ଭାରତ ବିକାଶର ଗତିପଥ

୧୯୪୭ରେ ଭାରତ ବିଦେଶୀ ଶାସନରୁ ସ୍ୱାଧୀନତା ପାଇବା ଠାରୁ ଏ ପର୍ଯ୍ୟନ୍ତ ଅର୍ଥନୈତିକ ଓ ସାମାଜିକ ବିକାଶର କେଉଁ ଗତିପଥ ଅନୁସରଣ କରିଛି ତାହାକୁ ନେଇ ଅନେକ ତର୍କ ବିତର୍କ ହୋଇଛି। ମୌଳିକ ଅର୍ଥରେ ବିକାଶ କହିଲେ ମାନବ ସମ୍ବଳର ବିକାଶକୁ ହିଁ ବୁଝାଯାଏ। ଅର୍ଥାତ୍‌‌ ମାନବ ବିକାଶ ହେଉଛି ପ୍ରକୃତ ବିକାଶର ସାରମର୍ମ। ଏହା ମଧ୍ୟରେ ରହିଛି ଏକାଧିକ ମାନକ, ଯେପରି, ଦେଶବାସୀଙ୍କର ହାରାହାରି ଆୟୁଷ, ଶିକ୍ଷା, ସ୍ୱାସ୍ଥ୍ୟ, ଉନ୍ନତ ବାସଗୃହ, ସମସ୍ତଙ୍କ ପାଇଁ କର୍ମ ନିଯୁକ୍ତି ଓ ସ୍ୱଚ୍ଛନ୍ଦ ଚଳଣି ପାଇଁ ସର୍ବନିମ୍ନ ଆୟ, ଉଭୟ ପୁରୁଷ ଓ ମହିଳାଙ୍କର ସଶକ୍ତୀକରଣ ଓ ମାନବ ଅଧିକାରର ସୁରକ୍ଷା ଇତ୍ୟାଦି। ଏସବୁ ନିଶ୍ଚିତ କରିବା ପାଇଁ ଆବଶ୍ୟକ ହୁଏ ଗମନାଗମନ, କୃଷି ଓ ଶିଳ୍ପର ବିକାଶ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଅର୍ଥନୈତିକ ଭିତ୍ତିଭୂମି। ଗତ ୭୫ ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦେଶ କେତେକାଂଶରେ ସଫଳତା ହାସଲ କରିଥିଲେ ମଧ୍ୟ ଏକ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ ହୋଇ ପାରିନାହିଁ ବା ଏକ ଉନ୍ନତ ଜୀବନର ମୌଳିକ ଉପାଦାନଗୁଡିକ ପ୍ରତ୍ୟେକ ଅଧିବାସୀଙ୍କୁ ଉପଲବ୍ଧ ହୋଇ ପାରିନାହିଁ। ପଛକୁ ଫେରି ଚାହିଁଲେ କେଉଁ ସରକାରଙ୍କ ସମୟରେ କେଉଁ ନୀତି ଅନୁସରଣ କରାଯାଇଥିଲା ଏବଂ ସେହି ନୀତିଗୁଡିକ ଫଳପ୍ରଦ ଥିଲା କି ନାହିଁ, ସେ ବିଷୟରେ ବିଭିନ୍ନ ମତାମତ ପ୍ରକାଶ ପାଏ। ଅନେକ ସମୟରେ ଶାସନ ମୁଖ୍ୟ ବା ପ୍ରଧାନମନ୍ତ୍ରୀମାନଙ୍କୁ ସଫଳତା ବା ବିଫଳତା ପାଇଁ ଶ୍ରେୟ ଦିଆଯାଏ ବା ଦାୟୀ କରାଯାଏ। ପଣ୍ଡିତ ଜବାହାରଲାଲ ନେହେରୁ ଥିଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାରଙ୍କ ସମୟରେ ଯୋଜନାବଦ୍ଧ ଭାବରେ ଅର୍ଥନୈତିକ ବିକାଶ ପାଇଁ ଖସଡା ପ୍ରସ୍ତୁତି ଆରମ୍ଭ ହୋଇଥିଲା। କେଉଁ ପଞ୍ଚବାର୍ଷିକ ଯୋଜନାରେ କୃଷି ପ୍ରତି ଅଧିକ ଧ୍ୟାନ ଦିଆଗଲା ତ ଆଉ କେଉଁ ଯୋଜନାରେ ଭାରୀ ଶିଳ୍ପ ପ୍ରତିଷ୍ଠାକୁ ପ୍ରାଧାନ୍ୟ ଦିଆଗଲା। ଦେଶରେ ବୃହତ୍‌‌ ଭାରୀ ଶିଳ୍ପ ବହୁମୁଖୀ ଜଳସେଚନ ଓ ବିଦ୍ୟୁତ୍‌ ଉତ୍ପାଦନ ପ୍ରକଳ୍ପ ଆରମ୍ଭ ହେଲା, ଆଇଆଇଟି ଓ ଆଇଆଇଏମ୍‌‌ ପରି ଉଚ୍ଚମାନର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେଲା। ସେହିପରି ଲାଲବାହାଦୁର ଶାସ୍ତ୍ରୀଙ୍କ ସମୟରେ କୃଷି ଓ କୃଷକର ବିକାଶ, ଇନ୍ଦିରା ଗାନ୍ଧୀଙ୍କ ସମୟରେ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ, ରାଜୀବ ଗାନ୍ଧୀଙ୍କ ସମୟରେ ବୈଷୟିକ ଜ୍ଞାନ କୌଶଳର ବିକାଶ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଜାତୀୟ ରାଜପଥ ଓ ଗ୍ରାମାଞ୍ଚଳ ରାସ୍ତାର ଉନ୍ନତିକରଣକୁ ପ୍ରାଧାନ୍ୟ ଦିଆଯାଇଥିଲା।
ଆମେରିକାର ବିଖ୍ୟାତ ପ୍ରିନ୍‌‌ସଟନ୍‌‌ ବିଶ୍ୱବିଦ୍ୟାଳୟରେ ଅତିଥି ପ୍ରାଧ୍ୟାପକ ଅଶୋକ ମୋଦୀ ତାଙ୍କ ସଦ୍ୟ ପ୍ରକାଶିତ ପୁସ୍ତକ “ଭଗ୍ନ ଭାରତ : ଲୋକେ ପ୍ରତାରିତ : ୧୯୪୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ”ରେ ଏ ପର୍ଯ୍ୟନ୍ତ ଶାସନ ଦାୟିତ୍ୱରେ ଥିବା ସବୁ ପ୍ରଧାନମନ୍ତ୍ରୀ ବିଭିନ୍ନ ସମୟରେ ଯାହା ଦେଶ ପାଇଁ ସବୁଠାରୁ ବେଶୀ ଆବଶ୍ୟକ ତାହାକୁ ପ୍ରାଥମିକତା ନଦେବା ଯୋଗୁଁ ଦେଶର ପ୍ରକୃତ ଏବଂ ନ୍ୟାଯ୍ୟ ବିକାଶ ହୋଇପାରି ନାହିଁ ଏବଂ ସେହି ଦୃଷ୍ଟିରୁ ସେମାନେ ବିଫଳ ହିଁ ହୋଇଛନ୍ତି ବୋଲି ଯୁକ୍ତି ଉପସ୍ଥାପନ କରିଛନ୍ତି। ପ୍ରଫେସର ମୋଦୀଙ୍କ ମତରେ ଜବାହରଲାଲ ନେହେରୁ ଥିଲେ ଜ୍ଞାନୀ, ଆଦର୍ଶବାଦୀ ଓ ଲୋକପ୍ରିୟ ପ୍ରଧାନମନ୍ତ୍ରୀ; କିନ୍ତୁ ସେ ତାଙ୍କର ଅବଧାରଣା ଗୁଡିକୁ କାର୍ଯ୍ୟରେ ପରିଣତ କରିବାରେ ଥିଲେ ଅସମର୍ଥ। ଯେତେବେଳେ ପ୍ରାଥମିକ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ସର୍ବାପେକ୍ଷା ଅଧିକ ପ୍ରାଥମିକତା ଦେବା ଉଚିତ୍‌‌ ହୋଇଥାନ୍ତା, ସେତେବେଳେ ସେ ବୃହତ୍‌‌ ଶିଳ୍ପ ଓ ଉଚ୍ଚମାନର ଅଭିଜାତ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଉପରେ ବେଶୀ ଗୁରୁତ୍ୱ ଦେଇଥିଲେ। ଦେଶ ବିକାଶର ଭିତ୍ତି ହେଉଛି ଏକ ସମର୍ଥ ମାନବ ସମ୍ବଳ। ପୃଥିବୀର ପ୍ରାୟ ସବୁ ବିକଶିତ ଓ ସମୃଦ୍ଧ ଦେଶ ପ୍ରାଥମିକ ଶିକ୍ଷା, ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବାର ଉଦାହରଣ ରହିଛି; କିନ୍ତୁ ଭାରତରେ ଏହି ବିଷୟଗୁଡିକୁ ଅବହେଳା କରାଯାଇଛି। ଗଣତନ୍ତ୍ରର ପ୍ରତିଷ୍ଠା ଓ ତା’ର ସୁଦୃଢୀକରଣ ପାଇଁ ପଣ୍ଡିତ ନେହେରୁଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ। ଗଣତନ୍ତ୍ର ସାଧାରଣ ମଣିଷର ସ୍ୱପ୍ନ ଓ ଅଭିଳାଷକୁ ସାକାର କରିବା ପାଇଁ ଏକ ମାଧ୍ୟମ ଏବଂ ତାହା ଯଦି ନହେଲା ଗଣତନ୍ତ୍ର କେବଳ ଏକ ଔପଚାରିକତାରେ ହିଁ ସୀମିତ ହୋଇ ରହିଯିବ, ଏହା ହେଉଛି ପ୍ରଫେସର ମୋଦୀଙ୍କର ଯୁକ୍ତି। ତାଙ୍କ ମତରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସହିତ ମହିଳାମାନଙ୍କର କର୍ମନିଯୁକ୍ତି ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ସର୍ବାଦୌ ଆବଶ୍ୟକ ଏବଂ ଏସବୁ ପ୍ରତି ଯେତିକି ଧ୍ୟାନ ଦେବା କଥା ଭାରତର କୌଣସି ପ୍ରଧାନମନ୍ତ୍ରୀ ତାହା ଦେଇ ନାହାନ୍ତି।
ମେଇଜି ଶାସନର ପୁନରୁତ୍‌‌ଥାନ ପରେ ଜାପାନର ଆଧୁନିକୀକରଣ ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା ସେଥିରେ ସାର୍ବଜନୀନ ଶିକ୍ଷାର ଗୁରୁତ୍ୱ ଥିଲା ଖୁବ୍‌‌ ବେଶୀ। ୧୮୭୧ରେ ଶିକ୍ଷା ମନ୍ତ୍ରଣାଳୟ ପ୍ରତିଷ୍ଠା କରାଯାଇଥିଲା ଏବଂ ୧୮୭୨ରୁ ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ କରାଗଲା। ବିଶ୍ୱବିଦ୍ୟାଳୟ ଶିକ୍ଷା ଉପରେ ଗୁରୁତ୍ୱ ଦେବା ପୂର୍ବରୁ ଜାପାନ ନିଶ୍ଚିତ କରିଥିଲା ଯେ ପ୍ରତ୍ୟେକ ପିଲା ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପାଇବ। ଏହା ସହିତ ସେଠାରେ କୃଷି ଉତ୍ପାଦନ ବୃଦ୍ଧିକୁ ପ୍ରାଧାନ୍ୟ ଦିଆଯିବା ସହିତ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ବିକାଶ ପ୍ରତି ଧ୍ୟାନ ଦିଆଯାଇଥିଲା। ଏହାଦ୍ୱାରା ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଥିଲା। ନେହେରୁ ହୁଏତ ଜାଣିଥିଲେ ଯେ ଜାପାନର ଉଦାହରଣ ଭାରତ ଅନୁସରଣ କରିବା ଠିକ୍‌‌ ହୋଇଥାନ୍ତା। ତାଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ସେ ନିୟମିତ ଭାବରେ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ଭାରତର ସମସ୍ୟା ଓ ଭବିଷ୍ୟତ ଇତ୍ୟାଦି ସମ୍ପର୍କରେ ମତ ବିନିମୟ କରୁଥିଲେ। ୧୯୪୯ ମସିହାରେ ସେ ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଥିବା ଏକ ଚିଠିରେ ଜାପାନ ବିଷୟରେ ଉଲ୍ଲେଖ କରିଥିଲେ; କିନ୍ତୁ ସେ ସମୟରେ ବୃହତ୍‌‌ ଶିଳ୍ପ ସପକ୍ଷରେ ମଧ୍ୟ ବିଶ୍ୱବ୍ୟାପୀ ଉତ୍ସାହ ରହିଥିଲା। ୧୯୫୦ ଦଶକ ଶେଷ ବେଳକୁ ତାଇୱାନ ଓ କୋରିଆ ପରି ଦେଶ ରପ୍ତାନି ଉପରେ ବେଶୀ ଜୋର ଦେଲେ ବିଶ୍ୱ ବଜାରକୁ ବିଭିନ୍ନ ପଦାର୍ଥ ଯୋଗାଇବା ପାଇଁ। ରପ୍ତାନି ପାଇଁ ବିଭିନ୍ନ ଦ୍ରବ୍ୟ ଉତ୍ପାଦନରେ ଅଧିକ ଶ୍ରମିକ କର୍ମ ନିଯୁକ୍ତି ପାଇଲେ। ଏହି ଦେଶଗୁଡିକ ମାନବ ସମ୍ବଳର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ।
ଏସବୁ ବିଷୟ ଆଲୋଚନା କରିବା ପରେ ବର୍ତ୍ତମାନର ଭାରତ ସରକାରଙ୍କର ଅର୍ଥନୈତିକ ନୀତି ସମ୍ପର୍କରେ ପ୍ରଫେସର ମୋଦୀ ଆଲୋଚନା କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ପଣ୍ଡିତ ନେହେରୁଙ୍କ ସରକାର ଓ ବର୍ତ୍ତମାନର ସରକାରଙ୍କ ନୀତି ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। କେନ୍ଦ୍ର ଓ ଅଧିକାଂଶ ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଉଥିବା ଦେଖାଯାଏ। ପ୍ରକୃତରେ ଏପରି ଶିଳ୍ପାୟନ ହେବା କଥା ଯାହାଦ୍ୱାରା ଅଧିକ ଲୋକ କର୍ମ ନିଯୁକ୍ତି ପାଇବେ। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ଅଧିକ କର୍ମ ନିଯୁକ୍ତିର ସମ୍ଭାବନା ଥାଏ; କିନ୍ତୁ ଏବେ ମଧ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ତୁଳନାରେ ଭାରୀ ଓ ବୃହତ୍‌‌ ଶିଳ୍ପ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି, ଯେଉଁଥିରେ କର୍ମନିଯୁକ୍ତିର ସୁଯୋଗ ସ୍ୱଳ୍ପ। କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଯେ କୌଣସି ସରକାରଙ୍କର ପ୍ରାଥମିକତା ହେବା କଥା। ପ୍ରକୃତରେ ପୁଞ୍ଜି ନିବେଶ ଉପରେ ଅନେକ ଗୁରୁତ୍ୱ ଦିଆଯାଉଥିବା ବେଳେ କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି ଉପରେ ଆନୁପାତିକ ଗୁରୁତ୍ୱ ନାହିଁ। ୨୦୧୨ରେ ଆମ ଦେଶରେ ଯେତିକି ଲୋକ କର୍ମ ନିଯୁକ୍ତି ପାଇଥିଲେ ୨୦୧୮ରେ ତାହା ଠାରୁ କମ୍‌‌ ଲୋକ ନିଯୁକ୍ତି ପାଇଥିବା ପରିସଂଖ୍ୟାନ କହେ। ଏହା ମଧ୍ୟରେ ପ୍ରାଥମିକ, ମାଧ୍ୟମିକ ଓ ଉତ୍ତର ମାଧ୍ୟମିକ ସ୍ତରରେ ଝିଅମାନଙ୍କର ସଂଖ୍ୟାରେ ବିଶେଷ ବୃଦ୍ଧି ଲକ୍ଷ୍ୟ କରାଯାଉଛି। କିନ୍ତୁ କର୍ମ ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କର ଯୋଗଦାନ କମିବାରେ ଲାଗିଛି। ଶ୍ରମରେ ମହିଳାମାନଙ୍କ ଯୋଗଦାନ ୨୦୧୧ରେ ୩୫.୮% ଥିବାବେଳେ ୨୦୧୯ରେ ଏହା ୨୬.୪%କୁ ଖସି ଆସିଥିବା ଜଣାପଡ଼ିଛି। ଅର୍ଥନୀତିରେ ମହିଳାମାନଙ୍କ ଯୋଗଦାନ ଓ ସୁଯୋଗ ମାପକାଠିରେ ୧୫୩ ଦେଶ ମଧ୍ୟରେ ଭାରତର ସ୍ଥାନ ୧୪୯ ଥିବା ବିଷୟ ବିଶ୍ୱ ଅର୍ଥନୈତିକ ଫୋରମ୍‌‌ ରିପୋର୍ଟରୁ ଜଣାପଡେ। ୧୯୫୦ ଓ ୧୯୬୦ ଦଶକରେ ରାଷ୍ଟ୍ରାୟ ଭାରୀ ଶିଳ୍ପକୁ ପ୍ରାଥମିକତା ଦିଆଯାଉଥିଲା; ଏବେ ସେଇଆ ହିଁ ହେଉଛି; କିନ୍ତୁ ଘରୋଇ କ୍ଷେତ୍ରରେ। ସାମ୍ପ୍ରତିକ ଶିଳ୍ପାୟନରେ ଅଧିକ ସୁବିଧା ସୁଯୋଗ ଦେବା ଦେଖାଯାଉଛି ଏକ ସୀମିତ ସଂଖ୍ୟାର ଉଦ୍ୟୋଗୀମାନଙ୍କୁ। ଯାହା ଅଧିକ ଚିନ୍ତାର ବିଷୟ ତାହା ହେଉଛି ଶିଳ୍ପାୟନ ଓ ଭିତ୍ତିଭୂମି ନିର୍ମାଣ ସମୟରେ ପରିବେଶ ସୁରକ୍ଷାକୁ ଅଣଦେଖା କରାଯାଉଛି। ବିକାଶର ଏହି ନକ୍ସା ଭାରତ ପରି ଏକ ଦେଶ ପାଇଁ ଉପଯୁକ୍ତ କି ନୁହେଁ ତାହା ବିଚାର କରାଯାଉନାହିଁ।
ଏବେ ମଧ୍ୟ ଶିକ୍ଷା ପାଇଁ ବଜେଟରେ ଯେତିକି ବ୍ୟୟବରାଦ ହେବା କଥା ତାହା ହେଉନାହିଁ। ନିକଟରେ ମିଳିଥିବା ତଥ୍ୟରୁ ଜଣାପଡେ ଯେ ଓଡ଼ିଶାରେ ବହୁ ସଂଖ୍ୟକ ପ୍ରାଥମିକ ସ୍କୁଲରେ ଆବଶ୍ୟକ ସଂଖ୍ୟାର ଶ୍ରେଣୀଗୃହ ନାହିଁ। ଗତ କେତେ ବର୍ଷ ମଧ୍ୟରେ ଅନେକ ସ୍କୁଲ ବନ୍ଦ କରାଯାଇଛି ଯାହାଫଳରେ ବହୁ ସଂଖ୍ୟକ ପିଲା ଶିକ୍ଷାରୁ ବଞ୍ଚିତ ମଧ୍ୟ ହୋଇଛନ୍ତି। ଅନୁଷ୍ଠାନମାନଙ୍କରେ ଆବଶ୍ୟକ ସଂଖ୍ୟାର ଶିକ୍ଷକ ନାହାନ୍ତି। ପ୍ରାଥମିକ ଶିକ୍ଷା ମାତୃଭାଷାରେ ହେବା ଉଚିତ୍‌‌ ବୋଲି କୁହାଯାଉଥିବା ବେଳେ ଇଂରାଜୀ ମାଧ୍ୟମ ଶିକ୍ଷା ପ୍ରତି ରାଜ୍ୟ ସରକାରଙ୍କର