ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ
ଭୁବନେଶ୍ୱର: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୮ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ କଳାରେ ପାସ୍ ହାର ୬୮.୭୯ % ଥିବା ବେଳେ ବାଣିଜ୍ୟ ପାସ୍ ହାର ୭୪.୯୧% ରହିଛି। ଧନ୍ଦାମୂଳକ ଶିକ୍ଷାରେ ପାସ୍ ହାର ରହିଛି ୫୨.୬୧%। ପରିଷଦର ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକାକୁ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଉନ୍ମୋଚନ କରିଛନ୍ତି। ଚଳିତ ବର୍ଷ ଉଭୟ କଳା ଓ ବାଣିଜ୍ୟରେ ଛାତ୍ରୀମାନେ ଛାତ୍ର୍ରଙ୍କୁ ପଛରେ ପକାଇ ଦେଇଛନ୍ତି। ସେହିପରି କଳାରେ ଜଣେ ଏବଂ ବାଣିଜ୍ୟରେ ତିନି ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି।
କଳା
କଳାରେ ଗତ ବର୍ଷ ତୁଳନାରେ ପାସ୍ ହାର କମିଛି। ଗତ ବର୍ଷ ପାସ୍ ହାର ଥିଲା ୭୦.୧୭%। ଚଳିତ ବର୍ଷ ପାସ୍ ହାର ୬୮.୭୯%କୁ ହ୍ରାସ ପାଇଛି। ଚଳିତ ବର୍ଷ ୯୪,୬୧୯ ଜଣ ଛାତ୍ରୀ ପାସ୍ ଦେଇଥିବା ବେଳେ ୬୩,୭୫୯ ଜଣ ଛାତ୍ର ପାସ୍ କରିଛନ୍ତି। ଛାତ୍ରୀଙ୍କ ପାସ୍ ହାର ୭୫.୩୯% ଥିବାବେଳେ ଛାତ୍ରଙ୍କ ପାସ୍ ହାର ୬୦.୮୮% ରହିଛି। ଚଳିତ ବର୍ଷ କଳାରେ ମୋଟ ୨,୩୦,୨୦୬ ଜଣ ପରୀକ୍ଷା ଦେଇଥିବା ବେଳେ ୧,୫୮,୩୭୮ ଜଣ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୯,୯୯୩ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୬,୦୭୬ ଜଣ ଓ ତୃତୀୟ ଶ୍ରେଣୀରେ ୧,୧୨,୧୪୩ ଜଣ ପାସ୍ କରିଛନ୍ତି। ପୁରୀ ଜିଲାରେ ସଫଳତା ହାର ସର୍ବାଧିକ ୭୯.୮୭%ରେ ରହିଛି। ସର୍ବଶେଷରେ ନବରଙ୍ଗପୁରର ପାସ୍ ହାର ୪୭.୫୮% ରହିଛି।
ବାଣିଜ୍ୟ
ବାଣିଜ୍ୟରେ ଗତ ବର୍ଷ ତୁଳନାରେ ପାସ୍ ହାରରେ ଉନ୍ନତି ଘଟିଛ। ଗତ ବର୍ଷ ବାଣିଜ୍ୟ ପାସ୍ ହାର ୭୧.୪୩% ଥିବା ବେଳେ ଚଳିତ ବର୍ଷ ୭୪.୯୧%କୁ ବୃଦ୍ଧି ପାଇଛି। ଚଳିତ ବର୍ଷ ବାଣିଜ୍ୟରେ ମୋଟ୍ ୨୬,୯୮୪ଜଣ ପରୀକ୍ଷା ଦେଇଥିବା ବେଳେ ୨୦,୨୧୬ ଜଣ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୪,୦୦୬ଜଣ, ଦ୍ୱିତୀୟ ଶ୍ରେଣୀରେ ୩,୭୩୪ଜଣ ଓ ତୃତୀୟ ଶ୍ରେଣୀରେ ୧୨,୪୭୦ ଜଣ ପାସ୍ କରିଛନ୍ତି। ବାଣିଜ୍ୟରେ ମଧ୍ୟ ଛାତ୍ରଙ୍କୁ ପଛରେ ପକେଇ ଦେଇଛନ୍ତି ଛାତ୍ରୀ। ମୋଟ୍ ୧୩,୦୮୯ଜଣ ଛାତ୍ର ପାସ କରିଥିବା ବେଳେ ପାସ୍ ହାର ରହିଛି ୭୩.୧୧%। ସେହିପରି ମୋଟ୍ ୭,୧୨୭ ଜଣ ଛାତ୍ରୀ ପାସ୍ କରିଥିବା ବେଳେ ସେମାନଙ୍କ ପାସ୍ ହାର ୭୮.୪୮% ରହିଛି। ଜିଲା ଭିତ୍ତିରେ ନୟାଗଡ଼ ଜିଲା ଆଗରେ ରହିଛି। ସେଠାରେ ବାଣିଜ୍ୟରେ ପାସ୍ ହାର ୯୫.୫୯% ରହିଛି। ୪୫.୦୭% ପାସ୍ ହାର ସହିତ ଶେଷ ସ୍ଥାନରେ ରହିଛି ଦେଓଗଡ଼ ।
