ବିପଦକୁ ସ୍ବାଗତ କରୁଛି ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ଵାଗତମ ଫାଟକ

ରେଙ୍ଗାଲିକ୍ୟାମ୍ପ: ଜିଲ୍ଲା ଅତାବିରା ମଧ୍ୟ ଦେଇ ଲମ୍ଵିଯାଇଛି ୫୩ନଂ ଜାତୀୟ ରାଜପଥ । ଏହି ଜାତୀୟ ରାଜପଥକୁ ଚାରି ଥାକିଆ ରାସ୍ତା କରାଯାଇଛି ଶୃଙ୍ଖଳିତ ଓ ସୁରକ୍ଷାରେ ଯାନ ବାହନ ସବୁ ଯାତାୟାତ କରିପାରିବ ବୋଲି । ଏହି ରାସ୍ତା ଦେଇ ଦିନ ରାତି ହଜାର ହଜାର ଛୋଟ ବଡ ଗାଡ଼ି ମଟର, ଭାରୀ ଯାନବାହାନ ସହ ଲୋକ ତଥା ସ୍କୁଲ କଲେଜ ପିଲା ଯାତାୟତ କରିଥାନ୍ତି। କିନ୍ତୁ ରାସ୍ତାଟି ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ହେବା ସହ ରକ୍ଷଣାବେକ୍ଷଣ ଅଭାବରୁ ଡିଭାଇଡର ତଥା ରାସ୍ତା କଡ଼ରେ ଘାସ କିଆରୀ ହେବା, ଲତା ବୁଦା ଢାଙ୍କି ହେବା, ରାସ୍ତାରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ବାରମ୍ବାର ଛୋଟ ବଡ ଦୁର୍ଘଟଣାଠାରୁ ଆରମ୍ଭ କରି ମର୍ମନ୍ତୁଦ ଦୁର୍ଘଟଣା ଘଟି ରାସ୍ତା ଏବେ ରକ୍ତ ମୁଖା ସାଜିଛି। ସେହିପରି ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହେବା ପରେ ୧୧ଲକ୍ଷ ଟଙ୍କା ସରକାରୀ ଅନୁଦାନରେ ଚାରି ଥାକିଆ ରାଜପଥ ଉପରେ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ବାଗତ ଓ ବିଦାୟ ଫାଟକ ଲଗାଯାଇଥିଲା । ବରଗଡ଼ ପସମ୍ବଲପୁର ରାସ୍ତାରେ ରେଙ୍ଗାଲିକ୍ୟାମ୍ପ ଛକଠାରେ ଗୋଟିଏ ଓ ଅନ୍ୟଟି ସମ୍ବଲପୁର ପବରଗଡ଼ ରାସ୍ତାର ଝାଉଁ ନଦୀ ପୋଲ ପାଖରେ। ଯାହା ଅତି ନିମ୍ନ ମାନର କାର୍ଯ୍ୟ ହୋଇଥିବା ଯୋଗୁଁ ରେଙ୍ଗାଲିକେମ୍ପରେ ଲାଗିଥିବା ଫାଟକଟି ସାମାନ୍ୟ ବର୍ଷା ପବନରେ ରାଜରାସ୍ତା ଉପରେ ଚୁରମାର ହୋଇ ପଡ଼ି ଅଳ୍ପକେ ବର୍ତ୍ତିଯାଇଥିଲେ ଯିବା ଆସିବା ଲୋକେ । ପୁଣି ଗତ କିଛି ଦିନ ହେବ ଅତାବିରା ଝାଉଁ ଜୋର ନିକଟସ୍ଥ ଏନ୍ଏସି ଫାଟକକୁ ଏକ ଓ ଆର୍ ୧୯ ଜେ ୮୦୧୮ ଦଶ ଚକିଆ ପିଆଜ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ବରଗଡ଼ରୁ ସମ୍ବଲପୁର ଅଭିମୁଖେ ଯିବା ସମୟରେ ଧକ୍କା ଦେଇ ଟ୍ରକଟି ଓଲଟି ଯିବା ସହ ବିଜ୍ଞାପିତ ଅଞ୍ଚଳ ପରିଷଦର ଫାଟକ ଅଧା ଅଧିଆ ଭାଙ୍ଗି ରାଜରାସ୍ତା ଉପରେ ପଡ଼ିଯିବା ଫଳରେ ଯିବା ଆସିବା ଲୋକେ ଓ ଟ୍ରକ୍ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ । ଏବେ ବି ଅଧା ଅଧିଆ ଭଙ୍ଗା ଦଦରା ଫାଟକ ରାଜରାସ୍ତା ଉପରେ ଲୋକଙ୍କ ଜୀବନ ନେବା ଅବସ୍ଥାରେ ଝୁଲି ରହିଛି। ଏହି ଝୁଲନ୍ତା ଫାଟକ ପାଇଁ ପରବର୍ତ୍ତୀ କି ପଦକ୍ଷେପ ନିଆଯିବ ବୋଲି ପଚାରିବାରୁ ଧକ୍କା ମାରିଥିବା ଟ୍ରକ୍ ପ୍ରତି ଲିଖିତ ଭାବେ ଅଭିଯୋଗ ହୋଇଥିବା ଓ ତାହା ତଦନ୍ତ ନହେବା ପର୍ଯ୍ୟନ୍ତ ସେମିତି ରହିବ ବୋଲି ଏନ୍ଏସି ପ୍ରଶାସନ ପକ୍ଷରୁ ଉତ୍ତର ମିଳିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ବିଜ୍ଞାପିତ ଅଞ୍ଚଳ ପରିଷଦର ଫାଟକ ଅତି ନିମ୍ନ ମାନର ହୋଇ ସାମାନ୍ୟ ପବନରେ ଭାଙ୍ଗି ପଡ଼ିବା ଘଟଣା ବାହାରକୁ ଆସିଥିଲେ ମଧ୍ୟ ଏନ୍ଏସି କର୍ତ୍ତୃପକ୍ଷ ଚୁପ ରହୁଛନ୍ତି କେମିତି ? ଏବେ ପୁଣି ଟ୍ରକ୍ ଧକ୍କାରେ ଫାଟକ ପଡ଼ି ରାଜରାସ୍ତା ଉପରେ ଜୀବନ ନେବା ଅବସ୍ଥାରେ ଝୁଲି ରହିଛି। କେତେବେଳେ ଯେ କାହାର ଜୀବନ ନନେବ କିଏ କହିବ ? ଏ ନେଇ ଯିବାଆସିବା ଲୋକ ମାନଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚା ହେଉଛି । ଦୁଇଟି ଯାକ ଫାଟକକୁ ଅତି ନିମ୍ନ ମାନର ଭାବରେ ତିଆରି କରି ରାଜରାସ୍ତାରେ ଖଞ୍ଜି ଦିଆଯାଇଥିବା ପରି ମନେ ହୁଏ । ୧୧ ଲକ୍ଷ ଟଙ୍କାରେ ନିର୍ମିତ ଏହି ଫାଟକର ଏମିତି ଦୂରାବସ୍ଥା ଦେଖି ବେଶ୍ କହିହେବ ଏଥିରେ କେତେ ମାରଣ ତାରଣ ହୋଇଛି । ତେବେ ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଦାବୀ ହେଉଛି।

prayash

ସେହିପରି ଏନ୍ଏଚଆଇ ବିଭାଗର ଅବହେଳା ଯୋଗୁଁ ରାସ୍ତାଟି ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ହୋଇ ମରଣଯନ୍ତା ସାଜିଥିବା ବେଳେ ଏବେ ପୁଣି ଏନଏସି ବିଭାଗର ଅବହେଳା ଲୋକଙ୍କ ପାଇଁ କାଳ ହେବାକୁ ବସିଛି। ଆରଟିଓ ବିଭାଗ କଥା ନକହିବା ଭଲ। କେବଳ ରୋଡ୍ ସେପ୍ଟି ଭଳି କିଛି କାର୍ଯ୍ୟକ୍ରମ କରିଦେଇ ବହୁ ଦିନ ଧରି ଅନ୍ତର୍ଧ୍ୟାନ ହୋଇଯାଆନ୍ତି। ବେଳେ ବେଳେ ହେଲମେଟ୍ ଓ କାଗଜ ପତ୍ର ଯାଞ୍ଚ କାର୍ଯ୍ୟକ୍ରମ ପୁଲିସ ବିଭାଗର ମିଳିତ ଉଦ୍ୟମରେ ମଧ୍ୟ ହୋଇଥାଏ। ମୁଖ୍ୟ ଜାତୀୟ ରାଜପଥରେ ବିନା ହେଲପରରେ ବଡ ବଡ ଭଙ୍ଗା ଦଦରା ବହୁ ପୁରୁଣା ଭାରୀ ଯାନବାହାନ ଯିବା ଆସିବା କରି ତାର ଭୟଙ୍କର ଶବ୍ଦ ଛାତିକୁ ଥରାଇ ଦେଉଛି । ରାସ୍ତାରେ ତିନି ଚକିଆ ବାଇକ୍ ଇଞ୍ଜିନ ଲାଗିଥିବା ଡାଲା ରିକ୍ସା ବେନିୟମ ଭାବରେ ଯିବା ଆସିବା କରି ବିଗତ ଦିନରେ ଦୁର୍ଘଟଣାର ଶିକାର ହୋଇଥିବା ନଜିର ରହିଛି। ତଥାପି ଆରଟିଓ ବିଭାଗ ପକ୍ଷରୁ କିଛି ପଦକ୍ଷେପ ନେବା ଦେଖିବାକୁ ମିଳୁନାହିଁ । ଆହୁରି ଆଶ୍ଚର୍ଯ୍ୟ ଲାଗୁଛି ଯେ, ଏହି ରାସ୍ତା ଦେଇ ବିଭିନ୍ନ ସମୟରେ କେନ୍ଦ୍ର ମନ୍ତ୍ରୀମାନଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ନେତା ମନ୍ତ୍ରୀ ବଡ ବଡ ସରକାରୀ ଅଧିକାରୀ ଯିବା ଆସିବା କରୁଥିଲେ ହେଁ ଦିନକୁ ଦିନ ରାସ୍ତାଟି ମରଣଯନ୍ତା ଭାବେ ରାଜରାସ୍ତା ଉପରେ ବିପଦ ମୁଣ୍ଡ ଟେକି ଥିବାବେଳେ କାହାରି ନଜର ପଡୁ ନଥିବା ବଡ ଦୁଃଖର କଥା । ତୁରନ୍ତ ବିଭାଗୀୟ ଅଧିକାରୀ ତଥା ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

kalyan agarbati

Comments are closed.