ରେଙ୍ଗାଲି ରେଳ ଷ୍ଟେସନର ସମସ୍ୟା ପ୍ରତିକାର ପାଇଁ ଡିଆରଏମଙ୍କୁ ଦାବିପତ୍ର ପ୍ରଦାନ
ରେଙ୍ଗାଲି: ରେଙ୍ଗାଲି ରେଳ ଷ୍ଟେସନରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଏବଂ ଶୌଚାଳୟର ଦୟନୀୟ ସ୍ଥିତିର ଆଶୁ ପ୍ରତିକାର ତଥା କେତେ ଜଣ କର୍ମଚାରୀଙ୍କ ରୁକ୍ଷ ବ୍ୟବହାର ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯାନୁଷ୍ଠାନ ଗ୍ରହଣ ପାଇଁ ସ୍ୱାଧୀନ ଏକତା ସଙ୍ଗଠନ ଏବଂ ରାମ ସେନା ପକ୍ଷରୁ ଡିଆର୍ଏମଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଆଜି ସ୍ୱାଧୀନ ଏକତା ସଙ୍ଗଠନର ଉପ-ସଭାପତି ଅମିତ ସାହୁ, ରାମସେନାର ସଭାପତି ନିତିଶ ଅଗ୍ରଓାଲ, ସମ୍ପାଦକ ଅଭୟ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରେଙ୍ଗାଲି ରେଳ ଷ୍ଟେସନର ଅଧିକ୍ଷକଙ୍କୁ ସାକ୍ଷାତ କରି ଆସନ୍ତା ଦୁଇ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି। ଅନ୍ୟଥା ଶାନ୍ତିପୂର୍ଣ୍ଣ ଆନ୍ଦୋଳନାତ୍ମକ ପନ୍ଥା ଅବଳମ୍ବନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଦାବୀପତ୍ରରେ କରାଯାଇଥିବା ଅଭିଯୋଗରୁ ପ୍ରକାଶ ଯେ, ରେଙ୍ଗାଲି ରେଲ ଷ୍ଟେସନ ପରିସରରେ ଅନେକ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଥିଲେ ମଧ୍ୟ ପିଇବା ପାଣି ସପ୍ଲାଇ କରାଯାଉ ନାହିଁ। ଫଳରେ ଯାତ୍ରୀମାନେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଷ୍ଟେସନ ପରିସରରେ ଯାତ୍ରୀମାନଙ୍କ ଶୌଚ ପାଇଁ ନିର୍ମାଣ କରାଯାