ଆର୍ଥିକ କାରବାର ଓ ଗାଣିତିକ ଦ୍ବନ୍ଦ୍ବ

ତିନି ବନ୍ଧୁ ଗୋଟିଏ ଭୋଜନାଳୟରେ ଖାଇବା ପାଇଁ ପହଞ୍ଚିଲେ। ଖାଇବା ପରେ, ଖାଦ୍ୟ ବାବଦକୁ ଦେୟ ଦେବାର ସମୟ ଆସିଲା। ଜଣପିଛା ଦଶଟଙ୍କା କରି ତିନିଜଣଙ୍କର ସର୍ବମୋଟ ଟ୩୦/- ଦେଇ ସେମାନେ ଫେରିଲେ। କିଛି ସମୟ ପରେ ଭୋଜନାଳୟର ମାଲିକ ସେଠାରେ ପହଞ୍ଚିଲେ। ସେ ଜାଣିବାକୁ ପାଇଲେ ଯେ ତାଙ୍କର ନୂଆ କର୍ମଚାରୀ ଜଣଙ୍କ ଗ୍ରାହକଙ୍କୁ କିଛି ରିଆତି ଦେଇନାହିଁ। ଏଣୁ ୫ ଟଙ୍କା କର୍ମଚାରୀ ହାତରେ ଦେଇ, ସେ ତିନିଜଣଙ୍କୁ ତୁରନ୍ତ ଫେରାଇ ଦେବାକୁ କହିଲେ। କର୍ମଚାରୀ ଜଣଙ୍କ ସେ ଗ୍ରାହକଙ୍କୁ ଖୋଜି ଜଣଙ୍କୁ ଏକଟଙ୍କା ହିସାବରେ ତିନି ଜଣଙ୍କୁ ତିନି ଟଙ୍କା ଫେରସ୍ତ ଦେଇ ନିଜ ପାଖରେ ଆଉ ଦୁଇ ଟଙ୍କା ରଖିଲେ। ଏଠାରେ ପ୍ରଶ୍ନ ଉଠୁଛି ଯେ ଖାଦ୍ୟ ପ୍ଲେଟକୁ ୯ ଟଙ୍କା କରି ତିନି ପ୍ଲେଟର ମୂଲ୍ୟ ୯x୩=୨୭ ଟଙ୍କା। ସେ କର୍ମଚାରୀ ପାଖରେ ରହିଲା ୨ ଟଙ୍କା ଓ ସର୍ବମୋଟ ହେଲା ୨୭+୨= ୨୯ ଟଙ୍କା । କିନ୍ତୁ ସେମାନେ ଦେଇଥିଲେ ୩୦ ଟଙ୍କା। ଏହି କାରବାରରେ ଆଉ ଟଙ୍କାଟିଏ ଗଲା କୁଆଡେ?ବେଳେ ବେଳେ କେତେକ ଗାଣିତିକ ପ୍ରଶ୍ନ ମନରେ ଦ୍ବନ୍ଦ୍ବ ସୃଷ୍ଟି କରିଥାଏ। ପ୍ରଶ୍ନର ଠିକ ଉପାୟରେ ସମାଧାନ କରିପାରିଲେ ଆଉ କୌଣସି ଦ୍ବନ୍ଦ୍ବ ରହେନାହିଁ। ଉପରୋ‌କ୍ତ ପ୍ରଶ୍ନର ସମାଧାନ ଅତ୍ୟନ୍ତ ସହଜ। ଖାଦ୍ୟ ବାବଦରେ ତିନି ବନ୍ଧୁ ଦେଲେ ୯x୩=୨୭ଟଙ୍କା। ପକୃତରେ ତିନି ପ୍ଲେଟର ମୂଲ୍ୟ ଥିଲା ୩୦-୫= ୨୫ ଟଙ୍କା। ବାକିଥିବା ୨୭-୨୫=୨ ଟଙ୍କା କର୍ମଚାରୀଟି ପାଖରେ ରହିଗଲା ।
ଆର୍ଥିକ କାରବାର ସମୟରେ ଏପରି ଅନେକ ଦ୍ବନ୍ଦ୍ବ ଆସିଥାଏ। ସେସବୁ ଦ୍ବନ୍ଦ୍ବର ଗାଣିତିକ ସମାଧାନ ଠିକ୍‌ ଭାବେ ଜାଣିନଥିଲେ ଅନେକ କ୍ଷତି ସହିବାକୁ ପଡ଼ିଥାଏ। କିଛି ଦିନ ତଳର କଥା। ଜଣେ ସହକର୍ମୀ ମୋତେ ପଚାରିଲେ, ‘‘ସାର୍ ଆପଣ କେବେ ସୁନା ଋଣ ନେଇଛନ୍ତି?” ଅତି ଜରୁରୀ ନହେଲେ ସୁନା ବନ୍ଧକ ଦେଇ ଋଣ ନେବି କାହିଁକି? “ମୁଁ କହିଲି । ସେ ଦୃଢତାର ସହ କହିଲା” ସାର୍‌! ସୁନା ଘରେ କିମ୍ବା ଲକରରେ ନରଖି ଏହାକୁ ବନ୍ଧକ ରଖି ଋଣ ନେବା ଏବଂ ସେ ଋଣ ରାଶିକୁ ବ୍ୟାଙ୍କରେ ସ୍ଥାୟୀ ଜମାରେ ନିବେଶ କଲେ, ଘରେ ବସି ଲାଭ ପାଇପାରିବେ। ଏହା ସମ୍ପୂର୍ଣ୍ଣ ସତ୍ୟ। ଏହାର ଉଦାହରଣ ଆପଣଙ୍କୁ ଦେଇପାରିବି ଓ ଏହି ସୁତ୍ରଟି ବୁଝିବା ପରେ ଆଇ .ଟି ସେକ୍ଟରରେ କାର୍ଯ୍ୟରତ କିଛି କର୍ମଚାରୀ, ଏପରିକି ଆପଣଙ୍କ ଶାଖାରେ କାର୍ଯ୍ୟରତ କିଛି ବ୍ୟାଙ୍କର ସାଥୀମାନେ ସୁନା ଋଣ କରି ସେହି ଟଙ୍କାକୁ ସ୍ଥାୟୀ ଜମାରେ ରଖିଛନ୍ତି। “ଏକଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସୁନା ବନ୍ଧକ ରଖି ଋଣ ନେଇଥିବା କିଛି ସାଥୀମାନଙ୍କୁ ଡାକି କଥାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟାକଲି। ସେମାନେ ମଧ୍ୟ ଋଣ ନେଇ ସେ ଟଙ୍କାକୁ ଜମା ରଖିବା ଦ୍ବାରା ଲାଭବାନ ହେଉଥିବା ସପକ୍ଷରେ ଯୁକ୍ତି ବାଢ଼ିଲେ। ମୁଁ ସେମାନଙ୍କୁ ଜଣେ ସାଧାରଣ ବ୍ୟକ୍ତି ଭାବରେ ପଚାରିଲି,” ସୁନା ଋଣରେ, ସୁଧ ହାର କେତେ ଦେବାକୁ ପଡ଼େ ଓ ପ୍ରତିବଦଳରେ ସ୍ଥାୟୀ ଜମା ଉପରେ କେତେ ସୁଧ ମିଳିଥାଏ” । ସୁନା ଋଣରେ ବାର୍ଷିକ ସୁଧହାର ୧୦% ଓ ସ୍ଥାୟୀ ଜମାର ବାର୍ଷିକ ସୁଧ ହାର ହେଉଛି ୮% । ମୁଁ ପଚାରିଲି ଅଧିକ ହାରର ସୁଧ ଦେଇ କମ ହାରରେ ଖଟାଇଲେ କିପରି ଲାଭ ହେବ? ଏପରି କାରବାର ଦ୍ବାରା ସିଧା ସଳଖ ୧୦%-୮%= ୨%ର ବାର୍ଷିକ କ୍ଷତି ହେଉଛି। ସହକର୍ମୀ ଜଣଙ୍କ ଉତ୍ସାହିତ ହୋଇ ତାଙ୍କ ଉକ୍ତିର ସତ୍ୟତା ପ୍ରମାଣ କରିବାକୁ ମୋ ଆଗରେ ଉଦାହରଣଟିଏ ରଖିଲେ।
ମନେକର ଋଣ ରାଶି ୧ ଲକ୍ଷ ଟଙ୍କା ବାର୍ଷିକ ସୁଧହାର ୧୦%, ସମୟ ସୀମା ଏକ ବର୍ଷ। ଏହି ସମୟରେ ଋଣ ପରିଶୋଧ ପାଇଁ ମାସିକ ଦେୟ ହେଉଛି ଟ୮୭୯୧/-। ବାର ମାସରେ ଦେବାକୁ ହେବ ୧୨x୮୭୯୧=୧୦୫୪୯୯ ଟଙ୍କା। ସୁଧ ମୂଳକୁ ମିଶାଇ ସମୁଦାୟ ଦେୟ ହେଉଛି , ମୂଳ ଟଙ୍କା ୧୦୦୦୦୦/- + ସୁଧ ଟଙ୍କା ୫୪୯୯/- = ଟଙ୍କା ୧୦୫୪୯୯/-।
ସେହି ଋଣ ଲକ୍ଷ ଟଙ୍କାକୁ ୮% ସୁଧ ହାରରେ ସ୍ଥାୟୀ ଜମାରେ ରଖିଲେ ବର୍ଷ ଶେଷରେ ମିଳିବ ଟଙ୍କା ୧,୦୮,୨୪୩/-। ଅତଏବ ଋଣ ରାଶିକୁ ଖର୍ଚ୍ଚ ନକରି ବ୍ୟାଙ୍କରେ ରଖିଲେ ସିଧା ସିଧା ଟ.୧୦୮୨୪୩-୧୦୫୪୯୯= ଟ.୨୭୪୪ ଲାଭ ମିଳିବ। ସେ କରିଥିବା ଗାଣିତିକ ହିସାବ ଠିକ୍‌ ଥିଲା। ଅନ୍ୟ ସାଥୀମାନେ ମଧ୍ୟ ଏହି ହିସାବ ସପକ୍ଷରେ ନିଜ ନିଜ ଯୁକ୍ତି ରଖିଲେ। ସେମାନଙ୍କୁ କିପରି ବୁଝାଇବି? ସହକର୍ମୀଙ୍କର ଉଦାହରଣ ଦେଖିଲେ ଯେ କେହିବି ଭ୍ରମିତ ହେବ। ମୁଁ କହିଲି “ହିସାବ ଆଖି ଆଗରେ। ଦେବା ୧୦% ପାଇବା ୮% ତେବେ ଆମର ୧୦%-୮%=୨% କ୍ଷତି ହେବ । ଲାଭ କେଉଁଠୁ ଆସିବ?”ମୋର ଏପରି ଯୁକ୍ତିକୁ ସେମାନେ ସହଜରେ ଗ୍ରହଣ କରିବାକୁ ରାଜି ନଥିଲେ।
ଦୁଇଟି ଭିନ୍ନ ଭିନ୍ନ ଉଦାହରଣ ନେବା। ମନେକର ଜଣେ ବ୍ୟକ୍ତି ଋଣ ନେଇ ସେ ଋଣ ଟଙ୍କାକୁ ସ୍ଥାୟୀ ଜମାରେ ରଖିଲେ। ଆଠ ପ୍ରତିଶତ ସୁଧରେ ବର୍ଷକରେ ମିଳିବ ଟ ୧୦୮୨୪୩/-। ଋଣ ପରିଶୋଧ ପାଇଁ ମାସିକ କିସ୍ତି ଟ୮୭୯୧/- ହିସାବରେ ୧୨ ମାସରେ ମୋଟ ୧୨x୮୭୯୧=ଟ.୧୦୫୪୯୯ ଦେବାକୁ ପଡ଼ିବ। ମନେକର ଜଣେ ଋଣ ନନେଇ ମାସିକ ଦେୟ ପରିବର୍ତ୍ତେ ମାସିକିଆ କିସ୍ତି ମୂଲ୍ୟର ଅର୍ଥାତ୍ ଟ.୮୭୯୧/ ଟଙ୍କାର ଏକ ବାର ମାସିଆ ଆର.ଡିରେ ଟଙ୍କା ବିନିଯୋଗ କଲେ। ୮ ପ୍ରତିଶତ ହିସାବରେ ବର୍ଷକ ପରେ ସେଥିରୁ ମିଳିବ ଟ. ୧,୧୦,୧୪୬/-। ବିନା ଋଣରେ ଆର .ଡି ର ପରିପକ୍ବ ମୂଲ୍ୟ , ଋଣ ନେଇ ସ୍ଥାୟୀ ଜମାର ପରିପକ୍ବ ମୂଲ୍ୟଠାରୁ ଟ. ୧୯୦୩ (୧୧୦୧୪୬-୧୦୮୨୪୩) ଅଧିକ। ଏଣୁ ଯେଉଁମାନେ ସୁନା ବନ୍ଧକ ଦେଇ ଋଣ ନେଉଛନ୍ତି ଏବଂ ସେହି ଋଣ ଟଙ୍କାକୁ ଅଧିକ ଆୟ ଆଶାରେ ସ୍ଥାୟୀ ଜମାରେ ନିବେଶ କରୁଛନ୍ତି, ସେମାନଙ୍କର ଲାଭ ବଦଳରେ କ୍ଷତି ହେଉଛି।
