ବେଆଇନ କରତ କଳ ଉପରେ ବନ ବିଭାଗର ଚଢ଼ଉ : ଲକ୍ଷାଧିକ ଟଙ୍କାର କାଠ ଓ ସାମଗ୍ରୀ ଜବତ

ସମ୍ବଲପୁର : ସମ୍ବଲପୁର ସହରର କେନ୍ଦ୍ରସ୍ଥଳୀ ଚେରୁଆପଡା ଠାରେ ଚାଲିଥିବା ଦୁଇଟି ବେଆଇନ କରତ କଳ ଉପରେ ବନ ବିଭାଗ ତରଫରୁ ଶନିବାର ଚଢ଼ଉ କରାଯାଇ ଲକ୍ଷାଧିକ ଟଙ୍କାର କାଠ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଚେରୁଆପଡା ମଧ୍ୟରେ ଏକ ସରକାରୀ ଜମି ଉପରେ ବେଆଇନ ଭାବରେ ଜବରଦଖଲ କରି ବହୁ ବର୍ଷ ହେବ ଏହି କରତ କଳ ଚାଲିଥିଲା। ତେବେ ଶନିବାର ଦିନ ଅଚାନକ ବନ ବିଭାଗ ତରଫରୁ ଏହି କରତ ଗୁଡିକ ଉପରେ ଚଢ଼ଉ କରାଯାଇଥିଲା। ବନ ବିଭାଗର ଚଢ଼ଉରେ ୭୫ଟି କାଠ ଗଣ୍ଡି, ୧୦ ସେନ୍ଟିମିଟର ମୋଟାର ୫୦ଟି କାଠ କବାଟ ସମେତ ଅନ୍ୟାନ୍ୟ ପ୍ରକାର ପଟା ଓ କାଠ କଟା ଯନ୍ତ୍ରାଂଶ ଗୁଡିକ ମିଳିଛି। ମିଳିଥିବା କାଠ ଗୁଡିକ ୩ ଶହ ଘନଫୁଟରୁ ଉର୍ଦ୍ଧ ଥିବା ବେଳେ ସେଗୁଡିକର ଆନୁମାନିକ ମୂଲ୍ୟ ୬ ଲକ୍ଷରୁ ଉର୍ଦ୍ଧ ଏବଂ ମିଳିଥିବା ଯନ୍ତ୍ରାଂଶ ଗୁଡିକ ଲକ୍ଷାଧିକ ମୂଲ୍ୟର ହେବ ବୋଲି ବନ ବିଭାଗ କହିଛି। ଜବତ ହୋଇଥିବା କାଠ ମାନଙ୍କ ମଧ୍ୟରେ ଅତି ଉତ୍ତମ କ୍ୱାଲିଟିର ଶାଳ, ବିଜା, ଶାଗୁଆନ କାଠ ରହିଛି। ଏହି କରତ କଳ ମାନଙ୍କ ମଧ୍ୟରୁ ଗୋଟିଏ କରତ କଳର ମାଲିକ ନରୋତ୍ତମ ସାହୁ ବୋଲି ଜଣା ପଡିଥିବା ବେଳେ ଅନ୍ୟ କଳର ମାଲିକ ସମ୍ବନ୍ଧରେ ତଦନ୍ତ ଚାଲିଥିବାର ବନ ଅଧିକାରୀ ଡ. ସଞ୍ଜିତ କୁମାର କହିଛନ୍ତି। ଏହି କଳ ଗୁଡିକରେ ୩ ଫେଜ ବିଦ୍ୟୁତ ଲାଇନ ଲାଗିଥିବାରୁ କଳର ମାଲିକ ମାନଙ୍କର ପରିଚୟ ଜାଣିବା ଓ ପୃଷ୍ଟି କରିବା ପାଇଁ ୱେସ୍କୋକୁ ଚିଠି କରାଯାଇଛି ବୋଲି ଅଧିକାରୀ ସଞ୍ଜିତ କହିଛନ୍ତି। ଏ ସର୍ମ୍ପକରେ ବନ ବିଭାଗ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ସମସ୍ତ ବସ୍ତୁଗଡିକୁ ଜବତ କରାଯାଇଛି। ଏହି ଚଢ଼ଉ ରେ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ମାନସ ସ୍ୱାଇଁ, ବନ ବିଭାଗର ଆଏଏଫଏସ ଅଧିକାରୀ ଲଳିତ କୁମାର ପାତ୍ର, ଏସିଏଫ ଲକ୍ଷ୍ମଣ ମାରଡି, ତେଜରାଜ ନାୟକ, ମଦନ ଲାଲ ଶର୍ମା, ପ୍ରଭୁଦତ୍ତ ହିମାଂଶୁ ମିଶ୍ର ଓଏଫଏସ (ପ୍ରଶିକ୍ଷଣ), ରେଞ୍ଜର ସଦର ପ୍ରଭାକର ବେହେର, ରେଞ୍ଜର ରେଙ୍ଗାଲୀ ହରିହର ପାତ୍ର, ରେଞ୍ଜର ଧମା ଆଲୋକ କୁମାର ଷଡଙ୍ଗୀ, ପଡିଆବାହାଲ ରେଞ୍ଜର ସୁରେଶ ଚନ୍ଦ୍ର ମିର୍ଦ୍ଧା, ବିଦ୍ୟାଧର ସାହୁ, ୧୦ ଜଣ ଫରେଷ୍ଟର, ୧୫ ଜଣ ଫରେଷ୍ଟ ଗାର୍ଡ, ୪୦ ଜଣ ଫରେଷ୍ଟ ପ୍ରୋଟେକ୍ସନ ସ୍କ୍ୱାର୍ଡ ଏବଂ ୨୦ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ। ତେବେ ଏଠାରେ ଚାଞ୍ଚଲ୍ୟକର ପ୍ରଶ୍ନ ଉଠୁଛି ଯେ ସମ୍ବଲପୁର ଭଳି ଏକ ପ୍ରମୁଖ ସହରର ମଧ୍ୟ ଭାଗରେ ବେଆଇନ କରତ କଳ ରହିଥିବା ବେଳେ ତାହା ପୁଣି ବିଦ୍ୟୁତ ବିଭାଗରୁ ୩ ଫେଜ ଲାଇନ ନେଇ କାର୍ଯ୍ୟ କରୁଥିବା ବେଳେ ବନ ବିଭାଗ ଏତେ ଦିନ ପର୍ଯ୍ୟନ୍ତ କେମିତି ଜାଣି ନ ଥିଲା। ଅଞ୍ଚଳବାସୀଙ୍କ କହିବାନୁଯାୟୀ, ଉପରୁ ତଳ ପର୍ଯ୍ୟନ୍ତ ସମସ୍ତେ ଏହା ବାବଦରେ ପୂର୍ବରୁ ଜାଣିଥିଲେ। ଏହି କରତ କଳ ମାନଙ୍କ ମଧ୍ୟରୁ ଜଣେ ମାଲିକ ଶାସକ ଦଳର ସକ୍ରିୟ ସଦସ୍ୟ ଭାବରେ ପୂର୍ବରୁ କାର୍ଯ୍ୟ କରୁଥିବା ବେଳେ ନିର୍ବାଚନ ପରେ ଦଳର ନେତାଙ୍କ ସହିତ ମନୋମାଳିନ୍ୟ ହୋଇଯାଇଛି। ଯାହା ଫଳରେ ଏହି ଚଢ଼ଉ କରାଯାଇଛି ବୋଲି ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ସେ ଯାହା ହେଉ ନା କାହିଁକି ସହରର ମଧ୍ୟ ଭାଗରେ ଦୁଇ ଦୁଇଟି ବେଆଇନ କରତ କଳ ସରକାରୀ ଜମିରେ ବର୍ଷ ବର୍ଷ ଧରି ଚାଲିବା ଏବଂ ଚଢ଼ଉ ସମୟରେ ପ୍ରାୟ ୧୦ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରିବା ବନ ବିଭାଗର କାର୍ଯ୍ୟଶୈଳୀ ଉପରେ ଅଙ୍ଗୁଳି ଉଠାଇବାକୁ ବାଧ୍ୟ କରୁଛି ବୋଲି ପରିବେଶବିତ ମାନଙ୍କ ସମେତ ସହରବାସୀ ମତ ପ୍ରକାଶ କରୁଛନ୍ତି।

kalyan agarbati

Comments are closed.