ସମ୍ଭ୍ରାନ୍ତ ପରିବାରରେ ଜନ୍ମ ହୋଇଥିେଲ, ପ୍ରାଚୁର୍ଯ୍ୟ ଭିତରେ ଗତି କରୁଥିବାବେଳେ ଦାରିଦ୍ର୍ୟର କଷାଘାତଜନିତ ସାମାନ୍ୟତମ ଅନୁଭୂତି ମଧ୍ୟ ନଥିଲା। ଘଟଣାଚକ୍ରରେ ପିତାଙ୍କର ଆକସ୍ମିକ ମୃତ୍ୟୁ ବିନାମେଘେ ବଜ୍ରପାତ ସଦୃଶ ହୋଇଥିଲା ତାଙ୍କ ଉପରେ। ଦୁଃଖ କଷ୍ଟ କ’ଣ ଜାଣି ନଥିବାବେଳେ ଏବେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଲା ମୁଣ୍ଡ ଉପରେ। ଦିନଦିନ ଧରି ଅନାହାରରେ ରହିବାକୁ ହେଲା। ଆଭିଜାତ୍ୟର ଚିହ୍ନବର୍ଣ୍ଣ ଲୋପ ପାଇଗଲା, ଚିରାଫଟା ପୋଷାକ ସହ ଖାଲି ପାଦରେ ସହରର ବିଭିନ୍ନ ଆଡ଼ ବୁଲିବାକୁ ପଡ଼ିଥିଲା ଜୀବିକାଟିଏ ପାଇଁ। ପରିବାର ସଦସ୍ୟଙ୍କ ମୁଖରେ ମୁଠିଏ ଖାଦ୍ୟ ଦେବା ପାଇଁ ଏହା ଥିଲା ଅତ୍ୟାବଶ୍ୟକ। ଜଠରର ତୀବ୍ର ଜ୍ବାଳାକୁ ସହି ନେଇ ଢ଼ୁ ଢ଼ୁ ବର୍ଷା, ଦି’ ପହରର ପ୍ରଚଣ୍ଡ ଖରାରେ କେତେ ଆଡ଼ ବୁଲିଲେ। ହେଲେ କାହାରିଠୁ ପଦିଏ ବି ଦରଦଭରା କଥା ଶୁଣି ନଥିଲେ। ସବୁ ଦ୍ବାର ରୁଦ୍ଧ ଥିଲା ତାଙ୍କ ପାଇଁ, ମନେମନେ ସ୍ଥିର କରିନେଲେ ଦାରିଦ୍ର୍ୟର କଷାଘାତ ସହ ଜିଇ ରହିବାକୁ ହେବ ତାଙ୍କୁ।
ଏହା ଥିଲା ଯୁବକ ନରେନ୍ଦ୍ରନାଥଙ୍କ ଉପଲବ୍ଧି। ସଂସାର ଯେ ଅନ୍ୟକୁ ଅସୁବିଧାରେ ପକାଇ ରକ୍ତଶୋଷଣ କରୁଥିବା ଅବିବେକୀ, ନିଷ୍ଠୁର ମଣିଷମାନଙ୍କ କ୍ରୀଡ଼ାଭୂମି ଏ ଧାରଣା ନିଶ୍ଚିତ ହୋଇଯାଇଥିଲା। ମା’, ଭାଇ, ଭଉଣୀଙ୍କୁ ମୁଠାଏ ଖାଦ୍ୟ ଯୋଗାଡ଼ ପାଇଁ ଅସମର୍ଥ ନରେନ୍ଦ୍ର ସେଦିନ ରାମକୃଷ୍ଣଙ୍କ ଦର୍ଶନ ପାଇଁ ବ୍ୟଗ୍ର ହୋଇ ପଡ଼ିଲେ। ସନ୍ନ୍ୟାସ ନେବାର ଅଭିଳାଷ ମନ ଭିତରେ ତୀବ୍ର ହୋଇ ଉଠୁଥିଲା। ଭୌତିକ ଜଗତ, ଯାହା ନାନା ଦୁଃଖ, ଦୁର୍ବିପାକ, ନିରାଶା, ଯନ୍ତ୍ରଣାରେ ପରିପୂର୍ଣ୍ଣ ତାଠାରୁ ଊର୍ଦ୍ଧ୍ବରେ ଏକ ମହତ୍ତର ଜଗତ ରହିଛି ବୋଲି ଧାରଣା ଦୃଢ଼ ହୋଇସାରିଥିଲା। ଶ୍ରୀରାମକୃଷ୍ଣଙ୍କୁ ଗୁରୁ ଭାବରେ ଗ୍ରହଣ କରି ସନ୍ନ୍ୟାସ ଜୀବନଯାପନର ନିଷ୍ପତ୍ତି ନେଇ ସାରିଥିଲେ। ଯଦିଓ ନିଜ ପାଇଁ ଏହି ନିଷ୍ପତ୍ତି ନେଇଥିଲେ ତଥାପି ପରିବାରର ଦାରିଦ୍ର୍ୟ ଦୂର ପାଇଁ ମା’ କାଳୀଙ୍କ ନିକଟରେ ପ୍ରାର୍ଥନା କରିବାକୁ ଭାବାତିଶଯ୍ୟରେ ଗୁରୁ ରାମକୃଷ୍ଣଙ୍କୁ କହିଥିଲେ ନରେନ୍ଦ୍ର। ଦୂର ଅନ୍ତରଙ୍ଗ ଶିଷ୍ୟର ମନୋଭାବକୁ ଭଲଭାବରେ ତଉଲିଥିବା ଗୁରୁ କିନ୍ତୁ କହିଥିଲେ ନରେନ୍! ତୁମେ ନିଜେ ମା’ଙ୍କୁ ପ୍ରାର୍ଥନା କର। ଦାରିଦ୍ର୍ୟର ଉତ୍ପୀଡନରେ ଜର୍ଜରିତ ନରେନ୍ଦ୍ର ମା’ଙ୍କ ନିକଟକୁ ଯାଇ ଅବିଶ୍ବସନୀୟ ଭାବରେ ମାଗିଥିଲେ ବୈରାଗ୍ୟ ଜ୍ଞାନ ଓ ଭକ୍ତି ହୃଦୟରେ ଭରିଦେବା ପାଇଁ। ଥରେ ନୁହଁ, ଗୁରୁଙ୍କର ଇଙ୍ଗିତରେ ତିନିତିନିଥର ମା’ଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ଦୁଃଖଦାରିଦ୍ର୍ୟରୁ ମୁକ୍ତି ପରିବର୍ତ୍ତେ ମାଗିଥିଲେ ବୈରାଗ୍ୟ, ଜ୍ଞାନ ଓ ଭକ୍ତି। ବୋଧହୁଏ ଏହା ଥିଲା ଈଶ୍ବରଙ୍କ ଇଚ୍ଛା। ତିନିତିନି ଥର ଦେବୀଙ୍କ ନିକଟକୁ ଯାଇ ବୈରାଗ୍ୟ ବ୍ୟତୀତ କିଛି ମାଗି ପାରିନଥିଲେ ନରେନ୍। ତେବେ ତାଙ୍କର ଏକାନ୍ତ ଅନୁରୋଧରେ ଗୁରୁ ଆଶ୍ବାସନା ଦେଇ କହିଥିଲେ- ‘ତୁମର ପରିବାରରେ ଏବେଠାରୁ ସର୍ବନିମ୍ନ ଆବଶ୍ୟକତା ଅନ୍ନ ଓ ବସ୍ତ୍ରର ଅଭାବ ରହିବ ନାହିଁ।’
ଚିନ୍ତାକଳ୍ପ : ପରମେଶ୍ବରଙ୍କ ଇଚ୍ଛା
Popular Categories



