ତଣ୍ଟିରେ ବାଡ଼ି ପୂରାଇଲେ ଶିକ୍ଷକ

0

ଅହମ୍ମଦନଗର : ଜଣେ ଛାତ୍ର ଗଣିତ ପ୍ରଶ୍ନର ଉତ୍ତର ଲେଖି ନ ପାରିବାରୁ ଶିକ୍ଷକ କ୍ରୋଧାନ୍ୱିତ ହୋଇ ତାଙ୍କ ତଣ୍ଟିରେ ବାଡ଼ି ପୂରାଇ ଦେବା ଭଳି ଏକ ଅମାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରରେ। ରାଜ୍ୟର କର୍‍ଜାତ ଅନ୍ତର୍ଗତ ପିମ୍ବଲଗାଓଁସ୍ଥିତ ଜିଲା ପରିଷଦ ବିଦ୍ୟାଳୟରେ ଏହା ଘଟିଛି। ପୀଡ଼ିତ ବାଳକ ରୋହନ ଡି ଜାଞ୍ଜିରେ ଏହି ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀ ଛାତ୍ର।
ମଙ୍ଗଳବାର ଶ୍ରେଣୀରେ ଗଣିତ ଶିକ୍ଷକ ଚନ୍ଦ୍ରକାନ୍ତ ସୋପାନ ସିନ୍ଦେ ଛାତ୍ରଛାତ୍ରୀଙ୍କୁ ଏକ ଅଙ୍କ କଷିବାକୁ ଦେଇଥିଲେ। ଅନ୍ୟ ଛାତ୍ରଛାତ୍ରୀ ତାହାର ଉତ୍ତର ବାହାର କରିଥିବାବେଳେ ରୋହନ ବିଫଳ ହୋଇଥିଲେ। ଏହା ଦେଖି ଶିକ୍ଷକ ଚନ୍ଦ୍ରକାନ୍ତ ଏତେ ମାତ୍ରରେ କ୍ରୋଧିତ ହୋଇପଡିଲେ ତତ୍‍କ୍ଷଣାତ୍‍ ବାଡ଼ି ବାହାର କରି ଛାତ୍ରଙ୍କ ପାଟିରେ ଭର୍ତ୍ତି କରିଦେଇଥିଲେ। ଫଳରେ ୮ ବର୍ଷ ବୟସ୍କ ରୋହନ ସଙ୍ଗେସଙ୍ଗେ ତଳେ ପଡିଯାଇଥିଲେ। ତାଙ୍କ ପାଟିରୁ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା। ସେ ପ୍ରବଳ ଯନ୍ତ୍ରଣାରେ ଚିତ୍କାର କରିଥିଲେ। ରୋହନ କଥା ମଧ୍ୟ କହିପାରି ନ ଥିଲେ। ଏହି ଘଟଣା ଦେଖି ଶ୍ରେଣୀଗୃହରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସେମାନେ ଶ୍ରେଣୀଗୃହ ଛାଡି ଦୌଡି ପଳାଇଥିଲେ।
କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଆଶଙ୍କା କରି ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ରୋହନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବାଡି ଦ୍ୱାରା ଜୋର୍‍ରେ ଆଘାତ ଲାଗି ରୋହନଙ୍କର ଉଭୟ ଶ୍ୱାସନଳୀ ଏବଂ ଖାଦ୍ୟ ନଳୀ ଫାଟି ଯାଇଥିବା ଡାକ୍ତର ପ୍ରକାଶ କରିଥିଲେ। ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ପୁଣେ ସ୍ଥାନାନ୍ତର କରାଯାଇଛି। ସେଠାକାର ଏକ ଡାକ୍ତରଖାନାର ଆଇସିୟୁରେ ରୋହନ୍‍ ଚିକିତ୍ସାଧୀନ ଅଛନ୍ତି। ଅଭିଯୁକ୍ତ ଶିକ୍ଷକ ସିନ୍ଦେଙ୍କୁ ସ୍କୁଲ କର୍ତ୍ତୃପକ୍ଷ ନିଲମ୍ବିତ କରିଛନ୍ତି। ରୋହନଙ୍କ ମାତାପିତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ସିନ୍ଦେଙ୍କ ବିରୋଧରେ ମାମଲା ରୁଜୁ କରିଛି; କିନ୍ତୁ ତାଙ୍କୁ ଏଯାବତ୍‍ ଗିରଫ କରାଯାଇ ନାହିଁ ବୋଲି କର୍‍ଜାଟ ଥାନା ଅଧିକାରୀ ଏସ୍‍. ବି ମହେତ୍ରେ କହିଛନ୍ତି।

Leave A Reply