ମୋଦୀ ବିଦେଶକୁ ଶସ୍ତାରେ ବିକୁଛନ୍ତି ତେଲ: କଂଗ୍ରେସ

0

ନୂଆଦିଲ୍ଲୀ: ଏପଟେ ଭାରତର କୋଟିକୋଟି ସାଧାରଣ ଜନତା ପେଟ୍ରୋଲ ଡିଜେଲ ଦର ବୃଦ୍ଧିରେ ଅତିଷ୍ଠ ହୋଇ ପଡ଼ିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶରେ ଶସ୍ତାରେ ତେଲ ବିକ୍ରି କରୁଛନ୍ତି ବୋଲି କଂଗ୍ରେସ ବରିଷ୍ଠ ମୁଖପାତ୍ର ରନ୍ଦୀପ ସୁରଜୱାଲା ଯୁକ୍ତି ଦର୍ଶାଇଛନ୍ତି। କଂଗ୍ରେସ ପକ୍ଷରୁ ଏଭଳି ଆକ୍ରମଣ ବିଜେପିକୁ ଅଡ଼ୁଆ ପରିସ୍ଥିତିରେ ପକାଇ ଦେଇଛି। ମୋଦୀଙ୍କ ଏଭଳି ବୈମାତୃକ ନିଷ୍ପତ୍ତି ପାଇଁ ଦେଶବାସୀଙ୍କ ଉପରେ ୧୧ଲକ୍ଷ କୋଟି ଟଙ୍କାର ବୋଝ ଲଦି ଦିଆଯାଇଛି। ଏଭଳି ଶୋଷଣ ଦ୍ୱାରା ଦେଶର ସାଧାରଣ ଲୋକଙ୍କ ଉପରେ ମୋଦୀ ସରକାର “ପୈଶାଚିକ ଟିକସ’ ଲଦି ଦେଇଛନ୍ତି।
ବର୍ଦ୍ଧିତ ତେଲ ମୂଲ୍ୟ ପାଇଁ ମୋଦୀ ସରକାରଙ୍କୁ ଅଦ୍ୟାବଧି ୧୧ଲକ୍ଷ କୋଟି ଟଙ୍କାର ଲାଭ ମିଳିଛି। ଦେଶର ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ ଛୋଟ ବ୍ୟବସାୟୀଙ୍କୁ ଶୋଷଣ କରି ମୋଦୀ ସରକାର ଏହି ଅର୍ଥ ଆଦାୟ କରିଛନ୍ତି। ଦେଶରେ ପେଟ୍ରୋଲ ୭୮-୮୬ଟଙ୍କା, ଡିଜେଲ ୭୦-୭୫ଟଙ୍କା ଲିଟର ପିଛା ବିକ୍ରି ହେଉଥିବାବେଳେ ଆରଟିଆଇରୁ ମିଳିଥିବା ସୂଚନା ଅନୁଯାୟୀ ମୋଦୀ ସରକାର ୧୫ଟି ଦେଶକୁ ମାତ୍ର ୩୪ଟଙ୍କା ଓ ୨୯ଟି ଦେଶକୁ ଡିଜେଲ ୩୭ଟଙ୍କା ଲିଟର ପିଛା ବିକ୍ରି କରିଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ବିଜେପି ସରକାର ତେଲ ବିକ୍ରି କରୁଥିବା ଦେଶ ତାଲିକାରେ ଆମେରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଇସ୍ରାଏଲ ଓ ମାଲେସିଆ ପରି ଦେଶ ରହିଛନ୍ତି। ଏପରିକି ମୋଦୀ ସରକାର ଅଦ୍ୟାବଧି ୧୨ଥର ଏକ୍ସାଇଜ୍‍ ଟିକସକୁ ବୃଦ୍ଧି କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ଉଚିତ ଉତ୍ତର ଆଗାମୀ ଦିନରେ ଦେଶର ଜନତା ନିର୍ବାଚନରେ ଦେବେ ବୋଲି କଂଗ୍ରେସ ଦୃଢୋକ୍ତି କରିଛି।

Leave A Reply