କେବଳ ଏତିକି ନୁହେଁ, ସାଧାରଣ ଲୋକ ,ଏପରିକି ଅନେକ ଶିକ୍ଷିତ ଲୋକ ମଧ୍ୟ ଫ୍ଲାଟ ରେଟ ଓ ରିଡିଉସିଂ ବାଲାନ୍ସ ଉପରେ ଲାଗୁଥିବା ସୁଧ ହାର ଭିତରେ ତାରତମ୍ୟ ବୁଝିପାରନ୍ତି ନାହିଁ, ଗୋଟିଏ ଉଦାହରଣ ମାଧ୍ୟମରେ ଫ୍ଲାଟ ରେଟ ସୁଧ ଓ ରିଡିଉସିଂ ବାଲାନ୍ସ ଉପରେ ସୁଧ କିପର ହିସାବ କରାଯାଏ ତାହା ଜାଣିବା।
ମନେକର ଋଣ ରାଶି ଏକ ଲକ୍ଷ ଟଙ୍କା। ଋଣ ଅବଧି -ତିନି ବର୍ଷ ଓ ସୁଧ ହାର – ବାର୍ଷିକ ଦଶ ପ୍ରତିଶତ(୧୦%) ଫ୍ଳାଟ। ଅତଏବ ତିନି ବର୍ଷକୁ ସୁଧ : ୧୦୦୦୦୦ x ୧୦% x ୩ = ଟ.୩୦୦୦୦। ମୂଳ ଋଣ (୧୦୦୦୦୦) + ସୁଧ (୩୦୦୦୦) = ଟ.୧,୩୦,୦୦୦/- ଓ ଅର୍ଥାତ୍ ତିନି ବର୍ଷରେ ସୁଧ ମୂଳ ମିଶାଇ ସମୁଦାୟ ଟ.୧୩୦୦୦୦/-ପରିଶୋଧ କରିବାକୁ ହେବ। ଯାହାର ମାସିକ ଦେୟ, ୧୩୦୦୦୦/୩୬(ମାସ)=ଟ.୩୬୧୧/-।
ମନେକର, ଉପରୋକ୍ତ ଋଣ ଉପରେ ବାର୍ଷିକ ୧୭ ପ୍ରତିଶତ ସୁଧ ରିଡିଉସିଂ ବାଲାନ୍ସ ପଦ୍ଧତିରେ ଲାଗୁ ହେଉଛି । ତାହା ହେଲେ ମାସିକ କିସ୍ତି ଟ୩୫୬୫/-। ତିନି ବର୍ଷରେ ସମୁଦାୟ ସୁଧ ହେବ ଟ୨୯୩୫୦। ରିଡିଉସିଂ ବାଲାନ୍ସ ପଦ୍ଧତିରେ କିପରି ସୁଧ ହିସାବ କରାଯାଏ ସେ ବିଷୟରେ ଜାଣିବା ଆବଶ୍ୟକ। ବାର୍ଷିକ ୧୭ ପ୍ରତିଶତ ହାରରେ ଏକ ଲକ୍ଷ ଟଙ୍କାର ମାସକୁ ସୁଧ ୧୦୦୦୦x୧୭%/୧୨=ଟ୧୪୧୭। ସୁଧ ଓ ଋଣ ଟଙ୍କା ମିଶି ହେଲା ଟ.୧୦୦୦୦୦+ ଟ୧୪୧୭= ଟ.୧୦୧୪୧୭/-। ସେଥିରୁ ମାସିକ ଦେୟ ଟ.୩୫୬୫/- ବାଦ୍ ଗଲା ପରେ ରହିଯିବ ଟ.୧୦୧୪୧୭-ଟ.୩୫୬୫=ଟ.୯୭୮୫୨/-। ପରବର୍ତ୍ତୀ ମାସରେ ଟ୯୭୮୫୨/ ଉପରେ ସୁଧ ଲାଗିବ କିନ୍ତୁ ମାସିକ ଦେୟ ସମାନ (ଟ୩୫୬୫/- ) ଥିବ। ପ୍ରତି ମାସରେ ମୂଳ ଋଣ ରାଶି କମି କମି ଯାଉଥିବ ଏବଂ ସେହି ଅନୁପାତରେ ମାସିକ ସୁଧ ମଧ୍ୟ କମିକମି ଚାଲିବ। ସେଥିପାଇଁ ଏହାର ନାମକରଣ ରିଡିଉସିଂ ବାଲାନ୍ସ ରଖାଯାଇଛି।
