‘ରାଷ୍ଟ୍ର ପ୍ରତି ସମର୍ପଣ ଭାବ ହିଁ ଦେଶପ୍ରେମ’: ପ୍ରଣବ ମୁଖାର୍ଜୀ

0

ନାଗପୁର : ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନାର ଅବସାନ ଘଟାଇ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗୁରୁବାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱୟଂସେବକମାନଙ୍କୁ ସମ୍ବୋଧନ କରିଛନ୍ତି। ସଂଘ ଶିକ୍ଷା ବର୍ଗ ତୃତୀୟ ବର୍ଷର ଉଦ୍‍ଯାପନୀ ଉତ୍ସବରେ ଯୋଗଦେଇ ଶ୍ରୀ ମୁଖାର୍ଜୀ କହିଛନ୍ତି ଯେ ସହିଷ୍ଣୁତା ଓ ବିବିଧତା ହେଉଛି ଭାରତର ମୂଳ ପିଣ୍ଡ। ଏଠାରେ ଅସହିଷ୍ଣୁତାର କୌଣସି ସ୍ଥାନ ନାହିଁ। ଅସହିଷ୍ଣୁତା ଆମର ମୂଳ ପରିଚୟକୁ ନଷ୍ଟ କରିଦେବ। ଶ୍ରୀ ମୁଖାର୍ଜୀ ତାଙ୍କ ଭାଷଣକୁ ଦେଶ, ଜାତୀୟତା ଓ ଦେଶପ୍ରେମ ମଧ୍ୟରେ ସୀମିତ ରଖିଥିଲେ। ସେ କହିଥିଲେ ଦେଶ ପ୍ରତି ସମର୍ପଣ ଭାବ ହିଁ ଶ୍ରେଷ୍ଠ ଦେଶପ୍ରେମ। ଜାତି, ଧର୍ମ ଓ ଭାଷାକୁ ଆଧାର କରି ଭାରତକୁ ବ୍ୟାଖ୍ୟା କରାଯାଇପାରିବ ନାହିଁ। ଏହାଦ୍ୱାରା ଦେଶର ସମ୍ମାନ ଓ ପ୍ରତିଷ୍ଠା କଳଙ୍କିତ ହେବ। ହିନ୍ଦୁ, ମୁସଲମାନ, ଶିଖ ଓ ଅନ୍ୟାନ୍ୟ ସମ୍ପ୍ରଦାୟ ଏକଜୁଟ୍‍ ହୋଇପାରିଲେ ଦେଶରେ ଜାତୀୟତାବାଦ ପ୍ରତିଷ୍ଠା ହୋଇପାରିବ। ଆମର ଅର୍ଥନୀତି ବିଶ୍ୱର ଦ୍ରୁତ ଓ ବିକଶିତ ଅର୍ଥନୀତି ହୋଇପାରିଛି; ମାତ୍ର ଆମେ ବିଶ୍ୱର ଖୁସି ରାଷ୍ଟ୍ର ମଧ୍ୟରେ ସାମିଲ ହୋଇପାରୁ ନାହୁଁ। ତେଣୁ ଆମେ କ୍ରୋଧ ଓ ହିଂସା ତ୍ୟାଗ କରି ଶାନ୍ତି ଓ ସୌହାର୍ଦ୍ଦ୍ୟ ଆଡକୁ ଅଗ୍ରସର ହେବା ଦରକାର ବୋଲି ଶ୍ରୀ ମୁଖାର୍ଜୀ କହିଥିଲେ।
ମୁଖାର୍ଜୀଙ୍କ ପୂର୍ବରୁ ଆରଏସଏସ୍‍ ମୁଖ୍ୟ ମୋହନ ଭାଗବତ ସ୍ୱୟଂସେବକମାନଙ୍କୁ ସମ୍ବୋଧନ କରିଥିଲେ। ଶ୍ରୀ ଭାଗବତ କହିଥିଲେ ଯେ ଅନେକ ବିବିଧତା ସତ୍ତ୍ବେ ଆମେ ସମସ୍ତେ ଭାରତ ମାତାର ସନ୍ତାନ। ଆମ ପାଇଁ କେହି ଅସ୍ପୃଶ୍ୟ ନୁହନ୍ତି। ସଂଘ ସମାଜକୁ ଏକଜୁଟ୍‍ କରିବାକୁ ଚାହେଁ। ସଂଘ ପାଇଁ କୌଣସି ଲୋକ ବାହାର ନୁହନ୍ତି। ଆମର ସଂଗଠନ ଲୋକମାନଙ୍କୁ ଏପରି ପ୍ରସ୍ତୁତ କରେ ଯେଉଁମାନେ ସମାଜ ପାଇଁ ଉଦାହରଣ ହୋଇଥାନ୍ତି। ଅନିୟନ୍ତ୍ରିତ ଶକ୍ତି ଓ କ୍ଷମତା ସମାଜ ପାଇଁ ବିପଦ ସାବ୍ୟସ୍ତ ହୋଇଥାଏ। ଆମ ଦେଶରେ ବିଭିନ୍ନ ବିଚାରର ବ୍ୟକ୍ତି ଓ ସଂଗଠନ ରହିଥିଲେ ମଧ୍ୟ ସମସ୍ତ ବ୍ୟକ୍ତି ଓ ସଂଗଠନର ଲକ୍ଷ୍ୟ ହେଉଛି ଭାରତକୁ ଆଗକୁ ନେବା ଓ ଏହାର ଭାଗ୍ୟରେ ପରିବର୍ତ୍ତନ ଆଣିବା। ସରକାର ଦେଶ ପାଇଁ ଅନେକ କିଛି କରିପାରିବେ; ମାତ୍ର ସରକାର ସବୁକିଛି କରିପାରିବେ ନାହିଁ। ତେଣୁ ଦେଶ ଗଠନରେ ଆମ ସମସ୍ତଙ୍କର ଅବଦାନ ରହିଲେ ଏହା ପୂର୍ଣ୍ଣ ବିକଶିତ ହୋଇପାରିବ ବୋଲି ଶ୍ରୀ ଭାଗବତ କହିଥିଲେ।
ଆରଏସଏସ୍‍ କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ମୁଖାର୍ଜୀଙ୍କ ଯୋଗଦାନକୁ ନେଇ ଚର୍ଚ୍ଚା ଉପରେ ଶ୍ରୀ ଭାଗବତ କହିଥିଲେ ଏହା କିଛି ଆଶ୍ଚର୍ଯ୍ୟ କଥା ନୁହେଁ। ପ୍ରତିବର୍ଷ ସଂଘ କାର୍ଯ୍ୟକ୍ରମକୁ ଏପରି ମହାନ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଇଥାଏ। ଆମେ ଶ୍ରୀ ମୁଖାର୍ଜୀଙ୍କୁ ନିମନ୍ତ୍ରଣ କରିଥିଲୁ ଓ ସେ ଆମ ନିମନ୍ତ୍ରଣ ରକ୍ଷା କରିଥିଲେ। ତେଣୁ ସେ ଏହି ଉତ୍ସବରେ କାହିଁକି ଯୋଗଦେଲେ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ରୂପେ ଅବାସ୍ତବ। ଏହାର କୌଣସି ପ୍ରାସଙ୍ଗିକତା ନାହିଁ।
ଉଦ୍‍ଯାପନୀ ଉତ୍ସବରେ ସମ୍ବୋଧନ ପୂର୍ବରୁ ଶ୍ରୀ ମୁଖାର୍ଜୀ ସଂଘର ଗୈରିକ ପତାକାକୁ ଉତ୍ତୋଳନ କରବା ସହ ସୟଂସେବକମାନଙ୍କ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ନାଗପୁରସ୍ଥିତ ଆରଏସଏସ୍‍ ପ୍ରତିଷ୍ଠାତା ଡକ୍ଟର କେଶବ ବଳୀରାମ ହେଡ୍‍ଗେୱାରଙ୍କ ଜନ୍ମସ୍ଥାନ ପରିଦର୍ଶନ କରିଥିଲେ। ପରିଦର୍ଶନ କାଳରେ ଶ୍ରୀ ମୁଖାର୍ଜୀ ହେଡ୍‍ଗେୱାରଙ୍କୁ ଭାରତ ମାତାର ଜଣେ ଶ୍ରେଷ୍ଠ ସନ୍ତାନ ବୋଲି କହିଥିଲେ। ଏ ସମ୍ପର୍କରେ ସେ ପରିଦର୍ଶକ ପଞ୍ଜିକାରେ ଉଲ୍ଲେଖ କରିଥିଲେ ଯେ ‘କେ ବି ହେଡଗେୱାର ଇଜ୍‍ ଏ ଗ୍ରେଟ ସନ ଅଫ ମଦର ଇଣ୍ଡିଆ’। ପରିଦର୍ଶନ ସମୟରେ ପ୍ରଣବ ସହିତ ଆରଏସଏସ୍‍ ମୁଖ୍ୟ ମୋହନ ଭାଗବତ ଉପସ୍ଥିତ ଥିଲେ। ଆରଏସଏସର ଶିକ୍ଷା ବର୍ଗ ହେଉଛି ବାର୍ଷିକ ପ୍ରଶିକ୍ଷଣ ଶିବିର। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭଳି ବିଭିନ୍ନ ପ୍ରକାଶ ପ୍ରଶିକ୍ଷଣ ବର୍ଗ ପ୍ରତିବର୍ଷ ଆୟୋଜନ ହୋଇଥାଏ।

Leave A Reply