ତାଇୱାନ ସଙ୍କଟ ଓ ବୌଦ୍ଧିକ ବିରୋଧାଭାସ
ସମ୍ପ୍ରତି ତାଇୱାନ ଓ ଚୀନ ମଧ୍ୟରେ ଗୁରୁତର ଛକାପଞ୍ଝା ପରିସ୍ଥିତି ଦେଖାଦେଇଛି। ତାଇୱାନକୁ ଚୀନ ନିଜର ଏକ ଅଂଶ କହି ତାକୁ ନିଜ ଦଖଲକୁ ନେବାକୁ ବସିଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକା ସହାୟତା ଫଳରେ ଚୀନକୁ ପ୍ରତିରୋଧ କରି ତାଇୱାନ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ମୁଣ୍ଡ ଟେକି ରହିବାକୁ ଉଦ୍ୟମ ଜାରି ରଖିଛି। ତାଇୱାନର ଏହି ସଂକଟମୟ ସ୍ଥିତି ଏକ ବୃହତ୍ ଯୁଦ୍ଧ ଆଡ଼କୁ ବିଶ୍ୱକୁ ଟାଣି ନେଉଥିବା କେହିକେହି ଆଶଙ୍କା କରୁଛନ୍ତି। ବର୍ତ୍ତମାନ ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ଲାଗି ରହିଛି। ଏହା ବାସ୍ତବରେ ରୁଷ-ୟୁକ୍ରେନ ଯୁଦ୍ଧ ନୁହେଁ, ବରଂ ରୁଷ ଓ ଆମେରିକା ନେତୃତ୍ୱାଧୀନ ମେଣ୍ଟ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାରୁ ବୃହତ୍ ଶକ୍ତିଙ୍କ ମଧ୍ୟରେ ଏକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଲୋପ ହୋଇଥିବା ଶୀତଳ ଯୁଦ୍ଧ ପୁନଃ ଆତ୍ମପ୍ରକାଶ କରି ବିଶ୍ୱ ଯୁଦ୍ଧ ଆଡ଼କୁ ଗତି କରୁଛି। ଯଦି ତାଇୱାନ ସଂକଟ ଘନୀଭୂତ ହୁଏ ତେବେ ବିଶ୍ୱ ଯେ କି ଅବସ୍ଥା ଭୋଗ କରିବ କହିହେଉ ନାହିଁ। ତେବେ ଶାସନ ତିଷ୍ଠି ରହିବା ପାଇଁ ସଂଘର୍ଷ ହେବା ଅନିବାର୍ଯ୍ୟ ହୋଇଥାଏ। କେହି ଦେଶ ମାତୃକାର କଥା କହି, କେହି ନ୍ୟାୟର ସୁରକ୍ଷା କଥା କହି ସଂଘର୍ଷ ବା ଯୁଦ୍ଧ କରିଥାନ୍ତି। ଦେଶଦେଶ ମଧ୍ୟରେ ଅନ୍ୟ କାରଣକୁ ନେଇ ମଧ୍ୟ ଯୁଦ୍ଧ ହୋଇଥାଏ। ଅନେକ ବୁଦ୍ଧିଜୀବୀ ଏ ପ୍ରକାର ଯୁଦ୍ଧକୁ ଏଡ଼ାଇବା ପାଇଁ ଉଦ୍ୟମ କରିଥାନ୍ତି। ବିଶ୍ୱକୁ ସୁରକ୍ଷା କରିବାକୁ ନିବେଦନ କରିଥାନ୍ତି। ଯୁଦ୍ଧ ପ୍ରପୀଡ଼ିତଙ୍କୁ ସାହାଯ୍ୟ ଓ ସହାନୁଭୂତି ଦେଇଥାନ୍ତି; କିନ୍ତୁ ବୁଦ୍ଧିଜୀବୀଙ୍କ କେତେକ ଚିନ୍ତାଧାରା ଯଦି ଯୁଦ୍ଧ ପାଇଁ ପ୍ରୋତ୍ସାହିତ କରେ, ତେବେ ? ଏ ପ୍ରକାର ବୌଦ୍ଧିକ ବିରୋଧାଭାସର ଆଲୋଚନା ହେବା ଦରକାର।