ଧନ୍ଦାମୂଳକ
ଧନ୍ଦାମୂଳକ ଶିକ୍ଷାରେ ଚଳିତ ବର୍ଷ ପାସ୍ ହାର ଗତବର୍ଷ ତୁଳନାରେ ପ୍ରାୟ ୯% ହ୍ରାସ ପାଇଛି। ଗତ ବର୍ଷ ପାସ୍ ହାର ୬୧.୨୨% ଥିବା ବେଳେ ଚଳିତ ବର୍ଷ ପାସ୍ ହାର ୫୨.୬୧% ରହିଛି। ପରୀକ୍ଷା ଦେଇଥିବା ମୋଟ ୭, ୯୬୬ ଜଣଙ୍କ ମଧ୍ୟରୁ ୪, ୧୯୧ ଜଣ ପାସ୍ କରିଛନ୍ତି। ୨,୦୮୦ ଜଣ ଛାତ୍ର ପାସ କରିଥିବା ବେଳେ ସେମାନଙ୍କ ପାସ୍ ହାର ରହିଛି ୪୮.୭୧%। ସେହିପରି ୨,୧୧୧ ଛାତ୍ରୀ ପାସ୍ କରିଥିବା ବେଳେ ସେମାନଙ୍କ ପାସ୍ ହାର ରହିଛି ୫୭.୧୧%। ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ଶ୍ରେଣୀରେ ୨୯୯ ଜଣ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୧, ୬୯୨ ଜଣ ଓ ତୃତୀୟ ଶ୍ରେଣୀରେ ୨,୦୫୧ ଜଣ ପାସ୍ କରିଛନ୍ତି। ବରଗଡ଼ରେ ସର୍ବାଧିକ ୮୧.୮୯% ପାସ୍ ହାର ରହିଥିବା ବେଳେ ନବରଙ୍ଗପୁରରେ ପାସ୍ ହାର ସର୍ବନିମ୍ନ ୩.୯୨% ରହିଛି।
ରେଭେନ୍ସା ଜୁନିଅର କଲେଜ୍ର କଳା ବିଭାଗ ଛାତ୍ରୀ ଅଭୀପ୍ସା ମିଶ୍ର ସର୍ବାଧିକ ୫୪୧ ନମ୍ବର ରଖିଛନ୍ତି। ସେହିପରି ବାଣିଜ୍ୟରେ ରାୟଗଡ଼ା ଜୁନିଅର କଲେଜ୍ର ସାଇ ପ୍ରବୀଣ ପଟ୍ଟନାୟକ ଓ ବ୍ରହ୍ମପୁର ଶିକ୍ଷା କଲେଜର ଅନୀଶ ପଟ୍ଟନାୟକ ୫୪୪ ନମ୍ବର ରଖି ଯୁଗ୍ମ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବ୍ରହ୍ମପୁର ଖଲିକୋଟ ଜୁନିଅର କଲେଜର ବି ଲୀଲାରାଣୀ ୫୪୨ ନମ୍ବର ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଧନ୍ଦାମୂଳକ ଶିକ୍ଷାରେ କେନ୍ଦ୍ରାପଡ଼ା ସରକାରୀ ଭୋକେଶନାଲ୍ ଜୁନିଅର କଲେଜ୍ର ସୌରଭ କୁମାର ବାରିକ ୫୧୦ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ସିଏଚ୍ଏସ୍ଇ ୱେବ୍ସାଇଟ୍ www.chseodisha.nic.in ଏବଂ www.orissaresults.nic.inରେ ଏହି ପରୀକ୍ଷାଫଳ ଉପଲବ୍ଧ ହେବ। ଉଭୟ ରୋଲ୍ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବର ବ୍ୟବହାର କରି ଛାତ୍ରଛାତ୍ରୀ ଓ ଅଭିଭାବକ ୱେବ୍ସାଇଟ୍ରୁ ପରୀକ୍ଷାଫଳ ଜାଣିପାରିବେ ବୋଲି ପରିଷଦର ପରୀକ୍ଷା ଉପନିୟନ୍ତ୍ରକ ଡ.ପ୍ରବୋଧ କୁମାର ପଣ୍ଡା ସୂଚନା ଦେଇଛନ୍ତି।