍ଗତ ଶୀତଲେନପାଲି ଗ୍ରାମ ଦେଇ ଯାଇଥିବା ରେଳ ଧାରଣା ଠାରେ ଏକ ମାଲବାହୀ ରେଳଗାଡିର ଧକ୍କାରେ ଜଣେ ବୃଦ୍ଧା ଆହତ ହୋଇଛନ୍ତି। ପ୍ରାପ୍ତସୂଚନାନୁଯାୟୀ, ଦିନ ପ୍ରାୟ ୧ଟା ୩୦ରେ ଶୀତଲେନପାଲି ଗ୍ରାମ ଦେଇ ଯାଇଥିବା ରେଳ ଧାରଣା ପାରି ହେଉଥିବା ସମୟରେ ବୃଦ୍ଧାଙ୍କୁ ଏହି ମାଲଗାଡି ଧକ୍କା ଦେଇଥିଲା। ଫଲରେ ସେହି ସ୍ଥାନ ନିକଟରେ କାର୍ଯ୍ୟରତ ଗେଟମ୍ୟାନ ମାନେଶ୍ୱର ଷ୍ଟେସନକୁ ଫୋନ ଯୋଗେ ଖବର ଦେବା ପରେ ମାନେଶ୍ୱର ଷ୍ଟେସନ ମାଷ୍ଟର ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଫଳରେ ତୁରନ୍ତ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ଆସି ବୃଦ୍ଧାଙ୍କୁ ଉଦ୍ଧାର କରି ଜିଲା ମୁୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲା। ଅପରପକ୍ଷରେ ଆହତ ବୃଦ୍ଧାଙ୍କ ପରିଚୟ ଜଣା ପଡ଼ି ନ ଥିବାରୁ ତାହା ଜିଆରପି ଖୋଜୁଥିବାର ଜଣାପଡ଼ିଛି।
Comments are closed.