ନାହିଁ ନାହିଁରେ ଚାଲିଛି ଜୀବନ, ମିଳୁନି ମୌଳିକ ସୁବିଧା

ରେଙ୍ଗାଲିକ୍ୟାମ୍ପ : ପାନୀୟ ଜଳ, ରାସ୍ତା  ଆଉ ବିଦ୍ୟୁତ୍ ମଣିଷର ମୌଳିକ  ଅଧିକାର  । ଏହି  ଅଧିକାରରୁ ଜଣେ ବି ବଞ୍ଚିତ ହେବେ ନାହିଁ  ବୋଲି ନେତା ମନ୍ତ୍ରୀମାନେ  ଭାଷଣ ଦେଉଥିବାବେଳେ ଅତାବିରା ବ୍ଲକ କୁଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମର ରାଉତପଡ଼ାରେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳୁଛି । ଏଠାରେ ୫୦ରୁ ଉର୍ଦ୍ଧ୍ବ ଲୋକ ପ୍ରାୟ ୧୦୦ ବର୍ଷରୁ ଅଧିକ ହେବ ବସବାସ କରିଆସୁଛନ୍ତି । ଏମାନଙ୍କ ଜୀବନ ସଂଗ୍ରାମକୁ ନେଇ ଅନେକ ଥର ଅନେକ ଖବର କାଗଜରେ  ଦୃଷ୍ଟି ନିକ୍ଷେପ କରାଯାଇଛି । ହେଲେ ସମସ୍ତେ ଯେମିତି  ସ୍ଥାଣୁ ପାଲଟି ଯାଇଛନ୍ତି ଏହି ମାନଙ୍କ ପାଇଁ ।  ବ୍ଲକରୁ  ମାତ୍ର ୫ କିମି ଦୂରରେ ରହିଛି ଏହି ପଡ଼ା । ପାନୀୟ ଜଳ ପାଇଁ  ମୁକ ସାକ୍ଷୀ ପରି ରହିଛି ଗୋଟିଏ  ଅଚଳ ନଳକୂପ ଯାହାକୁ ଦେଖି ସରକାର ବୋଧେ  ନିଜକୁ ସାନ୍ତ୍ବନା ଦେଉଛନ୍ତି ତାଙ୍କର ବିକାଶ କରିଥିବା ନେଇ ।  ପଡ଼ାର ଏକ ବଦାନ୍ୟ ବ୍ୟକ୍ତିଙ୍କ ବଦାନ୍ୟତା ଯୋଗୁ ବୋଧେ ପଡ଼ାବାସୀ ବଞ୍ଚିରହିଛନ୍ତି । ତାଙ୍କର ଏକ  ଖୋଲା କୂଅ ଉପରେ ସମସ୍ତେ ପାନୀୟ  ଜଳ ପାଇଁ ବାଧ୍ୟ ହେଉଛନ୍ତି  ।

ବର୍ଷା ଦିନରେ ଉକ୍ତ କୂଅର ପାଣି ଗୋଳିଆ ହୋଇଯାଏ ।  ଏହି ଗୋଳିଆ ପାଣି ପିଇ ପିଇ ପଡ଼ାର ଦୁଇଟି ଶିଶୁ ଝାଡ଼ା ବାନ୍ତିରେ ମୃତ୍ୟୁ ବରଣ କରିସାରିଛନ୍ତି । ସେତେବେଳେ ଏହି ଖବର ପାଇ  ଡାକ୍ତରୀ ଦଳ ମଧ୍ୟ ପହଞ୍ଚି ଲୋକଙ୍କୁ ପରୀକ୍ଷା କରି  ଦୂଷିତ ପାଣି ଯୋଗୁଁ ଝାଡା ବାନ୍ତି  ହେଉଥିବା ଦର୍ଶାଇଥିଲେ । କିନ୍ତୁ ତାଙ୍କ ପାଇଁ କିଛି ବିକଳ୍ପ ନଥିବାରୁ ବାଧ୍ୟ ହୋଇ ପୁଣି ଆଜିଯାଏଁ କୂଅ ପାଣି ବ୍ୟବହାର କରୁଛନ୍ତି । ପୂର୍ବ ସରକାର ଥିବାବେଳେ ମାଟି ଖୋଲି ବଡ ବଡ଼ ପାଣି ପାଇପ ପୋତିଛନ୍ତି, କିନ୍ତୁ  କେବଳ ଭସା  ବାଦଲକୁ ଦେଖି  କଣ ଚାତକର  ଶୋଷ  ମେଣ୍ଟି ଥାଏ ? ଯେଉଁଠି  ଜଳର ବନ୍ୟା , ସେଇଠି ୨୪ ଘଣ୍ଟା ପାଣି ଯୋଗାଇ ଦିଆଯାଉଛି , କିନ୍ତୁ ଏଠି ମଣିଷ ପାଣି ଟୋପେ ପାଇଁ ନିଜ ଜୀବନକୁ  ବାଜି ଲଗାଇଛନ୍ତି ।

ଖାଲି ଯେ ପାନୀୟ ଜଳ ପାଇଁ ପଡ଼ାବାସୀ ସଂଘର୍ଷ କରୁଛନ୍ତି ତା ନୁହେଁ, ରାସ୍ତା କଥା ତା ଠାରୁ ଆହୁରି ଦୁଃଖଦ । ବର୍ଷା ଦିନ ହେଲେ ଏହି ପଡ଼ାରୁ ଖଟରେ ରୋଗୀ ବୁହାହୋଇ ଡାକ୍ତରଖlନlକୁ ନିଆଯାଉଥିବା ଖବର ଅନେକ ଖବର କାଗଜର ମୁଖ୍ୟ ଖବର ପାଲଟିଥାଏ । ଏବେ ଚାଲିଛି ଆବାସ ଯୋଜନାର ସର୍ବେକ୍ଷଣ । ଏମିତି ଆଗରୁ ବି ଅନେକ ଥର ସର୍ବେକ୍ଷଣ ହୋଇସାରିଛି । ମାତ୍ର ଏତେ ବର୍ଷ ଭିତରେ ଦୁଇ ଜଣ ହିତାଧିକାରୀ ଘର ପାଇଛନ୍ତି । ଅନ୍ୟମାନେ ଆଜି ସୁଦ୍ଧା କେଉଁ କାରଣରୁ ହିତାଧିକାରୀର ଯୋଗ୍ୟତା ପାଇଁ ନାହାନ୍ତି ତାହା  ସର୍ବେକ୍ଷଣକାରୀଙ୍କୁ ହିଁ ଜଣାଥିବ । ଘର, ପାଣି ଆଉ ରାସ୍ତା  ପାଇଁ ପଡ଼ାବାସୀ ଅନେକ ଥର ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇ ସାରିଛନ୍ତି, କିନ୍ତୁ କୌଣସି ଠୋସ ପଦକ୍ଷେପ ନିଆଯାଇନାହିଁ । ତେବେ ଦେଖାଯାଉ ଆଉ କେତେଦିନ ପରେ ଏହି ପଡ଼ାବାସୀଙ୍କ ଜୀବନ ସଂଗ୍ରାମର ପୁର୍ଣ୍ଣଛେଦ ପଡୁଛି ।

Comments are closed.