ଗ୍ରାମ୍ୟ ଉନ୍ନୟନ ବିଭାଗର ନୂଆ ଯୋଜନା ନିର୍ମାଣ ହେବ ; ‘ଗ୍ରାମୀଣ ଅର୍ଥନୀତି ଅଭିବୃଦ୍ଧି କରିଡର’

ଗ୍ରାମାଞ୍ଚଳରେ ୨୫୦୦ କିମି ରାସ୍ତା ନିର୍ମାଣ ଲକ୍ଷ୍ୟ , ୫ବର୍ଷରେ ଖର୍ଚ୍ଚ ହେବ ୫୦୦୦ କୋଟି

ଭୁବନେଶ୍ବର : ଗ୍ରାମାଞ୍ଚଳରେ ସବୁ ପ୍ରକାର ପାଣିପାଗକୁ ସୁହାଉଥିବା ଉତ୍ତମ ମାନର ରାସ୍ତା ନିର୍ମାଣ କରାଯିବ। ଏହା ମାଧ୍ୟମରେ ଉଭୟ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ପର୍ଯ୍ୟଟନ ଓ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଯୋଗାଯୋଗ ବ୍ୟବସ୍ଥା ସୁଗମ ହୋଇ ପାରିବ। ଏହା ପରିବହନ ଆବଶ୍ୟକତାକୁ ପୂରଣ କରିବା ସହ ଗ୍ରାମାଞ୍ଚଳର ଆର୍ଥିକ ଓ ସାମାଜିକ ସେବାକୁ ପ୍ରୋତ୍ସାହିତ କରିବ। ଏଭଳି ଲକ୍ଷ୍ୟ ରଖି ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିକାଶ ବିଭାଗ ପକ୍ଷରୁ ‘ଗ୍ରାମୀଣ ଅର୍ଥନୀତି ଅଭିବୃଦ୍ଧ କରିଡର’ ନାମରେ ନୂଆ ଯୋଜନା କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରହିଛି। ଏଥିପାଇଁ ଏକ ସ୍ବତନ୍ତ୍ର ନକ୍ସା ହୋଇଛି। ଏହି ଯୋଜନାରେ ଆର୍ଥିକ ବର୍ଷ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ଅବଧି ଭିତରେ ଗ୍ରାମାଞ୍ଚଳର ୨୫୦୦କିମି ରାସ୍ତା ତିଆରି କରାଯିବ। ୫ବର୍ଷ ମଧ୍ୟରେ ଏହି ଯୋଜନା ବାବଦରେ ୫୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ଗ୍ରାମାଞ୍ଚଳରେ ଥିବା ସ୍ଥାନୀୟ ଶିଳ୍ପ କେନ୍ଦ୍ର ସହିତ ସହରାଞ୍ଚଳ କେନ୍ଦ୍ରଗୁଡ଼ିକ ମଧ୍ୟରେ ନିରବଚ୍ଛିନ୍ନ ଯୋଗାଯୋଗର ଆବଶ୍ୟକତା ରହିଛି। ଗ୍ରାମାଞ୍ଚଳରେ ଥିବା ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକର ଉନ୍ନତିକରଣ କରାଯିବାର ଆବଶ୍ୟକତା ରହିଛି। ପ୍ରସ୍ତାବିତ ନୂଆ ଯୋଜନାରେ ମହାନଗର ନିଗମ, ପୌର ପରିଷଦ, ବିଜ୍ଞାପିତ ପରିଷଦ ଆଖପାଖରେ ଥିବା ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ) ପାର୍କ ଏବଂ ଗୁରୁତ୍ୱପୂର୍ଣ୍ଣ ଗ୍ରାମାଞ୍ଚଳ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣର ଲକ୍ଷ୍ୟ ରହିଛି। ଏହା ଦ୍ବାରା ଗ୍ରାମାଞ୍ଚଳରେ ପରିବହନ ଆବଶ୍ୟକତାକୁ ପୂରଣ କରିବା ସହ ଆର୍ଥିକ ଓ ସାମାଜିକ ସେବାକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ। ରାଜ୍ୟର ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧି ପାଇଁ କୃଷି ଉତ୍ପାଦନ, ଅଣ-କୃଷି, ନିୟୁକ୍ତି ଏବଂ ଅଣ-କୃଷି ଉତ୍ପାଦନ ବୃଦ୍ଧି ପାଇବ। ସେହିପରି ଗ୍ରାମୀଣ ଅର୍ଥନୈତିକ ଅଭିବୃଦ୍ଧି କରିଡର ଯୋଜନାରେ ରାସ୍ତା ଉନ୍ନତିକରଣ ଏବଂ ରାସ୍ତା ପ୍ରଶସ୍ତିକରଣ ପ୍ରସ୍ତାବ ଅନ୍ତର୍ଭୁକ୍ତ ହୋଇପାରେ। ଏହି ସଡ଼କ ପ୍ରକଳ୍ପଗୁଡ଼ିକ ବର୍ତ୍ତମାନର କୌଣସି ଯୋଜନା କିମ୍ବା ଅନ୍ୟ କୌଣସି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ରାସ୍ତା ଉପରେ କାର୍ଯ୍ୟକାରୀ ହେବ ନାହିଁ। ଫ୍ଲାଏଆସ୍ ଇଟା କାରଖାନାକୁ ସଂଯୋଗ କରୁଥିବା ଗ୍ରାମାଞ୍ଚଳ ରାସ୍ତାକୁ ଉନ୍ନତ କରିବା, ଖଣି କାରଖାନା, ପାଉଁରୁଟି କାରଖାନା, ଷ୍ଟୋନ କ୍ରସର ୟୁନିଟ୍, ଗୋଦାମ, କୃଷି କ୍ଷେତ୍ର, ପ୍ରକ୍ରିୟାକରଣ ମିଲ୍ ଯଥା ରାଇସ୍ ମିଲ୍, ଖାଦ୍ୟ ଶିଳ୍ପ, ଅଣୁ ଶିଳ୍ପ, ହସ୍ତତନ୍ତ, କେନ୍ଦୁପତ୍ର ଗୋଦାମ, ମଣ୍ଡି ଓ ବନ୍ଦରକୁ ସଂଯୋଗ କରୁଥିବା ରାସ୍ତା ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବ। ପର୍ଯ୍ୟଟନ, କ୍ରୀଡା, ଗୁରୁତ୍ୱପୂର୍ଣ୍ଣ ଶିଳ୍ପାଞ୍ଚଳ କିିମ୍ବା ସହର, ଏମଏସଏମଇ ପାର୍କ ଆଖପାଖରେ ଥିବା ଗ୍ରାମାଞ୍ଚଳ ରାସ୍ତାକୁ ଏହି ଯୋଜନାରେ ବିକଶିତ କରାଯିବ। ଗ୍ରାମାଞ୍ଚଳର ସ୍ଥାୟୀ ସାମାଜିକ-ଅର୍ଥନୈତିକ ବିକାଶ ପାଇଁ କୃଷି, ବିପଣନ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଗ୍ରାମାଞ୍ଚଳର ଲୋକମାନେ ଲାଭବାନ ହେବେ। ଏହି ଯୋଜନା ଅଧୀନରେ ମନୋନୟନ କରାଯାଇଥିବା ରାସ୍ତାଗୁଡ଼ିକର ଉପଲବ୍ଧତା ଏବଂ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାରେ ଯାନବାହନ ଚଳାଚଳ ପାଇଁ ଦୁଇ ଟିକିଆ ଓ ୪ଟିକିଆ ରାସ୍ତା ନିର୍ମାଣ କରାଯିବ।
୨୦୨୩-୨୪ ଆର୍ଥକ ବର୍ଷରେ ଏହି ଯୋଜନାରେ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୨୦୨୪-୨୫ରେ ୧୨୦୦ କୋଟି, ୨୦୨୫-୨୬ରେ ୧୦୦୦ କୋଟି, ୨୦୨୬-୨୭ରେ ୧୦୦୦ କୋଟି, ୨୦୨୭-୨୮ରେ ୧୦୦୦ କୋଟି ଟଙ୍କା ବିନିଯୋଗ ହେବ। ପରବର୍ତ୍ତୀ ସମୟରେ ଟେଣ୍ଡର ଏବଂ ରାସ୍ତା ପାରିପାର୍ଶ୍ବିକ ଅବସ୍ଥା ଦେଖି ଖର୍ଚ୍ଚ ପରିମାଣ ବୃଦ୍ଧି କରାଯାଇ ପାରିବ। ରାଜ୍ୟ ସରକାର ବଜେଟରେ ଏହି ଅର୍ଥ ବ୍ୟବସ୍ଥା କରିବେ। ଯଦି ବଜେଟରେ ମଞ୍ଜୁର ଅର୍ଥ ଅଭାବ ପଡେ ତେବେ ଆରଆଇଡିଏଫ, ଆରଆଇଏଏସରୁ ଋଣ ଅଣାଯାଇ ପାରିବ। ଏହାଛଡ଼ା ଡିଏମ୍‌ଏଫ, ଓଏମ୍‌ବିଏଡିସି କ୍ଷେତ୍ରରେ ଅତିରିକ୍ତ ବଜେଟରେ ଅନୁମୋଦିତ ହୋଇଥିବା ଅର୍ଥ ଖର୍ଚ୍ଚ କରାଯାଇ ପାରିବ। ରାଜ୍ୟରେ ଯୋଜନା ଅଧୀନରେ ୨୫୦୦ କିମି ରାସ୍ତା ତିଆରି ହେବାକୁ ଥିବାବେଳେ ପ୍ରକଳ୍ପ କ୍ଷେତ୍ରର ବିସ୍ତୃତ ବିବରଣୀ ଚୂଡାନ୍ତ କରାଯିବା ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକଳ୍ପରେ ନିର୍ମିତ ରାସ୍ତା ବନ୍ୟା, ବାତ୍ୟା, ଭୂମିକମ୍ପ, ସୁନାମି ଭଳି ପ୍ରାକୃତିକ, ମନୁଷ୍ୟକୃତ ବିପର୍ଯ୍ୟୟ ସମୟରେ ଲୋକେ ଯାତାୟାତ କରିବାରେ ସହାୟକ ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି।

Comments are closed.