mission shakti banner

ସବୁ ଜିଲାରେ ବୁଲିବ ପିସିଆର୍‍

BSKY banner  750×100
0

ଭୁବନେଶ୍ୱର : ଦ୍ୱୈତନଗରୀ କମିଶନରେଟ୍‍ ପୁଲିସ ସହରାଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ଲାଗି ଆରମ୍ଭ ହୋଇଥିଲା ପିସିଆର୍‍ ବ୍ୟବସ୍ଥା। ଏକ କଣ୍ଟ୍ରୋଲ୍‍ରୁମ୍‍ ଅଧୀନରେ ପୁଲିସ କଣ୍ଟ୍ରୋଲ୍‍ ରୁମ୍‍(ପିସିଆର୍‍) ଭ୍ୟାନ୍‍ ପଇଁତରା ମାରୁଥିଲା। କୌଣସି ସ୍ଥାନରେ ଅସୁବିଧା ବା ଅପରାଧ ଘଟିଲେ ତୁରନ୍ତ କଣ୍ଟ୍ରୋଲ୍‍ରୁମ୍‍କୁ ଡାଏଲ୍‍-୧୦୦ ମାଧ୍ୟମରେ ଜଣାଇଲେ ପିସିଆର୍‍ ଘଟଣାସ୍ଥଳରେ ପହଞ୍ଚିବ। ସହରାଞ୍ଚଳରେ ଏହି ବ୍ୟବସ୍ଥାକୁ ରାଜ୍ୟ ପୁଲିସ ଗ୍ରାମାଞ୍ଚଳକୁ ସମ୍ପ୍ରସାରଣ କରିବାକୁ ଯୋଜନା କରିଛି। ଏନେଇ ଏବେ ଓଡ଼ିଶା ପୁଲିସର କସରତ ଆରମ୍ଭ ହୋଇଛି। ପ୍ରତ୍ୟେକ ଜିଲାରେ ପିସିଆର୍‍ ବ୍ୟବସ୍ଥା ଆରମ୍ଭ କରାଯିବା ଲାଗି ଯୋଜନା ଚାଲିଛି ବୋଲି ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ପୁଲିସ ଆଧୁନିକୀକରଣ ଯୋଜନାରେ ଏନେଇ ପ୍ରତ୍ୟେକ ଜିଲା ଏସ୍‍ପିମାନଙ୍କୁ ସେମାନଙ୍କର ପ୍ରମୁଖ ସହରଗୁଡ଼ିକର ତାଲିକା ଦେବାକୁ କୁହାଯାଇଛି। ଅତି ଗ୍ରାମାଞ୍ଚଳ ନହେଲେ ମଧ୍ୟ ପ୍ରତ୍ୟେକ ଜିଲାର ମୁଖ୍ୟ ସହରଗୁଡ଼ିକୁ ଏହି ପିସିଆର୍‍ ମାଧ୍ୟମରେ ତ୍ୱରିତ୍‍ ପୁଲିସ ସେବା ଯୋଗାଇବାର ବନ୍ଦୋବସ୍ତ କରାଯାଉଛି ବୋଲି ସେ କହିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ କେତେ ସଂଖ୍ୟାରେ ପିସିଆର୍‍ ଭ୍ୟାନ୍‍ କିଣାଯିବ ସେନେଇ ବିଚାରବିମର୍ଶ ଚାଲିଛି। ପିସିଆର୍‍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ହେଲେ ଡାଏଲ୍‍-୧୦୦ ସୁବିଧା ରହିବା ଦରକାର। ଥାନାକୁ ଟେଲିଫୋନ୍‍ କରି କୌଣସି ସୂଚନା ଦେବା ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ। ଡାଏଲ୍‍-୧୦୦କୁ ପ୍ରତ୍ୟେକ ଲୋକ ନିଜ ମୋବାଇଲ୍‍ରୁ ଫୋନ୍‍ କରି ଜଣାଇପାରିବେ। ବିଶେଷ କରି ମହିଳାମାନେ ଏହି ବ୍ୟବସ୍ଥାର ଅଧିକ ସୁବିଧା ପାଇବେ
ବୋଲି ଆଶା କରାଯାଉଛି। ସେହିପରି କୌଣସି ସଡକ ଦୁର୍ଘଟଣା ସମ୍ପର୍କରେ କଣ୍ଟ୍ରୋଲ୍‍ରୁମ୍‍ ଖବର ପାଇବାମାତ୍ରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଦେଇପାରିବ।
ଅନ୍ୟପକ୍ଷରେ ଯେଉଁ ସହରରେ ପୁଲିସର-୧୦୦ ଏବଂ ଅଗ୍ନିଶମ ବିଭାଗର-୧୦୧ ଏବଂ ୧୦୮ ଭଳି ଆମ୍ବୁଲାନ୍ସ ସେବା ଉପଲବ୍ଧ ହେଉଛି, ସେଠାରେ ରାଜ୍ୟ ପୁଲିସ ତିନିଟି ନମ୍ବରକୁ ସମନ୍ୱିତ କରି ଏକକ ନମ୍ବର ଡାଏଲ୍‍-୧୧୨ କାର୍ଯ୍ୟକାରୀ କରିବାକୁ ମଧ୍ୟ ଯୋଜନା ଆରମ୍ଭ କରିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ୧୦ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ରାଜଧାନୀରେ ଏନେଇ ଏକ ହାଇଟେକ୍‍ କଣ୍ଟ୍ରୋଲ୍‍ରୁମ୍‍ ରହିବ। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରକୁ ସାମିଲ୍‍ କରାଯିବ। ଡାଏଲ୍‍-୧୧୨କୁ ଯୋଗାଯୋଗ କଲେ ଜଣେ ପୁଲିସ, ଅଗ୍ନିଶମ ଓ ସ୍ୱାସ୍ଥ୍ୟସେବା ସମ୍ପର୍କିତ ସେବା ପାଇପାରିବ। ତେଣୁ ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପରେ ୪୫ଟି ପିସିଆର୍‍ ଭ୍ୟାନ୍‍ କ୍ରୟ କରାଯିବ। ଭୁବନେଶ୍ୱରରେ ୨୦, କଟକରେ ୧୦ ଏବଂ ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲାରେ ୫ଟି ଲେଖାଏଁ ପିସିଆର୍‍ ଭ୍ୟାନ୍‍ ଏହି ବ୍ୟବସ୍ଥାରେ ସାମିଲ୍‍ ହେବ। ପ୍ରତ୍ୟେକ ଭ୍ୟାନ୍‍ରେ ଜିପିଏସ୍‍ ବ୍ୟବସ୍ଥା ରହିବ।
ପ୍ରତ୍ୟେକ ଜିଲାରେ ପୁଲିସ କଣ୍ଟ୍ରୋଲରୁମ୍‍ ଅଧୀନରେ ରହିବାକୁ ଥିବା ପିସିଆର୍‍ ଏହି ହାଇଟେକ୍‍ କଣ୍ଟ୍ରୋଲ୍‍ରୁମ୍‍ ଅଧୀନରେ ରଖିବାକୁ ଏକ ପ୍ରକାର ଯୋଜନା ରହିଛି। ହେଲେ ଏହାକୁ ସାମିଲ୍‍ କରିବା ସମ୍ଭବ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ନ ଥିବା ଜଣାପଡିଛି। ତଥାପି ପ୍ରତ୍ୟେକ ଜିଲାରେ ପିସିଆର୍‍ ବ୍ୟବସ୍ଥା ଖୁବ୍‍ଶୀଘ୍ର ଆରମ୍ଭ କରାଯିବାକୁ ଯୋଜନା କରାଯାଉଥିବା ମହାନିର୍ଦେଶକ ଡାକ୍ତର ଶର୍ମା କହିଛନ୍ତି।

Leave A Reply