ବଡ଼ ଦୁଃଖର କଥା ବିଶ୍ୱର ବୁଦ୍ଧିଜୀବୀମାନଙ୍କର ରାଷ୍ଟ୍ର ସମ୍ବନ୍ଧୀୟ ବିଭ୍ରାନ୍ତିକର ଚିନ୍ତାଧାରା ଅନେକ ପରିମାଣରେ ଏପରି ଜଘନ୍ୟ ପରିସ୍ଥିତି ସୃଷ୍ଟି କରାଉଛି। ପ୍ରାୟ ଅଧିକାଂଶ ରାଜନୀତି ବିଜ୍ଞାନୀ ଓ ଇତିହାସକାର ରାଷ୍ଟ୍ରକୁ ଏକ ସ୍ଥାୟୀ ରୂପ ଦେଲାଭଳି ଲେଖିଥାନ୍ତି। ଏପରି ଧାରଣା ଦିଆଯାଇଛି ଯେ ନିର୍ଦ୍ଦିଷ୍ଟ ରାଷ୍ଟ୍ରଟି ସୃଷ୍ଟି ଆରମ୍ଭରୁ ଥିଲା। ଏହାର ନିର୍ଦ୍ଦିଷ୍ଟ ସ୍ଥାୟୀ ପରିସୀମା ରହିଥାଏ। ବିଭକ୍ତ ହୋଇଯାଇଥିଲେ ପୁନଃ ଐକ୍ୟ ହୁଏ। ଏହା ସ୍ୱାଧୀନ ବା ପରାଧୀନ ହୋଇଥାଏ। ଫଳସ୍ୱରୂପ ଜାତିବାଦର ବିଦ୍ୱେଷ ସୃଷ୍ଟି ହେଉଛି, ସୀମା ବିବାଦ ସୃଷ୍ଟି ହେଉଛି ଓ ସ୍ୱାଧୀନତା ଦିବସ ପାଳନ ହେଉଛି ବା ସ୍ୱାଧୀନତା ପାଇଁ ବିଶୃଙ୍ଖଳା ସୃଷ୍ଟି ହେଉଛି। ପ୍ରଥମେ ସ୍ୱାଧୀନତା କଥାକୁ ବିଚାରକୁ ନିଆଯାଉ। ସମୟ କ୍ରମରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତ ଦୁଇଟି ରାଷ୍ଟ୍ର ଭାବେ ଯଥାକ୍ରମେ ୧୭୭୬ ଓ ୧୯୪୭ ମସିହାରେ ପ୍ରତିଷ୍ଠା ଲାଭ କଲେ ବା ସୃଷ୍ଟି ହେଲେ। ଏହାକୁ ରାଷ୍ଟ୍ର ପ୍ରତିଷ୍ଠା ଦିବସ କୁହାନଯାଇ ସ୍ୱାଧୀନତା ଦିବସ ବୋଲି ବିବେଚନା କରାଯାଇଛି। ଏହାକୁ କିପରି ସ୍ୱାଧୀନତା କୁହାଯିବ? ପୂର୍ବରୁ ତ ଏଗୁଡ଼ିକ ରାଷ୍ଟ୍ର ନଥିଲା; ପରାଧୀନ ହେଲା କିପରି? ଇଂରେଜମାନେ ଉତ୍ତର ଆମେରିକାର କିଛି ଅଞ୍ଚଳକୁ ଦଖଲ କରି ଯୁକ୍ତରାଷ୍ଟ୍ର ନାମରେ ଇଂରେଜ ସାମ୍ରାଜ୍ୟର ଏକ ଅଂଶ ବା ପ୍ରଦେଶଭାବେ ଗଢ଼ି ତୋଳିଥିଲେ। ସେହିପରି ଦକ୍ଷିଣ ଏସିଆରେ ଦଖଲ କରିଥିବା କିଛି ଅଞ୍ଚଳକୁ ବ୍ରିଟିଶ ଇଣ୍ଡିଆ ବା ଭାରତ ନାମ ଦେଇ ଜଣେ ମହାରାଜ୍ୟପାଳ ନିଯୁକ୍ତ କରି ଏକ ପ୍ରଦେଶ ଗଢ଼ିଥିଲେ। ପରେ ଏହା ଏକ ରାଷ୍ଟ୍ରଭାବେ ରୂପାନ୍ତରିତ ହେଲା ବା ପ୍ରତିଷ୍ଠା ଲାଭ କଲା। ତେଣୁ ସ୍ୱାଧୀନତା ଶବ୍ଦ ଏ କ୍ଷେତ୍ରରେ ବ୍ୟବହାର କରିବା ଅନ୍ୟ ପ୍ରକାର ଧାରଣା ସୃଷ୍ଟି କରାଉଛି। ସ୍ୱାଧୀନତା କହିଲେ ସ୍ୱ ଅଧୀନ ବା ନିଜ ଅଧୀନ ହେବା। ସ୍ୱତନ୍ତ୍ର ରାଷ୍ଟ୍ର ହେବା ପୂର୍ବରୁ ଯୁକ୍ତରାଷ୍ଟ୍ର ଅଧିବାସୀମାନେ ଇଂଲଣ୍ଡର ଅଧିବାସୀ ହୋଇପାରୁଥିଲେ ଓ ଇଂଲଣ୍ଡର ଅଧିବାସୀ ଯୁକ୍ତରାଷ୍ଟ୍ରର ଅଧିବାସୀ ହୋଇପାରୁଥିଲେ। ଏଠି ନିଜ ପର ଆସିଲା କୁଆଡ଼ୁ? ଅଞ୍ଚଳଗତ ବିବିଧତା ବିଚ୍ଛିନ୍ନ ରାଷ୍ଟ୍ର ପ୍ରତିଷ୍ଠାର ରୂପ ନେଲା। ଯଦି ରାଷ୍ଟ୍ର କ୍ଷେତ୍ରରେ ଆମେ ସ୍ୱାଧୀନତା ଶବ୍ଦ ବ୍ୟବହାର କରିବା ତେବେ ବ୍ୟକ୍ତି ସ୍ୱାଧୀନତାର ଅର୍ଥ କଣ? ବ୍ୟକ୍ତି କ’ଣ ନିଜେ ନିଜକୁ ଶାସନ କରୁଛି କି? ବ୍ୟକ୍ତି ଚାହିଁଲେ କ’ଣ ଆଇନ ହାତକୁ ନେଇପାରିବ? ଏପରି ହେଲେ ଶାସନ ରହିବ ନାହିଁ କି ରାଷ୍ଟ୍ର ବି ରହିବ ନାହିଁ। ସ୍ୱାଧୀନତାର ପ୍ରଶ୍ନ ଆସିବ କୁଆଡ଼ୁ? ଶାସନ ଏକ ସ୍ୱତନ୍ତ୍ର ଅନୁଷ୍ଠାନ; ଏହା ନ୍ୟାୟରେ ଚାଲିଲେ ଲୋକଙ୍କର ଅଧିକାର ସୁରକ୍ଷିତ ରହେ; ଲୋକେ ନିଜେ ନିଜକୁ ଶାସନ କଲା ଭଳି ଅନୁଭବ କରନ୍ତି ଓ ସ୍ୱାଧୀନ ବୋଲି ମନେ କରନ୍ତି। ଏପରି ନହେଲେ ଯେତେ ସ୍ୱାଧୀନ ବୋଲି ଉଚ୍ଚାରଣ କରାଗଲେ ମଧ୍ୟ ସୁଯୋଗ ପାଇଲେ ଅତ୍ୟାଚାରିତ ଶୋଷିତ ଲୋକ ଅନ୍ୟ ବାଟ ଧରେ। ସ୍ୱାଧୀନତାର ମୂଲ୍ୟ କିଛି ରହେ ନାହିଁ। ପୁଣି ଫ୍ରାନ୍ସ ଓ ରୁଷରେ ପାଳିତ ହେଉଥିବା ମୁକ୍ତି ଦିବସ ଓ ସ୍ୱାଧୀନତା ଦିବସ ମଧ୍ୟରେ ପାର୍ଥକ୍ୟ କ’ଣ ? ମୁକ୍ତି ଅର୍ଥ ହେଉଛି ସ୍ୱାଧୀନ; ଫ୍ରାନ୍ସ ଓ ରୁଷ ପରି ଇଂଲଣ୍ଡରେ ମଧ୍ୟ ଗୌରବୋଜ୍ଜଳ ବିପ୍ଳବ ହୋଇଥିଲା। ତେଣୁ ଏ ଚିନ୍ତାଧାରାର ପୁନର୍ବିଚାର ଦରକାର।
ରାଷ୍ଟ୍ରର ସ୍ଥାୟୀ ରୂପର ବଶବର୍ତ୍ତୀ ହୋଇ ଭୌଗୋଳିକ ପରିସୀମାର ଚିନ୍ତାଧାରା ସୃଷ୍ଟି ହୋଇଛି। ଏ ଚିନ୍ତାଧାରାର ବଶବର୍ତ୍ତୀ ହୋଇ ଫ୍ରାନ୍ସ ସମ୍ରାଟ ଚତୁର୍ଦ୍ଦଶ ଲୁଇ କହିଥିଲେ ଯେ ପ୍ରତ୍ୟେକ ଦେଶ ତାର ପ୍ରାକୃତିକ ପରିସୀମା ପର୍ଯ୍ୟନ୍ତ ବିସ୍ତୃତ ହେବା ଉଚିତ ଓ ଏଥିପାଇଁ ଉକ୍ତ ଦେଶର ଅଧିକାର ଅଛି। ଜର୍ମାନ ନେତୃତ୍ୱ ମଧ୍ୟ ଘୋଷଣା କରିଥିଲା ଯେ ସମସ୍ତ ଜର୍ମାନ ଜାତି ଅର୍ଥାତ୍ ଜର୍ମାନ ଭାଷାଭାଷୀ ଅଞ୍ଚଳ ଏକ ହେବା ଉଚିତ। ଏ ପ୍ରକାର ଚିନ୍ତାଧାରା ଅନେକ ସ୍ଥାନରେ ସୀମା ସମସ୍ୟା ସୃଷ୍ଟି କରାଉଛି। ଅହଂକାରୀ ଶାସକମାନଙ୍କୁ ରାଷ୍ଟ୍ରର ସୀମା ସମ୍ପ୍ରସାରଣ ପାଇଁ ନୈତିକ ଆଳ ବା ଯୁକ୍ତି ଯୋଗାଉଛି; ଯାହା ଯୁଦ୍ଧର କାରଣ ହୁଏ। ତାଇୱାନ ଅତୀତରେ କେତେ ବର୍ଷ ପେକିଙ୍ଗ ଶାସନାଧୀନ ହୋଇଥିବା କାରଣରୁ ଚୀନ ଆଜି ଏହାକୁ ନିଜ ଅଞ୍ଚଳବୋଲି ଦାବି କରୁଛି। ଏ ଅଞ୍ଚଳର ଅନ୍ୟ ରାଷ୍ଟ୍ର ମଧ୍ୟ ଅଧୀନ ହୋଇ ରହିଥିବା କଥାକୁ ଗୁରୁତ୍ୱ ବା ବିଚାର କରାଯାଉନାହିଁ। ଫଳତଃ ଭୌଗୋଳିକ ସମ୍ପ୍ରସାରଣ ବା ସଂକୋଚନ ଭଳି ଘଟଣା ଘଟୁଛି। ଶାସକ ବର୍ଗ ବା ନେତୃବର୍ଗ ନିଜ ରାଷ୍ଟ୍ର ଓ ଅଞ୍ଚଳରୁ ଚାଲିଯାଇଥିବା ଅଞ୍ଚଳଜନିତ ଅପମାନର ସମ୍ମୁଖୀନ ହେଉଛନ୍ତି ଓ ରାଷ୍ଟ୍ରର ଐକ୍ୟ ଓ ଅଖଣ୍ଡତା କଥା କହୁଛନ୍ତି। ଏଣୁ ଏହା ଫଳରେ ପ୍ରତିରୋଧ ବା ଅଭିଯାନ ପାଇଁ ରାଜ୍ୟ ଜୟ କରିବାର ଆକାଂକ୍ଷା ଓ କ୍ଷମତା ହାସଲ କରିବାର ପିପାସା ମଣିଷକୁ କିଭଳି ଅମାନୁଷିକ କାର୍ଯ୍ୟ କରିବା ରାସ୍ତାକୁ ଠେଲି ନିଏ ଓ ତତ୍ଜନିତ ଭୟାନକ କରୁଣ ତଥା ମର୍ମାନ୍ତିକ ଯନ୍ତ୍ରଣା, ନିର୍ଯାତନା, ବିଶ୍ୱାସଘାତକତା, ହତ୍ୟା ଓ ଗଣ ପଳାୟନର ଘଟଣା ଘଟିଥାଏ, ତାହା ନାଜି ଶାସନ ତଥା ଅନ୍ୟ ଶାସନ ପରିଦୃଷ୍ଟ। ଏଣୁ ବୁଦ୍ଧିଜୀବୀଗଣ ପ୍ରକୃତ ସତ୍ୟ ଖୋଜିବା ଦରକାର। ପ୍ରକୃତରେ ରାଷ୍ଟ୍ରର ପ୍ରାକୃତିକ ସୀମା କିଛି ନଥାଏ। କୌଣସି ରାଷ୍ଟ୍ରର ସୀମାରେ ପ୍ରାକୃତିକଭାବେ ପାଚେରି ହେଲା ଭଳି କିଛି ଆଧାର ନଥାଏ। କେତେକ ସ୍ଥାନରେ ଗୋଟିଏ ଗ୍ରାମର ଅଧେ ଗୋଟିଏ ରାଷ୍ଟ୍ରରେ ଥିଲାବେଳେ ଆଉ ଅଧେ ଆଉ ଗୋଟିଏ ରାଷ୍ଟ୍ରରେ ଥାଏ। ଗୋଟିଏ ଉପସାଗରର କିଛି ଅଞ୍ଚଳ ଗୋଟିଏ ରାଷ୍ଟ୍ରର ଥିଲାବେଳେ ଆଉ କିଛି ଅଞ୍ଚଳ ଆଉ ଗୋଟିଏ ରାଷ୍ଟ୍ରରେ ଥାଏ। ସେହିପରି ଗୋଟିଏ ପର୍ବତର କିଛି ଅଞ୍ଚଳ ଗୋଟିଏ ରାଷ୍ଟ୍ରର ହୋଇଥିଲାବେଳେ ଅନ୍ୟ ଅଞ୍ଚଳ ଅନ୍ୟ ରାଷ୍ଟ୍ରର ହେଇଥାଏ। ଅନ୍ୟ ପକ୍ଷରେ ଇରାନର ଭାଷା ପାର୍ସି ହୋଇଥିଲାବେଳେ ବହୁ ଦୂରରେ ଥିବା ତାଜିକିସ୍ତାନର ଭାଷା ମଧ୍ୟ ପାର୍ସି। ଏଣୁ ଦୁଇ ରାଷ୍ଟ୍ର ଏକ ହୋଇପାରିବ କି? ଏହା ନିର୍ଭର କରେ ରାଜନୈତିକ ଚାପ ଉପରେ। ରାଜନୈତିକ ଚାପ ଅନୁକୂଳ ହେଲେ ସାରା ବିଶ୍ୱରେ ଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟ ଏକ ରାଷ୍ଟ୍ର ହୋଇପାରିବ। ଯୁକ୍ତରାଷ୍ଟ୍ର ଆମେରିକା ଓ ଆଲାସ୍କା ଭିନ୍ନ ଭିନ୍ନ ସ୍ଥାନରେ ଥାଇ ଏକ ରାଷ୍ଟ୍ର ହୋଇଛି। ପଶ୍ଚିମ ପାକିସ୍ତାନ ଓ ପୂର୍ବ ପାକିସ୍ତାନ ଅଲଗା ଅଲଗା ସ୍ଥାନରେ ଥାଇ ଏକ ରାଷ୍ଟ୍ର ଥିଲା। ଏଣୁ ବଳପୂର୍ବକ ଯୁଦ୍ଧଦ୍ୱାରା କୌଣସି ଅଞ୍ଚଳକୁ ଏକ ରାଷ୍ଟ୍ରାଧୀନ କରାଇବା ଅନ୍ୟାୟ ରୂପେ ବିବେଚନା କରାଯିବା ଉଚିତ।
ରାଜନୀତି ବିଜ୍ଞାନୀମାନେ ଦେଖିବାର କଥା ଯେ ରାଷ୍ଟ୍ରର ଧ୍ରୁବୀକରଣ ବା ବିଘଟନ ଏକ ଆକସ୍ମିକ ଘଟଣା; ଏହା ବିବର୍ତ୍ତନ ନୁହେଁ କି ପ୍ରାଚୀନ କାଳରୁ ରହିଆସିନାହିଁ। ଏହା ସୃଷ୍ଟି ହେଉଛି, ତିଷ୍ଠି ରହୁଛି ବା ବିଲୋପ ହେଉଛି କେବଳ ରାଜନୈତିକ ଚାପ କାରଣରୁ। ରାଜନୈତିକ ଚାପରୁ ପାକିସ୍ତାନ, ଦକ୍ଷିଣ ସୁଦାନ, କାଜାକସ୍ତାନ ଆଦି ରାଷ୍ଟ୍ର ସୃଷ୍ଟି ହୋଇଛି। ଏହି କାରଣରୁ ରାଷ୍ଟ୍ରର ନାମକରଣ ବା ନୂଆ ନାମ ମଧ୍ୟ ଦିଆଯାଉଛି। ଏଣୁ କୌଣସି ବିଚ୍ଛିନ୍ନ ଅଞ୍ଚଳକୁ ନିର୍ଦ୍ଦିଷ୍ଟ ରାଷ୍ଟ୍ରର ଅଂଶ କୁହାଯିବା ଯୁକ୍ତିଯୁକ୍ତ ନୁହେଁ। ରାଷ୍ଟ୍ର ହେଉଛି ସାର୍ବଭୌମତ୍ୱ ଥିବା ଶାସନର ଭୌଗୋଳିକ ଅଞ୍ଚଳ; ଶାସନ ଯେତିକି ଅଞ୍ଚଳରେ ନିଜର କର୍ତ୍ତୃତ୍ବ ପ୍ରତିଷ୍ଠା କରିଥାଏ ସେତିକି ଅଞ୍ଚଳ ସେହି ଶାସନର ରାଷ୍ଟ୍ରରୂପେ ପରିଚିତ ହୋଇଥାଏ। ଶାସନର ସୃଷ୍ଟି ଓ ସ୍ଥିତି ସହିତ ରାଷ୍ଟ୍ରର ସୃଷ୍ଟି ଓ ସ୍ଥିତି ନିର୍ଭରଶୀଳ, ଯାହା ରାଜନୈତିକ ଚାପ ଦ୍ୱାରା ପ୍ରଭାବିତ ହୋଇଥାଏ। ଏହି ରାଜନୈତିକ ଚାପ ମଧ୍ୟରୁ ମୁଖ୍ୟ କେତେଗୁଡ଼ିଏ ହେଉଛି କୂଟନୈତିକ, ସାମରିକ ଓ ଜନ ସହଯୋଗ ଇତ୍ୟାଦି। ଏହି ବିଷୟଗୁଡ଼ିକୁ ତାଇୱାନ ରାଷ୍ଟ୍ର କ୍ଷେତ୍ରରେ ବିଚାର କରିବା। କୂଟନୈତିକ କ୍ଷେତ୍ରରେ ଶକ୍ତିଶାଳୀ ଯୁକ୍ତରାଷ୍ଟ୍ର ଆମେରିକାର ଛତ୍ରଛାୟା ଲାଭ କରିବାରେ ତାଇୱାନ ସଫଳ ରହିଛି। ସାମରିକ କ୍ଷେତ୍ରରେ ଏହା ବହୁତ କ୍ଷୁଦ୍ର ହେଲେ ମଧ୍ୟ ପାରସ୍ୟ ସାମ୍ରାଜ୍ୟ ବିରୁଦ୍ଧରେ ଏଥେନ୍ସ ଓ ରୋମାନ ସାମ୍ରାଜ୍ୟ ବିରୁଦ୍ଧରେ ସିରାକ୍ୟୁଜର ପ୍ରତିରୋଧ ଭଳି ଚମତ୍କାରିତା ଦେଖାଇପାରେ। ଜନ ସହଯୋଗକୁ ବିଚାର କଲାବେଳେ ଦେଖିବା ଦରକାର ଯେ ରାଜନୀତି ବିଜ୍ଞାନୀଗଣ ଯେଉଁ ଉଦାରବାଦୀ ଗଣତନ୍ତ୍ର କଥା କହୁଛନ୍ତି ସେଥିରେ ଅନ୍ୟ ପ୍ରକାର ଶାସନ ଅପେକ୍ଷା ଅଧିକ ଜନ ଉତ୍ପୀଡ଼ନ ରହିଥାଏ ଓ ଅଧିକ ଅବିଶ୍ୱାସ ଆଶଙ୍କା ଥାଏ। ଜବରଦଖଲ, ଜବରଦସ୍ତି, ହତ୍ୟା, ଧର୍ଷଣ, ଲୁଣ୍ଠନ, ଠକାମି, ଗୁଣ୍ଡାମି, ନିଶା, ବେରୋଜଗାରୀ, କଳାଟଙ୍କା ଅବ୍ୟବସ୍ଥା ଭଳି ତଥ୍ୟ ଅନ୍ୟପ୍ରକାର ଶାସନ ଅପେକ୍ଷା ଗଣତନ୍ତ୍ରରେ ଅଧିକ ଥାଏ। ବିଚାରାଳୟ ଅଭିଯୋଗକାରୀକୁ ଦୌଡ଼େଇ ଦୌଡ଼େଇ ସମୟ ଗଡ଼େଇ ଏପରି ଖର୍ଚ୍ଚାନ୍ତ ଓ ନୟାନ୍ତ କରେ ଯେ ଲୋକେ ବିଚାରାଳୟକୁ ଯିବାକୁ ଅମଙ୍ଗ ହୁଅନ୍ତି। ଲୋକେ ଆଶଙ୍କା, ଆତଙ୍କ ଓ ଅନିଶ୍ଚିତତା ମଧ୍ୟରେ ରହିଥାନ୍ତି। ଗଣତାନ୍ତ୍ରିକ ତାଇୱାନର ଜଣେ ପ୍ରମୁଖ ପ୍ରତିରକ୍ଷା ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ ଏହା ପ୍ରକାଶ କରୁଛି। ଏଣୁ ରାଜନୀତି ବିଜ୍ଞାନୀଗଣ ରାଜନୈତିକ ତତ୍ତ୍ୱର ପୁନଃ ସମୀକ୍ଷା କରିବା ଦରକାର; ଯେପରି ଶାସକଙ୍କ ଅହଂକାରୀ ପ୍ରକୃତିକୁ ସହାୟତା ନକରେ।
ଗଣତନ୍ତ୍ର ହେଉ କି ଅନ୍ୟ ପ୍ରକାର ଶାସନ ହେଉ ସମାଜରେ ନ୍ୟାୟ ରକ୍ଷା କରିବା ଶାସନର କର୍ତ୍ତବ୍ୟ। ନ୍ୟାୟ ନଥିବା ସବୁ ପ୍ରକାର ଶାସନ ହେଉଛି ଅବାଞ୍ଛନୀୟ। ଲୋକଙ୍କ ନାଁ କହି ଅନ୍ୟାୟ କାର୍ଯ୍ୟ କରିବା କେତେଦୂର ଯୁକ୍ତିଯୁକ୍ତ? ଗଣତାନ୍ତ୍ରିକ ଏଥେନ୍ସରେ ଲୋକଙ୍କ ଚାପରେ ସତ୍ୟସନ୍ଧ ପଣ୍ଡିତ ସକ୍ରେଟିସଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା; ଯାହା ପରବର୍ତ୍ତୀ କାଳରେ ଅନ୍ୟାୟବୋଲି ବିବେଚନା କରାଯାଉଛି। ଏହି ଭଳି ଘଟଣା ଆଜି ମଧ୍ୟ ଗଣତାନ୍ତ୍ରିକ ଶାସନରେ ଦେଖାଯାଉଛି। ଜନମତ ହରାଇବା ଭୟରେ ସରକାର ଅନ୍ୟାୟକାରୀମାନଙ୍କୁ ସୁହାଇଲାଭଳି କାର୍ଯ୍ୟ କରୁଛନ୍ତି। ଅବିଧି ବି ବିଧି ହେଉଯାଉଛି। ଏଣୁ ତାଇୱାନ ପ୍ରସଙ୍ଗ ପରିପ୍ରେକ୍ଷୀରେ ଉଦାରବାଦୀ ଗଣତନ୍ତ୍ରର ମଧ୍ୟ ପୁନର୍ବିଚାର ହେବା ଦରକାର। ନଚେତ୍ ହବସ, ଲକ ଓ ଲୁସଙ୍କ ପରି ଦାର୍ଶନିକମାନେ କହିବେ ଗଣତାନ୍ତ୍ରିକ ଜୀବନ ହେଉଛି ସର୍ବଦା ନିଃସଙ୍ଗ, ନିଃସ୍ୱ, କଦର୍ଯ୍ୟ, ପାଶବିକ ଓ କ୍ଷଣସ୍ଥାୟୀ।
ଲଳିତ କୁମାର ପାତ୍ର
ଗଙ୍ଗେଶ୍ବରଗଡ଼, ସଦର, କଟକ
ଦୂରଭାଷ:୯୯୩୭୪୪୮୫୩୧
Comments are closed.