ଡେସ୍କ: ଆଜି (ଜାନୁଆରୀ ୧୪) ପ୍ରୟାଗରାଜରେ ମହାକୁମ୍ଭର ପ୍ରଥମ ‘ଅମୃତ ସ୍ନାନ’ ଅବସରରେ ଆପଲର ସହ ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ପତ୍ନୀ ଲରେନ୍ ପାୱେଲ ଜବ୍ସ ତ୍ରିବେଣୀ ସଙ୍ଗମରେ ଗାଧୋଇବେ ବୋଲି ଆଶା କରାଯାଉଥିଲା। ତେବେ ଆଲର୍ଜି କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ ବୋଲି ତାଙ୍କ ଗୁରୁ କୈଳାସାନନ୍ଦ ଗିରି କହିଛନ୍ତି।
କୈଳାସାନନ୍ଦ ଗିରି କହିଛନ୍ତି, ପାୱେଲ ସଙ୍ଗମରେ ଗାଧୋଇବାର ରୀତିନୀତିରେ ଭାଗ ନେବେ। ସେ ମୋ ଶିବିରରେ ବିଶ୍ରାମ ନେଉଛନ୍ତି। ତେବେ ତାଙ୍କର କିଛି ଆଲର୍ଜି ରହିଛି। ଏତେ ଜନଗହଳିପୂର୍ଣ୍ଣ ସ୍ଥାନକୁ ସେ କେବେ ଯାଇ ନାହାନ୍ତି। ସେ ବହୁତ ସରଳ ଅଟନ୍ତି। ପୂଜା ସମୟରେ ସେ ଆମ ସହିତ ରହିଥିଲେ। ଆମର ପରମ୍ପରା ଏପରି ଯେ ଯେଉଁମାନେ ଏହାକୁ କେବେ ଦେଖି ନାହାନ୍ତି, ସେମାନେ ସମସ୍ତେ ଏଥିରେ ଯୋଗ ଦେବାକୁ ଚାହୁଁଛନ୍ତି ବୋଲି ନିରଞ୍ଜନ ଆଖଡ଼ାର ସ୍ୱାମୀ କୈଳାସାନନ୍ଦ କହିଛନ୍ତି।
ଆଖଡ଼ା ଦ୍ୱାରା ହିନ୍ଦୁ ନାମ “କମଳା” ଦିଆଯାଇଥିବା ଲରେନ ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭରେ ଯୋଗ ଦେବା ପାଇଁ ଜାନୁଆରୀ ୧୩ରେ ବାରଣାସୀରେ ପହଞ୍ଚିଥିଲେ। ଜାନୁଆରି ୨୯ ତାରିଖ ପର୍ଯ୍ୟନ୍ତ ସେ ସେଠାରେ ପୂଜାର୍ଚ୍ଚନା କରିବେ ଏବଂ ତାଙ୍କ ଗୁରୁ ସ୍ୱାମୀ କୈଳାସାନନ୍ଦଙ୍କ ଶିବିରରେ ରହିବେ।
ରିପୋର୍ଟ ଅନୁଯାୟୀ, ଲରେନ୍ ମହାକୁମ୍ଭରେ କଳ୍ପବାସ ପାଳନ କରିବେ। କଳ୍ପବାସ ହିନ୍ଦୁ ପରମ୍ପରାରେ ଭକ୍ତମାନଙ୍କ ଦ୍ୱାରା ପାଳନ କରାଯାଉଥିବା ଏକ ପୁରାତନ ପ୍ରଥା, ଯାହାକୁ କଳ୍ପବାସୀ କୁହାଯାଏ। ଏହା ପୌଷ ପୂର୍ଣ୍ଣିମାଠାରୁ ଆରମ୍ଭ କରି ମାଘୀ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକ ମାସ ଚାଲିଥାଏ। ଏଥିରେ ଭାଗ ନେଉଥିବା ଶ୍ରଦ୍ଧାଳୁମାନଙ୍କୁ ପ୍ରତିଦିନ ଗଙ୍ଗାରେ ସ୍ନାନ କରନ୍ତି ଏବଂ ବିଭିନ୍ନ ସାଧୁ ସନ୍ଥଙ୍କ ଶିବିରକୁ ଯାଇ ଉପଦେଶ ଶୁଣନ୍ତି ଏବଂ କୁମ୍ଭ ସମୟରେ ଭଜନ କୀର୍ତ୍ତନରେ ଯୋଗ ଦିଅନ୍ତି।



