ରୁଷିଆ ନିଶାଣରେ ୫ ପ୍ରମୁଖ ସହର

କିଭ୍‌, : ରୁଷିଆ ସେନା ବନ୍ଦର ସହର ଖେରସାନ୍‌ ଦଖଲ କରିବା ପରେ ୟୁକ୍ରେନ୍‌ର ଅନ୍ୟ ପ୍ରମୁଖ ସହରଗୁଡ଼ିକୁ ନିଶାଣ କରିଛନ୍ତି। ରାଜଧାନୀ କିଭ୍‌ ସମେତ ସମସ୍ତ ପ୍ରମୁଖ ସହରରେ ଘନଘନ ଆକ୍ରମଣ ହେଉଛି। ବୋମା, ରକେଟ ସହ କ୍ଷେପଣାସ୍ତ୍ର ମାଡ଼ରେ ବଡ଼ ବଡ଼ ଆବାସିକ କୋଠା ଧ୍ବଂସସ୍ତୂପରେ ପରିଣତ ହେଲାଣି। ରାଜଧାନୀ କିଭ୍‌ଠାରୁ ରୁଷିଆ ସେନା ପ୍ରାୟ ୬୦କିଲୋମିଟର ଦୂରରେ ଅଟକିଥିବାବେଳେ ଏହାକୁ ଚାରିପଟୁ ଘେରିବା ପ୍ରୟାସ ଚଳାଇଛନ୍ତି। ୩୨ କିଲୋମିଟର ଦୂର ବେଲାରୁଷ ସୀମାରେ ରୁଷିଆ ସେନା ହେଲିକପ୍ଟର ଓ ଟ୍ୟାଙ୍କ ସହ ବିପୁଳ ସେନା ମୁତୟନ କରାଯାଇଛି। ପ୍ରାୟ ୩୦ଲକ୍ଷ ବାସିନ୍ଦା ଥିବା ଏହି ୨୭କିଲୋମିଟର ବ୍ୟାପ୍ତ ସହରବାସୀ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ଶନିବାର ରାଷ୍ଟ୍ରପତି ଭବନ ନିକଟରେ ଏକ ରକେଟ ପଡ଼ିଥିଲା; ତେବେ ଏହା ଲକ୍ଷ୍ୟଭେଦ ହୋଇ ଏଠାରେ ପଡ଼ିଥିବା ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି କହିଛନ୍ତି। ଏହା ପଛକୁ ରହିଛି ମାରିଉପୁଲ ଓ ଭୋଲ୍‌ନୋଭାକା ସହର। ଏହି ସହରରେ ରୁଷିଆ ସାମୟିକ ଯୁଦ୍ଧବିରତି ଘୋଷଣା କରିବା ସହ ସାଧାରଣ ନାଗରିକଙ୍କୁ ତୁରନ୍ତ ଛାଡ଼ି ପଳାଇବାକୁ କହିଛି। କୌଣସି ବ୍ୟତିକ୍ରମ ନ ଘଟିଲେ ଅଚିରେ ଏହି ସହରକୁ ଦଖଲ କରିନେବ। ଏହି ସହରବାସୀ ଏବେ ତ୍ରାହିତ୍ରାହି ଡାକୁଛନ୍ତି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସହର ହେଉଛି ସୁମି। ଏଠାରେ ଏବେ ଯୁଦ୍ଧ ଲାଗିରହିଛି। ବହୁ ସଂଖ୍ୟକ ଭାରତୀୟ ଛାତ୍ରଛାତ୍ରୀ ଭୂତଳ ଆଶ୍ରୟ କେନ୍ଦ୍ରରେ ବିନା ଖାଦ୍ୟ, ପାନୀୟରେ କାଳ କାଟୁଥିବାର ଭିଡିଓ ପ୍ରସାରିତ ହୋଇଛି। ସ୍ଥାନୀୟ ଲୋକଙ୍କ ଦୁରବସ୍ଥା କହିହେବ ନାହିଁ। ସର୍ବାଧିକ ଚର୍ଚ୍ଚାରେ ଥିବା ସହର ହେଉଛି ଖାର୍କିଭ୍‌।

ରୁଷିଆ ଆକ୍ରମଣରେ ଏହି ଦ୍ବିତୀୟ ସର୍ବବୃହତ୍‌ ସହର ଛାରଖାର ହୋଇଗଲାଣି। ଏଠାରୁ ଭାରତୀୟଙ୍କୁ ଫେରାଇ ଅଣାଗଲାଣି; ତେବେ ବି ବିପଦ ଟଳି ନାହିଁ। ଏଠାରେ ଶିକ୍ଷାନୁଷ୍ଠାନ କିମ୍ବା ଆବାସିକ କୋଠା ବି ଆକ୍ରମଣରୁ ନିସ୍ତାର ପାଉ ନାହିଁ। ବହୁ ଲୋକଙ୍କର ମୃତ୍ୟୁ ହେଲାଣି ଓ ଅନେକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତୃତୀୟ ବୃହତ୍ତମ ସହର ହେଉଛି ଓଡ଼େଶା। ଏହି ବନ୍ଦର ସହର ଦଖଲ କରିବାକୁ ରୁଷିଆ ଚେତାବନୀ ଶୁଣାଇ ସାରିଲାଣି। ଏଠାରେ ରୁଷିଆ ସେନା ପଇଁତରା ମାରୁଥିବାବେଳେ କେଉଁ ମୁହୂର୍ତ୍ତରେ ବଡ଼ ଧରଣର ଆକ୍ରମଣ ଆଶଙ୍କା ରହିଛି।

Comments are closed.