ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କହିଲେ କେବଳ ବଡ଼ ବଡ଼ ମେଡିକାଲ କଲେଜ ଓ ସହରାଞ୍ଚଳର ହସ୍ପିଟାଲକୁ ବୁଝାଏ ନାହିଁ। ରାଜ୍ୟର ଅସଲ ସ୍ୱାସ୍ଥ୍ୟ ଚିତ୍ର ଗାଁ ଗହଳିରେ, ଆଦିବାସୀ ଏବଂ ଦୁର୍ଗମ ଅଞ୍ଚଳରେ ଦେଖିବାକୁ ମିଳେ। ସେଠାରେ ଯେତେବେଳେ ଜଣେ ଗରିବ ରୋଗୀ ଚିକିତ୍ସା ପାଇଁ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଏ, ସେତେବେଳେ ତାକୁ ଅଧିକାଂଶ ସମୟରେ ଆୟୁଷ ଡାକ୍ତର ହିଁ ଭରସା ଦିଅନ୍ତି; କାରଣ ରାଜ୍ୟରେ ଆଲୋପାଥିକ୍ ଡାକ୍ତରଙ୍କ ଘୋର ଅଭାବ ରହିଛି। ସରକାରୀ ତଥ୍ୟ ଅନୁସାରେ, ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦ ମଧ୍ୟରୁ ପ୍ରାୟ ୩୩% ବା ୪, ୮୮୦ ପଦ ଖାଲି ପଡ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନିୟମ ଅନୁସାରେ ପ୍ରତି ୧, ୦୦୦ ଲୋକରେ ଜଣେ ଡାକ୍ତର ରହିବା କଥା; କିନ୍ତୁ ଓଡ଼ିଶାରେ ଏହି ଅନୁପାତ ୧:୧, ୭୩୫ ରହିଛି। ଏଭଳି ସଙ୍କଟଜନକ ପରିସ୍ଥିତିରେ ଆୟୁଷ ଡାକ୍ତରମାନେ ହିଁ ଗ୍ରାମୀଣ ସ୍ୱାସ୍ଥ୍ୟ ବ୍ୟବସ୍ଥାର ମେରୁଦଣ୍ଡ ସାଜିଛନ୍ତି; ମାତ୍ର ଦୁର୍ଭାଗ୍ୟର ବିଷୟ, ଆଜି ସେହି ମେରୁଦଣ୍ଡ ଭାଙ୍ଗିବାକୁ ବସିଛି।
ଗତ ନଭେମ୍ବର ୨୪ ତାରିଖରୁ ରାଜ୍ୟର ୭ଟି ପ୍ରମୁଖ ଆୟୁଷ କଲେଜରେ ତାଲା ଝୁଲୁଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହା ସହିତ ପ୍ରାୟ ୩, ୦୦୦ ଆୟୁଷ ଡାକ୍ତର ସେବା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଏହା କୌଣସି ସାଧାରଣ ଆନ୍ଦୋଳନ ନୁହେଁ। ବର୍ଷ ବର୍ଷ ଧରି ଅବହେଳିତ ହୋଇଆସୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ବର୍ଗର ଡାକ୍ତର ଓ ଛାତ୍ରଛାତ୍ରୀମାନଙ୍କର ଏହା ହେଉଛି ପୁଞ୍ଜିଭୂତ ଅସନ୍ତୋଷର ବହିଃପ୍ରକାଶ। ସେମାନଙ୍କ ଦାବିଗୁଡ଼ିକ ଭିତରେ ରାଜ୍ୟରେ ‘ଆୟୁଷ ମେଡିକାଲ ଅଫିସର’ ପଦ ସୃଷ୍ଟି, ପିଜି ଓ ପିଏଚ୍ଡି ସିଟ୍ ସଂଖ୍ୟା ବୃଦ୍ଧି, ହାଉସ୍ ସର୍ଜନମାନଙ୍କ ଭତ୍ତା ବୃଦ୍ଧି ଏବଂ ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ଡାକ୍ତରମାନଙ୍କ ଚାକିରି ନିୟମିତ କରିବା ଆଦି ପୂରଣ ହେବା ଦିଗରେ ଆଲୋଚନା ହେବା ନିହାତି ଜରୁରୀ। ଜାତୀୟ ସ୍ୱାସ୍ଥ୍ୟ ମିଶନ ସହ ଆଲୋଚନା ବିଫଳ ହେବା ସ୍ଥିତିକୁ ଆହୁରି ଜଟିଳ କରିଦେଇଛି।
ସରକାର ଗୋଟିଏ ପଟେ ‘ଜାତୀୟ ଆୟୁଷ ମିଶନ’ ଜରିଆରେ ଆୟୁର୍ବେଦ ଓ ହୋମିଓପାଥିକୁ ଗୁରୁତ୍ବ ଦେବାକୁ ବଡ଼ ବଡ଼ ଘୋଷଣା କରୁଛନ୍ତି। ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ ପ୍ରତିଷ୍ଠା କରି ସେଠାରେ ଯୋଗ ଓ ଆରୋଗ୍ୟ କେନ୍ଦ୍ର ଖୋଲିବା କଥା କହୁଛନ୍ତି; କିନ୍ତୁ ଅନ୍ୟପଟେ, ସେହି କେନ୍ଦ୍ରଗୁଡ଼ିକୁ ଚଳାଉଥିବା ଡାକ୍ତରମାନଙ୍କୁ ନ୍ୟାଯ୍ୟ ପ୍ରାପ୍ୟ ଓ ସମ୍ମାନ ଦେବାରେ କୁଣ୍ଠାବୋଧ କରୁଛନ୍ତି। ଏହା ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଦେଇଛି। ଯଦି ଆୟୁଷ ଡାକ୍ତରମାନେ ଏକାସାଙ୍ଗରେ କାର୍ଯ୍ୟବନ୍ଦ କରନ୍ତି, ତେବେ ରାଜ୍ୟର ଗ୍ରାମୀଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବ। ଗାଁ ଗହଳିର ରୋଗୀ, ଗର୍ଭବତୀ ମହିଳା ଓ ଶିଶୁମାନେ ଚିକିତ୍ସା ପାଇଁ ଡହଳ ବିକଳ ହେବେ। ଆଲୋପାଥିକ୍ ଡାକ୍ତରଙ୍କ ଅଭାବ ଥିବାବେଳେ ଆୟୁଷ ଡାକ୍ତରଙ୍କ ଅନୁପସ୍ଥିତି ପରିସ୍ଥିତିକୁ ଅସମ୍ଭାଳ କରିଦେବ। ଏହାର ସିଧାସଳଖ ପ୍ରଭାବ ସେହି ଗରିବ ଲୋକଙ୍କ ଉପରେ ପଡ଼ିବ, ଯେଉଁମାନଙ୍କ ପାଖରେ ଘରୋଇ ହସ୍ପିଟାଲ ଯିବାର ସାମର୍ଥ୍ୟ ନାହିଁ। ସେ ଦୃଷ୍ଟିରୁ ସରକାର ଏହି ସମସ୍ୟାକୁ ଆଉ ଉପେକ୍ଷା ନକରି ଏହାର ସମାଧାନ କରନ୍ତୁ। ଗୋଟିଏ ସୁସ୍ଥ ଓଡ଼ିଶା ଗଠନ ପାଇଁ ଆୟୁଷ ଡାକ୍ତରଙ୍କ ଯୋଗଦାନ ଅପରିହାର୍ଯ୍ୟ, ଏ କଥା ସରକାର ବୁଝିବା ଉଚିତ।



