ରାସ୍ତା ମରାମତି କେବେ ?

ଭବାନୀପାଟଣା : ଜିଲ୍ଲା ମହକୁମାର କିଛି ରାସ୍ତା ଅନାବଶ୍ୟକ ଭାବେ ମଧ୍ୟ ମରାମତି ହୋଇ ଚକାଚକ କରାଯାଉଛି କିନ୍ତୁ ସହରର ଏକ ପ୍ରମୁଖ ରାସ୍ତାକୁ ବର୍ଷ ବର୍ଷ ଧରି ମରାମତି କରାଯାଉନାହିଁ। ଭବାନୀପାଟଣାରୁ ହିଲ ଟାଉନ୍ ଅଞ୍ଚଳ ଗଲାବେଳେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନଗରପାଳିକାର ଅବହେଳା ଯୋଗୁଁ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇପାରୁନି ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ ।

ରାସ୍ତା ଦୁଇକଡେ ଜିଲାପାଳ ଏବଂ ସଦର ଉପ ଜିଲାପାଳଙ୍କ ସରକାରୀ ବାସଭବନ ରହିଛି। ଏହି ରାସ୍ତା ଦେଇ  ସଦର ତହସିଲଦାର ଏବଂ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ନିଜ ନିଜ ସରକାରୀ ବାସଗୃହକୁ ଯାଆନ୍ତି। ରାସ୍ତା ଦେଇ ଜୟପ୍ରକାଶ ସାନ୍ଧ୍ୟ ମହାବିଦ୍ୟାଳୟକୁ ବାଟ ଫିଟିଥିବାବେଳେ ମୁଖ୍ୟ ଛକରେ ସହରର ଏକମାତ୍ର ନିତାଇ ଗୌରୀ ମନ୍ଦିର ରହିଛି। ହେଲେ ଏମିତି ଏକ ଗୁରୁତ୍ବପୂର୍ଣ୍ଣ ରାସ୍ତାର ଦୂରାବସ୍ଥା ପ୍ରତି କାହାର ନିଘା ନାହିଁ।  ନଗରପାଳିକା କାର୍ଯ୍ୟଳୟଠାରୁ ଏହି ସ୍ଥାନର ଦୂରତା ଏକ କିମିରୁ କମ ହେବ।  ରାସ୍ତା ଅତି ଖରାପ ହୋଇପଡିଥିବା ସତ୍ତ୍ୱେ ନଗରପାଳିକାର ଅବହେଳା ଯୋଗୁଁ ଏହା ସମ୍ପୂର୍ଣ୍ଣ ହୋଇପାରୁନି ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ ।

Comments are closed.