ସାମାଜିକ ବିଭ୍ରାଟର କାରଣ ଓ ନିରାକରଣ

ଆଜିକାଲି ପ୍ରତିଟି ଖବର କାଗଜରେ ଛାଇ ହୋଇ ଯାଉଛି ସାମାଜିକ ବିଭ୍ରାଟର ନଗ୍ନ ନମୁନା ନେଇ ପ୍ରକାଶ ପାଉଥିବା ଅନେକ ଖବର, ଯନ୍ତ୍ରଣାପ୍ରଦ ଖବର, ଅତ୍ୟନ୍ତ ସମ୍ବେଦନଶୀଳ ଖବର। ଏଇ ନିର୍ଦୟ ତଥା ଅନାକାଂକ୍ଷିତ ଖବର ପଢ଼ି ହଠାତ୍‍ ବ୍ୟତିବ୍ୟସ୍ତ ହୋଇପଡ଼େ ଜଣେ ସମ୍ବେଦନଶୀଳ ପାଠକ। ମାନବିକତାର ଦାୟରେ ଅତ୍ୟନ୍ତ ବିକଳ ହୋଇଉଠେ ସେ। ଦୋହଲି ଯାଏ ତା’ର ମନ ଆଉ ହୃଦୟ। ପ୍ରଭାବିତ ହୁଏ ଚିନ୍ତା ଆଉ ଚେତନା। ଏପରିକି କ୍ଷଣିକ ପାଇଁ ଶୂନ୍ୟ ହୋଇଯାଏ ତା’ର ଭାବନା ଶକ୍ତି। ହେଲେ ସେ ଥାଏ କିଂ କର୍ତ୍ତବ୍ୟବିମୂଢ଼। କାହାକୁ କିଛି କହିବାର କି କରିବାର ଉପାୟ ନଥାଏ। ସୁଧୁରି ଯିବାକୁ କାହାକୁ କିିଛି କହିଲେ ବି ଆଜିକାଲି ଶୁଣୁଛି ଅବା କିଏ?
ହତ୍ୟା, ଧର୍ଷଣ, ଲୁଣ୍ଠନ, ଡକାୟତି, ରାହାଜାନି, ଆତ୍ମହତ୍ୟା ଇତ୍ୟାଦି ଅପରାଧ ଯେମିତି କି ଗୋଟିଏ ଗୋଟିଏ ସାମାନ୍ୟ ଘଟଣା ହୋଇ ଗଲାଣି ଆଜିକାର ସମାଜରେ। ଧନ, ସମ୍ପତ୍ତିର ଲୋଭ ନତୁବା ମିଥ୍ୟା ଆଭିଜାତ୍ୟ ପାଇଁ କୋଉଠି ଭାଇବୁକୁରେ ଛୁରୀିଚଳେଇ ଦେଲାଣି ଭାଇ, ତ କୋଉଠି ମାଆ କି ବାପାକୁ ହାଣି ପକେଇଲାଣି ପୁଅ। କୋଉଠି ସ୍ୱାମୀ ହତ୍ୟା ପାଇଁ ସୁପାରି ଦେଲାଣି ସ୍ତ୍ରୀ ତ ଅନ୍ୟ କୋଉଠି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲାଣି ସ୍ୱାମୀ। ଏହାକୁ ତାଳଦେଇ ବଢ଼ିବାରେ ଲାଗିଛି ଏବେ ମାନସିକ ଅବସାଦ ବା ଏନ୍‍ଜାଇଟି। ଆହୁରି ମଧ୍ୟ ଅହେତୁକ ଭାବେ ବଢ଼ିବାରେ ଲାଗିଛି ମାନସିକ ରୋଗୀଙ୍କ ସଂଖ୍ୟା। ସହରର ଗଳିକନ୍ଦି, ଭଙ୍ଗାଘର, ଗଛମୂଳ ଅଥବା ରାସ୍ତାକଡ଼ରେ ସେମାନଙ୍କ କ୍ରମବର୍ଦ୍ଧିଷ୍ଣୁ ସଂଖ୍ୟାକୁ ଦେଖିଲେ ଭୟରେ ଶିହରି ଉଠୁଛି ଦେହ। ଶୀତ, ଖରା, ବର୍ଷାରେ ନିତିଦିନ ବିତୁଛି ସେଇ ଅସହାୟ ମଣିଷମାନଙ୍କର କରୁଣ ଜୀବନ।
ଆମ ସମାଜରେ ନିତିଦିନ ଏତେସବୁ ଅଘଟଣ ସଂଘଟିତ ହେଉଛି, ଅଥଚ ତାକୁ ଦେଖିବାକୁ, ଶୁଣିବାକୁ କିମ୍ବା ଏଇସବୁ ସମସ୍ୟାର ସ୍ଥାୟୀ ପ୍ରତିକାର ବିଷୟରେ ଚିନ୍ତା କରିବାକୁ କାହା ପାଖରେ ସମୟ ନାହିଁ ବୋଧହୁଏ। ହୁଏ ତ ଏହା ଚିନ୍ତା କରିବାର ବିଷୟ ନୁହେଁ ଆମର ଚିନ୍ତାନାୟକ ଏବଂ/ଅଥବା ଶାସକ ପ୍ରଶାସକମାନଙ୍କ ପାଇଁ। ହେଲେ ପ୍ରତିଦିନ ଏସବୁ ଦେଖି ଶୁଣି କିଛି ସଚେତନ ମଣିଷଙ୍କ ମନରେ ବସା ବାନ୍ଧିବାକୁ ଲାଗିଛି ସନ୍ଦେହ। ଉଙ୍କି ମାରିବାରେ ଲାଗିଛି ଏଇ ପ୍ରଶ୍ନ “ପ୍ରକୃତରେ ଆମେ ମଣିଷମାନେ କ’ଣ ସାମାଜିକ ପ୍ରାଣୀ? ଜୀବ ଜଗତରେ ସତରେ ଆମେ ଶ୍ରେଷ୍ଠଜୀବ ନା ଇତର ପ୍ରାଣୀମାନଙ୍କ ଠାରୁ ମଧ୍ୟ ଅତିଶୟ ହୀନ? ହେଲେ ଏହାର ସମୁଚିତ ଉତ୍ତର ଦେବ କିଏ ? ଆମ ସମାଜରେ ଦେଖାଯାଉଥିବା ଏତେ ସବୁ ସାମାଜିକ ବିଭ୍ରାଟର ସମାଧାନ କି ନିରାକରଣ କରିବାରେ କ’ଣ କାହାର କିଛି ଭୂମିକା ନାହିଁ? ଦାୟିତ୍ୱ କି କର୍ତ୍ତବ୍ୟ କିଛି ନାହିଁ?”
ଏହା ଧ୍ରୁବସତ୍ୟ ଯେ ମଣିଷ ହେଉଛି ଏକ ସାମାଜିକ ପ୍ରାଣୀ। ସାମାଜିକ ବନ୍ଧନରେ ବାନ୍ଧିହୋଇ ଆଜୀବନ ବଞ୍ଚି ରହିବାକୁ ପସନ୍ଦ କରିଥାନ୍ତି ସମସ୍ତେ। ଏଇ ବନ୍ଧନ ଏକ ଅଦୃଶ୍ୟ ରଜ୍ଜୁର, ପ୍ରେମ ଆଉ ପ୍ରୀତିର, ଭାବ ଏବଂ ଭକ୍ତିର। ଏହା ମଧ୍ୟ ସତ ଯେ ତ୍ୟାଗର ମୂଳଦୁଆ ଉପରେ ତିଷ୍ଠି ରହିଛି ଆମ ପରିବାର ତଥା ସମଗ୍ର ମାନବ ସମାଜ। କେବଳ ସେଇଥି ପାଇଁ ଅନ୍ୟର ଦୁଃଖ ଦୈନ୍ୟତାରେ ବିକଳ ହୁଏ ଆମର ହୃଦୟ। ଆପେ ଆପେ ଲମ୍ବିଯାଏ ସାହାଯ୍ୟ ଆଉ ସହାନୁଭୂତିର ହାତ। ତେବେ କାହିଁକି ଘଟି ଚାଲିଛି ଏତେ ସବୁ ଅଘଟଣ? ଏଇ କଥା ଭାବିଲା ବେଳକୁ ଗୋଳମାଳ ହୋଇ ଯାଉଛି ଜଣେ ମନନଶୀଳ ମଣିଷର ମୁଣ୍ଡ। ଆଖିରୁ ହଜିଯାଉଛି ନିଦ। ଅସ୍ଥିର ହୋଇ ଉଠୁଛି ମନ। ଯେତେ ଭାବିଲେ ହେଁ ବୁଝି ହେଉନାହିଁ ଏହାର ଠିକ୍‍ କାରଣ। ଆଉ କାରଣ ଜାଣିବା ବିନା ନିରାକରଣ ବାହାର କରିବା ନିଶ୍ଚିତ ରୂପେ ଅସମ୍ଭବ। ତେଣୁ ନିତିଦିନ ଆମ ସମାଜରେ ସଂଘଟିତ ହେଉଥିବା ଘଟଣାସମୂହର ଅନୁଧ୍ୟାନ, ବିଶ୍ଲେଷଣ ଏବଂ ଅନୁଶୀଳନ ହେବା ନିତାନ୍ତ ପ୍ରୟୋଜନ। ସାମାଜିକ ଗଣମାଧ୍ୟମରେ ସହୃଦୟତାର ସହିତ ଏହାର ଆଲୋଚନା ଏବଂ ପର୍ଯ୍ୟାଲୋଚନା କରାଯିବା ମଧ୍ୟ ଆବଶ୍ୟକ। ତା ସହିତ ଲୋଡ଼ିବା କଥା ସମସ୍ୟା ସମାଧାନର ପନ୍ଥା।
ଏଇ ଦେଶ ଦିନେ ଉଦାତ୍ତ କଣ୍ଠରେ ଘୋଷଣା କରୁଥିଲା “ଅୟଂ ନିଜଃ ପରୋବେତି ଗଣନା ଲଘୁଚେତସାମ୍‍, ଉଦାର ଚରିତାନାଂ ତୁ ବସୁଧୈବ କୁଟୁମ୍ବକମ୍‍।” ନିଜପରର ଭେଦଭାବକୁ ସଂକୀର୍ଣ୍ଣମନାଙ୍କ କାର୍ଯ୍ୟ ଭାବେ ବିଚାର କରି ସାରା ସଂସାରକୁ ନିଜର ଘର ବୋଲି ଭାବୁଥିଲା ଏ ଦେଶର ଉଦାର ଚରିତ୍ରର ମଣିଷ। ସାରା ସଂସାରର ମଣିଷମାନଙ୍କୁ ନିଜର ଭାଇ ବନ୍ଧୁ କୁଟୁମ୍ବ ଭାବେ ଗ୍ରହଣ କରି ନେଇଥିଲା