ଅହେତୁକ ଦୁର୍ବଳତା ଥିବା ଦେଖାଯାଉଛି। ଏହା କେବଳ ଓଡ଼ିଶାର ନୁହେଁ, ବୋଧହୁଏ ଆମ ଦେଶର ଅଧିକାଂଶ ରାଜ୍ୟର ସମସ୍ୟା। ଏହା ଛଡ଼ା ପ୍ରଶ୍ନ ଉଠୁଛି ଆମ ଅନୁଷ୍ଠାନମାନଙ୍କ ଜରିଆରେ ଯେଉଁ ଶିକ୍ଷା ଦିଆଯାଉଛି ତାହା କେଉଁ ମାନର। ‘ପ୍ରଥମ’ ଅନୁଷ୍ଠାନର ସ୍କୁଲ ଶିକ୍ଷା ସମ୍ପର୍କୀୟ ରିପୋର୍ଟ (ଆସର) – ୨୦୨୨ ଅନୁସାରେ ଅଧିକାଂଶ ରାଜ୍ୟରେ ସ୍କୁଲ ଶିକ୍ଷାରେ କୌଣସି ଉନ୍ନତି ହେଉଥିବା କଥା ଲକ୍ଷ୍ୟ କରାଯାଉ ନାହିଁ। ଅଷ୍ଟମ ଶ୍ରେଣୀର ପିଲା ପଞ୍ଚମ ଶ୍ରେଣୀ ପିଲାଙ୍କର ପାଠ୍ୟ ପୁସ୍ତକ ପଢ଼ିବାରେ ଅକ୍ଷମ ବୋଲି ତଥ୍ୟ ମିଳୁଛି। ଗଣିତରେ ମଧ୍ୟ ସେହିଭଳି ଅବସ୍ଥା। ଶିକ୍ଷା ପାଇଁ ଏକ ଦୂରଦର୍ଶୀ ଚିନ୍ତାଶୀଳ ଯୋଜନାର ଆବଶ୍ୟକତା ଥାଏ। ସରକାରମାନେ ଯେତେବେଳେ ଗଣମାଧ୍ୟମରେ ଚହଳ ସୃଷ୍ଟି କରିବା ପରି ନିଷ୍ପତ୍ତି ନେବା ପାଇଁ ସତତ ଆଗଭର ହୁଅନ୍ତି ସେତେବେଳେ ଶିକ୍ଷାର ଗୁଣାତ୍ମକ ମାନ ପଛକୁ ରହିଯାଏ। ଅନେକ ସମୟରେ ମନେହୁଏ ଯେପରି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରତିଦିନ ଅନେକ କିଛି ନୂଆ କଥା ହେଉଛି। ସମ୍ବାଦପତ୍ରର ଶିରୋନାମାରେ ପ୍ରକାଶିତ ଏସବୁ ଘୋଷଣା ହୁଏତ କିଛି ଲୋକଙ୍କୁ କିଛି ସମୟ ପାଇଁ ଆଚମ୍ବିତ କରି ଦେଇପାରେ; କିନ୍ତୁ ଶିକ୍ଷା ଓ ସ୍ୱାସ୍ଥ୍ୟର ମୂଳ ଭିତ୍ତିରେ କିଛି ଉନ୍ନତି ହେଉ ନଥାଏ। ଯାହା କିଛି ପରିବର୍ତ୍ତନ ହେଉଥାଏ ବା ହେବାପରି ମନେ ହେଉଥାଏ ସେଗୁଡିକ ଘଟୁଥାଏ କେବଳ ଉପର ଠାଉରିଆ ଭାବରେ।
ଉପରୋକ୍ତ ବିଷୟଗୁଡ଼ିକୁ ବିଚାରକୁ ନେଇ ଅର୍ଥନୀତିଜ୍ଞ ପ୍ରଫେସର ଅଶୋକ ମୋଦୀ ୧୯୪୭ ମସିହା ପରଠାରୁ ଭାରତର ଲୋକମାନଙ୍କ ପ୍ରତି ନ୍ୟାୟ କରାଯାଇନାହିଁ ବୋଲି ଯୁକ୍ତି କରିଛନ୍ତି। ଅତୀତରେ ଯେଉଁସବୁ ତ୍ରୁଟି ପାଇଁ ଆମ ଦେଶ ଯେତିକି ବିକଶିତ ହେବା କଥା ତାହା ହୋଇପାରି ନଥିଲା, ଏବେ ମଧ୍ୟ ସେସବୁ ତ୍ରୁଟିକୁ ସୁଧାରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ଆନ୍ତରିକ ଉଦ୍ୟମର ଅଭାବ ଅଛି।

ଅରବିନ୍ଦ ବେହେରା
ଏନ-୧,ଏ/୭, ଆଇଆର୍‌ସି ଭିଲେଜ୍‌‌, ଭୁବନେଶ୍ୱର
ଦୂରଭାଷ: ୯୪୩୭୦୩୬୭୪୦

Comments are closed.