କତାବଗା ଠାରେ ମାଁ ସମଲେଶ୍ଵରୀଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମ୍ପନ୍ନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ କତାବଗା ଗ୍ରାମରେ ମାଁ ସମଲେଶ୍ଵରୀଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ  ପବିତ୍ର ମାଘ ଶୁକ୍ଳ ପକ୍ଷ ବସନ୍ତ ପଞ୍ଚମୀ  ଅବସରରେ ଅନୁଷ୍ଠିତ ହୋଇ ଆଜି ମହା ସମାରୋହରେ ସମ୍ପନ୍ନ ହୋଇ  ଯାଇଛି । ଦୀର୍ଘ  ପାଞ୍ଚ ଦିନ ଧରି ହୋଇଥିବା ଏହି ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସରେ  ଦିବା ୧୨ ଘଣ୍ଟା  ମଧ୍ୟେ କଳସ  ଯାତ୍ରା ଓ ଯଜ୍ଞସାଲା ପ୍ରବେଶରୁ ଆରମ୍ଭ ହୋଇ ଦ୍ଵିତୀୟ ଦିବସରେ ଶାଳା  ପ୍ରତିଷ୍ଠା, ଯୁପ ସ୍ନାନ, ଯୁପ ଯଜ୍ଞଶାଳା ପ୍ରବେଶ,ନୂତନ ବିଗ୍ରହ ମାନଙ୍କ  ଅନ୍ନାଭିଷେକ ଓ ହୋମାରମ୍ଭ ଆଦି କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ତୃତୀୟ ଦିବସରେ  ଯଜ୍ଞ ଦେବତାଦି ପୂଜନ, ନୂତନ ବିଗ୍ରହମାନଙ୍କ ମହା ସ୍ନାନ, ପ୍ରାଣ ପ୍ରତିଷ୍ଠା, ପୂଜନ ଓ ହୋମ ଆଦି ହୋଇଥିବା ବେଳେ ଚତୁର୍ଥ ଦିବସରେ  ମାଆ ସମଲେଶ୍ଵରୀ ଦେବୀଙ୍କ  ଷୋଡଶ ପୂଜା ଓ  ଚଣ୍ଡୀ ପାଠ ହୋମ  କରାଯାଇଥିଲା।
ପ୍ରତିଷ୍ଠା ମହୋତ୍ସବର ପଞ୍ଚମ ଦିବସରେ ଆଜି  ମନ୍ଦିର ଶୋଧନ, ମନ୍ଦିର ସିଂହାସନ ପ୍ରତିଷ୍ଠା , ନ୍ୟାସ, ଯୂପ ସ୍ଥାପନ,ଧ୍ଵଜା କଳସ ସ୍ଥାପନ,ବିଗ୍ରହ ସ୍ଥାପନ ଓ  ମାଁ  ଙ୍କ ମନ୍ଦିର ପ୍ରବେଶ ଆଦି ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହେବା ପରେ  ଅପରାହ୍ନ ୩ ଟାରେ ପୂର୍ଣ୍ଣାହୁତି  ହୋଇଥିଲା। ପ୍ରତ୍ୟହ ସକାଳେ  ସୂର୍ଯ୍ୟ ପୂଜା ଓ ସନ୍ଧ୍ୟାରେ ଆରତୀ  ଓ ପୁଷ୍ପାଞ୍ଜଳି କରାଯାଉଥିଲା।  ଗ୍ରାମର ବର୍ଷୀୟାନ ଦେବରାଜ ବେହେରା  ଓ ଧର୍ମ ପତ୍ନୀ  ନେତ୍ରା ବେହେରା  କର୍ତ୍ତା ଦାୟିତ୍ଵ ତୁଲାଇଥିବା ବେଳେ ଆଚାର୍ଯ୍ୟ ବଂଶୀଧର ମିଶ୍ର  ଓ ପୁସ୍ତକାଚାର୍ଯ୍ୟ  କୈଳାଶ ଚନ୍ଦ୍ର ପଣ୍ଡା  ମୁଖ୍ୟ ପଣ୍ଡିତ ଭାବେ ବରଣ ହୋଇ ପ୍ରତିଷ୍ଠା କାର୍ଯ୍ୟ ର ପୂଜକ ଦାୟିତ୍ଵ ତୁଲାଇଥିଲେ।ପଣ୍ଡିତ ସନ୍ତୋଷ ପଣ୍ଡା, ଆଦିତ୍ୟ ମିଶ୍ର,ଜିତୁ ମିଶ୍ର ଓ ପ୍ରଣବ ମିଶ୍ର ସହ ପୂଜକ ଭାବରେ ପୂଜା କାର୍ଯ୍ୟ କୁ ତ୍ୱରାନ୍ୱିତ କରିଥିଲେ।
ଏହି ପ୍ରତିଷ୍ଠା ମହୋତ୍ସବରେ  ପ୍ରତ୍ୟହ ଅନ୍ନ ପ୍ରସାଦ ବଣ୍ଟନ ଓ ସନ୍ଧ୍ୟାରେ ପାରାୟଣ,ଭଜନ କୀର୍ତ୍ତନ,କୃଷ୍ନଗୁରୁ, ନାଟକ ଆଦି ପରିବେଷିତ ହୋଇଥିଲା। ଏହା ବ୍ୟତୀତ ଏହି ମହୋତ୍ସବର ଅନ୍ୟ ଏକ ଆକର୍ଷଣ ଥିଲା ଯୁଗାର ଯାତ୍ରା ।ପ୍ରତି ଦିନ ଆଖପାଖ  ଗ୍ରାମ ମାନଙ୍କରୁ ବିଶାଳ ସମାବେଶରେ  ଆବାଳ ବୃଦ୍ଧ ବନିତା ଏହି ଜୁଗାର ଯାତ୍ରାରେ  ସାମିଲ ହୋଇ  ଏହାକୁ ଅଧିକ ଆକର୍ଷଣୀୟ କରୁଥିଲେ । ଲୁରୁପାଲି,ଲଚିଦା, ଲସ୍ତଲା ଟିଙ୍ଗିପାଲି, ଭୁର୍ଷି ପାଲି, ଦୁମ୍ବେର ପାଲି,ତୂରୀ ପଡ଼ା, ହୀର୍ଲି ପାଲି, ଭୋଇଟିକ୍ରା, ଖରମୁଣ୍ଡା, କଳଙ୍ଗା ପାଲି, ଡଙ୍ଗର୍ଲା ଆଦି ଗ୍ରାମରୁ  ଜୁଗାର ପହଞ୍ଚିଥିଲା ମାଁ ସମଲେଶ୍ଵରୀଙ୍କ ପୀଠକୁ। ଆଖ ପାଖ ଅଞ୍ଚଲରୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ  ସମାଗମ ହୋଇଥିଲା । ମାନସିକ ଧାରି ମାନେ ରାତିରେ ଉଜାଗର ରହି ମାଁଙ୍କ ପୂଜାର୍ଚ୍ଚନା  କରୁଥିଲେ। ଏହି ମହୋତ୍ସବ କୁ ସମସ୍ତ ଗ୍ରାମବାସୀ ସକ୍ରିୟ ସହଯୋଗ ପୂର୍ବକ ସୂଚାରୁ ରୂପେ ମହୋତ୍ସବ ସମ୍ପନ୍ନ ହେବାରେ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

Comments are closed.