ଏହି ଦୁଇଟି ଉଦାହରଣରୁ ସ୍ପଷ୍ଟ ଜଣାଯାଏ ଯେ ୧୦% ଫ୍ଳାଟ ରେଟ ୧୭% ରିଡିଉସିଂ ବାଲାନ୍ସ ରେଟ ପଦ୍ଧତିରେ ଲାଗୁଥିବା ସୁଧଠାରୁ ଅଧିକ। ସାଧାରଣ ଲୋକ ଋଣ ଆଶାୟୀ ୧୭%ରିଡିଉସିଂ ବାଲାନ୍ସ ସୁଧ ବଦଳରେ ୧୦% ଫ୍ଳାଟ ରେଟରେ ଋଣ ନେବାକୁ ରାଜି ହୋଇ କ୍ଷତିଗ୍ରସ୍ତ ହୋଇଥାଏ। ଫ୍ଲାଟ ରେଟର ୧.୮ ଗୁଣ ରିଡିଉସିଂ ବାଲାନ୍ସ ରେଟ ସହ ପ୍ରାୟ ସମାନ। ଅର୍ଥାତ୍ ୧୦% ଫ୍ଳାଟ = ୧୮%( ୧.୮x ୧୦) ରିଡିଉସିଂ ବାଲାନ୍ସ ରେଟ। ୯% ଫ୍ଲାଟ=୧୬ .୨%( ୧ .୮x୯) ରିଡିଉସିଂ ବାଲାନ୍ସରେଟ। ଏଣୁ ଋଣ ନେବା ସମୟରେ ଫ୍ଳାଟ ବା ରିଡିଉସିଂ ବାଲାନ୍ସ ସୁଧ ହାର ଫ୍ଲାଟ୍‌ ସୁଧ ହାର ମଧ୍ୟରେ ତୁଳନା କରିବା ଜରୁରୀ।
ଏବେ ବ୍ୟକ୍ତିଗତ ଋଣ ମିଳିବା ଅନେକ ସହଜ। ଏହା ଅତି ସୁବିଧାରେ, ବିନା ବନ୍ଧକରେ, ଅଳ୍ପ ସମୟରେ ମିଳି ପାରୁଛି। ଏଥିରେ ଅଧିକ ସୁଧ ପଡ଼ିଥାଏ। ଏଣୁ ଅଧିକରୁ ଅଧିକ ବ୍ୟକ୍ତିଗତ ଋଣ ଦେବା ପାଇଁ ଗ୍ରାହକନଙ୍କୁ ବ୍ୟାଙ୍କ ଆକୃଷ୍ଟ କରନ୍ତି। ଅନ୍ୟମାନଙ୍କ ରିଡିଉସିଂ ବାଲାନ୍ସ ସୁଧ ହାର ସହ ସେମାନଙ୍କର ଫ୍ଲାଟ ସୁଧ ହାରର ତୁଳନା କରନ୍ତି। ବିଚରା ଗ୍ରାହକ ବୁଝିନଥାଏ ଏହି ଦୁଇପ୍ରକାର ସୁଧ ହାରରେ ଥିବା ତାରତମ୍ୟ। ଫ୍ଲାଟ ରେଟ କମ ହୋଇଥିବାରୁ ସେଥିରେ ସମ୍ମତି ପ୍ରଦାନ କରିଥାଆନ୍ତି ଫଳରେ ଆର୍ଥିକ କ୍ଷତି ସହିବାକୁ ପଡ଼ିଥାଏ।
ଗାଣିତିକ ହିସାବର ଭ୍ରମାତ୍ମକ ଅନୁଶୀଳନ ଫଳରେ କ୍ଷତି ସହିବାକୁ ପଡେ। ଏଣୁ ଗ୍ରାହକ ସଚେତନ ହେବା ସହ ସତର୍କ ରହିଲେ ନିଜର ଧନ ସୁରକ୍ଷିତ ରଖିପାରିବ।

prayash

ଅନନ୍ତ ଚରଣ ସ୍ବାଇଁ
ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ କଳିଙ୍ଗନଗର , ଭୁବନେଶ୍ବର ଦୂରଭାଷ:୭୩୮୧୩୬୬୭୭୭

Comments are closed.