ସେ। ଆହୁରି ମଧ୍ୟ ଭାବୁଥିଲା କୀଟରୁ ବ୍ରହ୍ମ ପର୍ଯ୍ୟନ୍ତ ପ୍ରତ୍ୟେକ ସଜୀବ ପ୍ରାଣୀ ହେଉଛନ୍ତି ଈଶ୍ୱରଙ୍କ ସ୍ୱରୂପ। ନିର୍ଜୀବ କାଠ, ପାଷାଣ, ଏପରି କି ଧୂଳିକଣାରେ ମଧ୍ୟ ଅନୁଭବ କରି ପାରୁଥିଲା ପରମାତ୍ମାଙ୍କ ସତ୍ତା। ଆହୁରି ମଧ୍ୟ ଘୋଷଣା କରୁଥିଲା “ପରାର୍ଥଂ ଇଦଂ ଶରୀରମ୍‍”। ଆବଶ୍ୟକ ହେଲେ ଅନ୍ୟର ଜୀବନ ରକ୍ଷା ପାଇଁ ମହର୍ଷି ଦଧୀଚିଙ୍କ ପରି ହସି ହସି ଆପଣାର ଜୀବନ ବିସର୍ଜନ କରିବାକୁ ମଧ୍ୟ ପଶ୍ଚାତ୍‌ପଦ ହେଉ ନଥିଲା ଏ ଦେଶର ମଣିଷ। ହେଲେ ଆଜି ଏମିତି କଣ ଗୋଟେ ହୋଇଗଲା ଏଇ ମହାନ ସଂସ୍କୃତିର ଦାୟାଦମାନଙ୍କର? କାହିଁକି ବଢ଼ିବାରେ ଲାଗିଛି ତାଙ୍କର ନୈତିକ ଅଧୋପତ୍ତନ? କାହିଁକି ନିମ୍ନଗାମୀ ହେବାରେ ଲାଗିଛି ଆମ ସମସ୍ତଙ୍କ ଚିତ୍ତ ଓ ଚରିତ୍ର? ଏ ବିଷୟରେ ଗଭୀର ଅନୁଶୀଳନ କରିବା ସଙ୍ଗେ ସଙ୍ଗେ ସମସ୍ୟା ସମାଧାନର ବାଟ ଖୋଜିବାର ଆବଶ୍ୟକତା ମଧ୍ୟ ରହିଛି।
ଆଜିକାର ସାମାଜିକ ବିଭ୍ରାଟକୁ ଅନୁଧ୍ୟାନ କଲେ ଯେଉଁ କେତୋଟି କାରଣ ଆମର ଦୃଷ୍ଟି ଗୋଚର ହୁଏ, ତା ମଧ୍ୟରୁ ପ୍ରଥମ ତଥା ପ୍ରମୁଖ କାରଣ ହେଉଛି ଆଜିକାର ମଣିଷମାନେ ଅତ୍ୟନ୍ତ ବସ୍ତୁବାଦୀ, ନ୍ୟସ୍ତସ୍ୱାର୍ଥ ସର୍ବସ୍ୱ ଏବଂ ସମ୍ପୂର୍ଣ୍ଣ ରୂପେ ଆତ୍ମକୈନ୍ଦ୍ରିକ। ନିଶାଦ୍ରବ୍ୟର ଅବିଚାରିତ ତଥା ବହୁଳ ବ୍ୟବହାର ସାମାଜିକ ବିଭ୍ରାଟର ଅନ୍ୟତମ କାରଣ। ଇଚ୍ଛା ମୁତାବକ ଅର୍ଥ ଉପାର୍ଜନ ସୁଯୋଗର ଅଭାବ ଯୋଗୁଁ ଆଧୁନିକ ମଣିଷ ମନରେ ବଢ଼ିବାରେ ଲାଗିଛି ଈର୍ଷା ଏବଂ ପରଶ୍ରୀକାତରତା। ଏକାନ୍ନବର୍ତ୍ତୀ ବା ଯୌଥ ପରିବାର ବଦଳରେ ଅଣୁ ପରିବାରର ଅଦ୍ଭ୍ୟୁଦୟ ଯୋଗୁଁ ବଢ଼ିବାରେ ଲାଗିଛି ଅସହାୟତା ଏବଂ ଏକଲାପଣ। ମଣିଷ ହୃଦୟରୁ ହଜି ଗଲାଣି ମଧ୍ୟ ମହାର୍ଘ ତ୍ୟାଗ ଭାବନା। ଆହରଣ ସର୍ବସ୍ୱ ମାନସିକତା ଯୋଗୁଁ ଆଧୁନିକ ମଣିଷଙ୍କ ଭିତରେ ଦେଖା ଯାଉଛି ସହନଶୀଳତା ତଥା ସମ୍ବେଦନଶୀଳତାର ଅଭାବ। ପରିବାର ତଥା ଭାଇବନ୍ଧୁ, ଜ୍ଞାତି ପରିଜନଙ୍କଠୁ କ୍ରମଶଃ ଦୂରେଇ ଯାଉଛି ସେ। ଯେଉଁଥି ପାଇଁ ଅସୁବିଧା ସମୟରେ ଆଜିକାର ମଣିଷ ନିଜକୁ ଖୁବ୍‍ ଅସହାୟ ଏବଂ ବିବଶ ମନେ କରୁଛି। ଧନ, ସମ୍ମାନ ଏବଂ ପ୍ରତିପତ୍ତି ପଛରେ ଗୋଡ଼େଇ ଗୋଡ଼େଇ ବାଟବଣା ହୋଇଯାଉଛି ସେ। ଶେଷରେ ପରିସ୍ଥିତି ଏମିତି ହେଉଛି ଯେ, କେଉଁଠି କେବେ ଦିନେ ଝୁଣ୍ଟି ପଡ଼ିଲେ ତା’ ହାତଧରି ତଳୁ ଉଠେଇବାକୁ କେହି ନାହାନ୍ତି ଆପଣାର ବୋଲି ଜଣେହେଲେ। ତେଣୁ ଆଧୁନିକ ମଣିଷ ମନରେ ବଢ଼ିବାରେ ଲାଗିଛି ମାନସିକ ଚାପ ତଥା ଆତ୍ମଗ୍ଲାନି।
ଆହୁରି ମଧ୍ୟ ଆମ ସମାଜରେ ଅହେତୁକ ଭାବେ ବଢ଼ିବାରେ ଲାଗିଛି ଧନୀ ଏବଂ ଗରିବଙ୍କ ମଧ୍ୟରେ ଦୂରତା। ଚାକିରି ବୃତ୍ତିର ଅଭାବରୁ ଦାରିଦ୍ର୍ୟ ଏବଂ ଅଭାବ ଅନଟନରେ ଘାଣ୍ଟି ହେଉଥିବା ମଣିଷଟିଏ ସହଜରେ ହୋଇ ଯାଉଛି ପଥଭ୍ରଷ୍ଟ। ଯାହାର ପ୍ରତିଫଳନ ହେଉଛି ଆଜିକାର ଏଇ ରାହାଜାନି, ଡକାୟତି, ଠକେଇ, ବ୍ଲାକ୍‍ମେଲିଂ। ନିତିଦିନ ଏତେ ସବୁ ଅଘଟଣ ଦେଖି ଦେଖି ମଣିଷ ଭିତରୁ ଉଭେଇ ଯାଉଛି ସମ୍ବେଦନଶୀଳତା। ହ୍ରାସ ପାଇବାରେ ଲାଗିଛି ମାନବିକତା। ତତ୍‍ ସଙ୍ଗେ ସଙ୍ଗେ ବୃଦ୍ଧି ପାଇବାରେ ଲାଗିଛି ହିଂସ୍ର ଆଚରଣ ଆଉ କ୍ରୁରତା। ଆୟସ୍ରୋତର ଅଭାବ ସାଙ୍ଗକୁ ଅର୍ଥାଭାବ ଏବଂ ଋଣ ପରିଶୋଧର ଚାପବୃଦ୍ଧି ଯୋଗୁଁ ପରିବାର ଭିତରେ ବଢ଼ି ବଢ଼ି ଚାଲିଛି ଅବିଶ୍ୱାସ, ଅନାସ୍ଥାଭାବ ତଥା କଳହ। ବଢ଼ିବାରେ ଲାଗିଛି ହୃଦୟରୁ ହୃଦୟମାନଙ୍କର ଦୂରତା। ନଷ୍ଟଭ୍ରଷ୍ଟ ହୋଇ ଯାଉଛି ଘର ପରିବାର। ଆଜିର ମଣିଷ ନିଜକୁ ଏକାକୀ ମନେ କରୁଥିବା କାରଣରୁ କାହା ଆଗରେ ପ୍ରକାଶ କରି ପାରୁନାହିଁ ଦୁଃଖ ଯନ୍ତ୍ରଣାଜର୍ଜର ଆପଣା ମନର ଭାବନା। ପାଇ ପାରୁନାହିଁ କାହାଠୁ ସମୁଚିତ ପରାମର୍ଶ କି ଦିଗ୍‍ଦର୍ଶନ। ହଜି ଯାଉଛି ସମସ୍ୟା / ଜଞ୍ଜାଳରୁ ମୁକୁଳିବାର ବାଟ। ତେଣୁ ନିଜକୁ ଅତ୍ୟନ୍ତ ଅସହାୟ ତଥା ଦୁର୍ବଳ ମନେ କରୁଛି ସେ। ଶେଷରେ ହତ୍ୟା ବା ଆତ୍ମହତ୍ୟା ହେଉଛି ଏହାର ଫଳଶ୍ରୁତି ମାତ୍ର।
ଆଜିକାଲି ବଣନିଆଁ ପରି ଆମ ସମାଜରେ ବଢ଼ି ଚାଲିଥିବା ଅଜସ୍ର ସମସ୍ୟାର ସମାଧାନ ନିମନ୍ତେ ଆମ ସମସ୍ତଙ୍କ ସାମାଜିକ ଦାୟିତ୍ୱ ନିର୍ବାହ କରିବାର ସମୟ ଏବେ ଉପଗତ। ଏଣୁ ଏଣିକି ପ୍ରତିଟି ସମସ୍ୟା ପାଇଁ କେବଳ ଶାସକ କି ପ୍ରଶାସକଙ୍କୁ ଦାୟୀକରି ଚୁପ୍‍ ରହିଲେ ଆଉ ଚଳିବ ନାହିଁ। ସମସ୍ୟା ନିରାକରଣକୁ ଦୃଷ୍ଟିରେ ରଖି ଆମକୁ ହିଁ ସଂପାଦନ କରିବାକୁ ପଡ଼ିବ ଆମର ମାନବୀୟ କର୍ତ୍ତବ୍ୟ। ଆମକୁ ମଧ୍ୟ ସହୃଦୟତାର ସହିତ ପୀଡ଼ିତମାନଙ୍କ ପାଇଁ ବଢ଼େଇବାକୁ ହେବ ସହାୟତାର ହାତ। ରଖିବାକୁ ହେବ ଆମ ସମାଜରେ ସଂଘଟିତ ହେଉଥିବା ପ୍ରତିଟି ସନ୍ଦେହାସ୍ପଦ ଘଟଣା ଉପରେ ସଜାଗ ଦୃଷ୍ଟି। ଗ୍ରହଣ କରିବାକୁ ହେବ ସମୟୋଚିତ ପଦକ୍ଷେପ। ପରିବାରମାନଙ୍କରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଥିବା ଅର୍ଥାଭାବ ଏବଂ ଋଣଚାପ ହ୍ରାସ ପାଇଁ ସରକାରୀ ତଥା ବେସରକାରୀ ସ୍ତରରେ ବିଭିନ୍ନ ଅର୍ଥ ଉପାର୍ଜନକାରୀ ଯୋଜନା ପ୍ରଣୟନ କରାଯିବା ସହିତ ତାହାର ସଠିକ୍‍ କାର୍ଯ୍ୟାନ୍ବୟନ ଉପରେ ଗୁରୁତ୍ୱାରୋପ କରିବାକୁ ହେବ ଆମ ସମସ୍ତଙ୍କୁ। ତତ୍‍ ସଙ୍ଗେ ସଙ୍ଗେ ବାହାର କରେଇବାକୁ ହେବ ଦିନକୁ ଦିନ ବଢ଼ି ଚାଲିଥିବା ମନୋବିକାର ସମାଧାନର ବାଟ। ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରିବାକୁ ପଡ଼ିବ ମନୋବୈଜ୍ଞାନିକ ଏବଂ ମନୋଚିକିତ୍ସକମାନଙ୍କୁ, ସାମାଜିକ କାର୍ଯ୍ୟକର୍ତ୍ତାମାନଙ୍କୁ। ନେବାକୁ ହେବ ପୀଡ଼ିତ ଲୋକଙ୍କ ପ୍ରଗାଢ଼ ଯତ୍ନ। ମାନସିକ ବିଷାଦଗ୍ରସ୍ତ ମଣିଷର ଚିକିତ୍ସା ପାଇଁ ବାରମ୍ବାର କରିବାକୁ ହେବ କାଉନ୍‌ସେଲିଂ ଏବଂ ଦେବାକୁ ହେବ ସମୁଚିତ ପରାମର୍ଶ। ଆଇନ ଶୃଙ୍ଖଳାର ସୁଦୃଢ଼ୀକରଣ ସହିତ ଅପରାଧୀମାନଙ୍କର ମନୋଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବା ବିଧେୟ। କାରଣ କେହି ବି ଆଜନ୍ମ ଅପରାଧୀ ନୁହେଁ। ପରିବେଶ ଏବଂ ପରିସ୍ଥିତି ମଣିଷକୁ ଅପରାଧ କରିବାକୁ ବାଧ୍ୟ କରେ। ଠିକ୍‍ ଭାବେ କହିବାକୁ ଗଲେ ପ୍ରତିଟି ଅପରାଧ ହେଉଛି ଏକ ମାନସିକ ବ୍ୟାଧି, ଯାହାର ମୂଳୋତ୍ପାଟନ ନିତାନ୍ତ ଆବଶ୍ୟକ।
ଆଜିକାର ମଣିଷ ହେଉଛି ଅତିଶୟ ସମୟ କାଙ୍ଗାଳ। ଅତ୍ୟନ୍ତ ବ୍ୟସ୍ତ ବହୁଳ ତା’ର କର୍ମମୟ ଜୀବନ। ଅର୍ଥ ଆଉ କ୍ଷମତା ପଛରେ ନିତିଦିନ ରେସ୍‍କୋର୍ସର ଘୋଡ଼ା ପରି ଧାଇଁ ଚାଲିଛି ସେ। ତେଣୁ ପରିବାର ପାଇଁ ସମୟ ଦେଇ ପାରୁନି। ଯାହା ଫଳରେ ଦୁର୍ବଳ ହୋଇ ପଡ଼ୁଛି, ଏମିତି କି ନଷ୍ଟହୋଇ ଯାଉଛି ତା’ର ପାରିବାରିକ ତଥା ସାମାଜିକ ଜୀବନ ଓ ବନ୍ଧନ। କାରଣ ସମାଜର ନିମ୍ନସ୍ତରର ମଣିଷ ଉପରେ ଦୃଷ୍ଟି ନିକ୍ଷେପ କଲେ ମନରେ କେବେହେଲେ ଜାଗ୍ରତ ହେବନାହିଁ ହୀନମନ୍ୟତା। ଏଥିପ୍ରତି ସଚେତନ ହୋଇ ପାରିଲେ ହୁଏତ ଅନେକ ମାତ୍ରା କମିଯିବ ଆମ ଦେଶର ଯାବତୀୟ ସାମାଜିକ ବିଭ୍ରାଟ। ତା ସହିତ ଆନନ୍ଦମୟ ହୋଇ ପାରିବ ଆମ ସମସ୍ତଙ୍କ ଜୀବନ।

prayash

ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ
ଡୁଙ୍ଗୁରୀପାଲି, ସୁବର୍ଣ୍ଣପୁର
ଦୂରଭାଷ:୮୨୪୯୮୦୭୨୬୭

Comments are closed.