ସଚିନଙ୍କୁ ମିଳିବ ବିସିସିଆଇର ସର୍ବୋଚ୍ଚ ପୁରସ୍କାର !

ସମାଜ ଡିଜିଟାଲ ଡେସ୍କ: କ୍ରିକେଟ କିମ୍ବନ୍ଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ(ବିସିସିଆଇ)ର ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯିବ। ଆସନ୍ତା କାଲି ଅର୍ଥାତ ଶନିବାର ମୁମ୍ବଇରେ ହେବାକୁ ଥିବା ବିସିସିଆଇର ବାର୍ଷିକ ‘ନମନ ପୁରସ୍କାର’ ଉତ୍ସବରେ ସଚିନଙ୍କୁ ‘ସି.କେ. ନାଇଡୁ ଜୀବନବ୍ୟାପୀ ସାଧନା’ ପୁରସ୍କାର ପ୍ରଦାନ କରାଯିବ ବୋଲି ବିଭିନ୍ନ ରିପୋର୍ଟରୁ ସୂଚନା ମିଳିଛି। ଏହା ବିସିସିଆଇ ତରଫରୁ ମହାନ କ୍ରିକେଟରମାନଙ୍କୁ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାର।

୧୯୯୪ରେ ବିସିସିଆଇ ତରଫରୁ ପ୍ରଥମ ଥର ଲାଗି ସିକେ ନାଇଡୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା। ଲାଲା ଅମରନାଥ ହେଉଛନ୍ତି ପ୍ରଥମ କ୍ରିକେଟର, ଯାହାକୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ମନସୁର ଅଲି ଖାନ ପଟୌଦୀ, ବିଶନ ସିଂହ ବେଦୀ, ଗୁଣ୍ଡାପ୍ପା ବିଶ୍ଵନାଥ, ଅଜିତ ଓ୍ବାଦେକର, ସୁନୀଲ ଗାଭାସ୍କର, କପିଳ ଦେବ ଏବଂ ଦିଲୀପ ଭେଙ୍ଗସରକାରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଗତବର୍ଷ ରବି ଶାସ୍ତ୍ରୀ ଏବଂ ଫାରେଖ ଇଞ୍ଜିନିୟରଙ୍କୁ ବିସିସିଆଇ ଏହି ସମ୍ମାନ ପ୍ରଦାନ କରିଥିଲା। ଭାରତୀୟ କ୍ରିକେଟରେ ସଚିନଙ୍କ ଅବଦାନ ମହାନ। ସେ ଭାରତ ପାଇଁ ୨୦୦ ଟେଷ୍ଟ ମ୍ୟାଚ ଏବଂ ୪୬୩ ଦିନିକିଆ ଖେଳିଛନ୍ତି।

Comments are closed.