ପ୍ରେଗ୍ରେ ସପତ୍ନୀକ ଛୁଟି କାଟୁଛନ୍ତି ରୋହିତ
ପ୍ରେଗ୍ : ଇଂଲଣ୍ଡ ବିପକ୍ଷ ପାଞ୍ଚଟିକିଆ ସିରିଜର ପ୍ରଥମ ତିନିଟି ଟେଷ୍ଟରୁ ବାଦପଡିବାପରେ ଭାରତୀୟ କ୍ରିକେଟର ରୋହିତ ଶର୍ମା ବର୍ତ୍ତମାନ ଚେକ୍ ରିପବ୍ଲିକ୍ ରାଜଧାନୀ ପ୍ରେଗ୍ରେ ଛୁଟି କାଟୁଛନ୍ତି। ସାଙ୍ଗରେ ଧର୍ମପତ୍ନୀ ରିତିକା ମଧ୍ୟ ଅଛନ୍ତି। ଟେଷ୍ଟ ଦଳରୁ ବାଦପଡିଥିବା ଦୁଃଖ ଭରଣା କରିବାକୁ ଏଭଳି ବିଦେଶ ଭ୍ରମଣରେ ଯାଇଛନ୍ତି ବୋଲି ରୋହିତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ରିତିକାଙ୍କ ସହ ଫଟୋକୁ ରୋହିତ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଥିବାବେଳେ ବାର୍ତ୍ତାରେ ଲେଖିଛନ୍ତି ଯେ ‘ଆସନ୍ତାକାଲି ସୂର୍ଯ୍ୟ ପୁଣି ଉଇଁବ’। ସିରିଜର ପ୍ରଥମ ତିନିଟି ଟେଷ୍ଟରୁ ବାଦପଡିଥିଲେ ସୁଦ୍ଧା ପରବର୍ତ୍ତୀ ଦୁଇଟି ଟେଷ୍ଟରେ ତାଙ୍କୁ ସୁଯୋଗ ମିଳିପାରେ ବୋଲି ରୋହିତ ଆଶା ରଖିଛନ୍ତି। ସୂଚନାଯୋଗ୍ୟ ଇଂଲଣ୍ଡ ବିପକ୍ଷ ତିନିଟିକିଆ ଟ୍ୱେଣ୍ଟି୨୦ ସିରିଜରେ ରୋହିତ ସର୍ବାଧିକ ରନ (୩ଟି ମ୍ୟାଚରୁ ଗୋଟିଏ ଶତକ ସହ ୬୮.୫୦ ହାରରେ ୧୩୭ ରନ) ସ୍କୋର କରିଥିବାବେଳେ ପରବର୍ତ୍ତୀ ସମୟରେ ତିନିଟିକିଆ ଦିନିକିଆ ସିରିଜରେ ୭୭ ହାରରେ ୧୫୪ ରନ ସ୍କୋର କରିଛନ୍ତି।