ବିଶ୍ବାସ ହରାଉଛି ଦେଶର ଅର୍ଥନୀତି
ଭାରତର ଅର୍ଥନୀତି ପାଇଁ ବୁଧବାର ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ଐତିହାସିକ ଭାବେ ହ୍ରାସ ପାଇ ୯୦ ଟଙ୍କା ଅତିକ୍ରମ କରିଯାଇଛି। ଏହା କେବଳ ଏକ ସଂଖ୍ୟା କିମ୍ବା ପରିସଂଖ୍ୟାନ ନୁହେଁ; ବରଂ ଏହା ଆମ ଅର୍ଥବ୍ୟବସ୍ଥା ପାଇଁ ବିପଦର ଏକ ସ୍ପଷ୍ଟ ସଙ୍କେତ। ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିବା ଏବଂ ବାଣିଜ୍ୟ ନିଅଣ୍ଟ ବଢିବା ଯୋଗୁଁଁ ଟଙ୍କାର ଏଭଳି ଦୁର୍ଗତି ହୋଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସ୍ଥିର ରଖିବାକୁ ଅକ୍ଳାନ୍ତ ପରିଶ୍ରମ କରୁଛି। ଏଥିପାଇଁ ଗତ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଆରବିଆଇ ପ୍ରାୟ ୨୬ ବିଲିୟନ ଡଲାର ଖର୍ଚ୍ଚ କରିସାରିଛି, ତଥାପି ଟଙ୍କାର ପତନକୁ ରୋକି ପାରିନାହିଁ। ଦୁଃଖର ବିଷୟ ହେଉଛି, ଏସୀୟ ଦେଶମାନଙ୍କ ମଧ୍ୟରେ ଭାରତୀୟ ମୁଦ୍ରାର ପ୍ରଦର୍ଶନ ଏବେ ସବୁଠାରୁ ନୈରାଶ୍ୟଜନକ ରହିଛି। ଚୀନ୍ ଏବଂ ଇଣ୍ଡୋନେସିଆ ଭଳି ଦେଶ ତୁଳନାରେ ମଧ୍ୟ ଆମର ସ୍ଥିତି ଖରାପ। ଦେଶରେ ନିଯୁକ୍ତି ସୁଯୋଗ କମିବା ଏବଂ ଆର୍ଥିକ ଅଭିବୃଦ୍ଧି ଧିମା ହେବା ଦେଖି ବିଦେଶୀ ନିବେଶକମାନେ ଏଠାରୁ ମୁହଁ ଫେରାଉଛନ୍ତି।
ଟଙ୍କାର ମୂଲ୍ୟ ହ୍ରାସ ପାଇଲେ ସବୁଠାରୁ ବଡ଼ ପ୍ରଭାବ ସାଧାରଣ ଜନତାଙ୍କ ପକେଟ୍ ଉପରେ ପଡ଼ିଥାଏ। ଭାରତ ନିଜ ଆବଶ୍ୟକତାର ୮୫ ଭାଗରୁ ଅଧିକ ପେଟ୍ରୋଲିୟମ ସାମଗ୍ରୀ ଏବଂ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ବିଦେଶରୁ ଆମଦାନୀ କରେ। ଡଲାର ମହଙ୍ଗା ହେଲେ ଏସବୁ ଜିନିଷ ଆଣିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଫଳରେ ପେଟ୍ରୋଲ, ଡିଜେଲ, ଗାଡ଼ିଭଡ଼ା ଏବଂ ଖାଇବା ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବ। ପୂର୍ବରୁ ବେକାରୀ ଓ ଦରଦାମ ବୃଦ୍ଧିରେ ପେଷି ହେଉଥିବା ମଧ୍ୟବିତ୍ତ ପରିବାର ପାଇଁ ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବ। ୨୦୧୩ ମସିହାରେ ଯେତେବେଳେ ଏକ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୬୦ ଥିଲା, ସେତେବେଳେ ଦେଶରେ ପ୍ରବଳ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା। ଏହାକୁ ସରକାରଙ୍କ ବିଫଳତା ବୋଲି କୁହାଯାଉଥିଲା; କିନ୍ତୁ ଆଜି ଯେତେବେଳେ ଏକ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୯୦ ଟପିଗଲାଣି, ସେତେବେଳେ ସେହି ସମାଲୋଚକମାନେ ନୀରବ ରହିବା ଆଶ୍ଚର୍ଯ୍ୟର ବିଷୟ।
ଏବେ ଆଉ ସତ୍ୟକୁ ଲୁଚାଇ ଲାଭ ନାହିଁ। କେବଳ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରି ସରକାର ଚୁପ୍ ରହିପାରିବେ ନାହିଁ। ଟଙ୍କାର ଏହି ପତନକୁ ରୋକିବାକୁ ହେଲେ ଦେଶରେ ଉଦ୍ୟୋଗ ବଢାଇବାକୁ ହେବ, ବିଦେଶୀ ପୁଞ୍ଜି ନିବେଶ ପାଇଁ ବାଟ ଫିଟାଇବାକୁ ପଡ଼ିବ ଏବଂ ରପ୍ତାନି ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ହେବ। ଅର୍ଥନୀତିଜ୍ଞମାନଙ୍କ ମତରେ, କେବଳ ସଞ୍ଚିତ ଡଲାର ବିକ୍ରି କରି ଟଙ୍କାକୁ ବଞ୍ଚାଇ ହେବ ନାହିଁ। ଏଭଳି କାର୍ଯ୍ୟଦ୍ବାରା ଭବିଷ୍ୟତରେ ଦେଶ ଦେବାଳିଆ ହୋଇପାରେ। ସରକାରଙ୍କୁ ରପ୍ତାନି ବଢାଇବା, ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ଏବଂ ଘରୋଇ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ନୂଆ ରଣନୀତି ତିଆରି କରିବାର ଆବଶ୍ୟକତା ରହିଛି, ଯାହାର ଅଭାବ ଏବେ ପରିଲକ୍ଷିତ ହେଉଛି। ମୁଦ୍ରାର ମୂଲ୍ୟ ଏକ ଦେଶର ଅର୍ଥନୀତି ଉପରେ ଥିବା ବିଶ୍ୱାସର ପ୍ରତୀକ। ଡଲାର ତୁଳନାରେ ୯୦ ଟଙ୍କା ଛୁଇଁବା ମାନେ ସେହି ବିଶ୍ୱାସ ଦୋହଲି ଯାଇଛି। ଯଦି ସରକାର ଏବେଠାରୁ ଦୃଢ଼ ପଦକ୍ଷେପ ନ ନିଅନ୍ତି, ତେବେ ୯୦ ପରେ ଏକ ଡଲାର ୧୦୦ ଟଙ୍କା ଛୁଇଁବାକୁ ବେଶୀ ସମୟ ଲାଗିବ ନାହିଁ।



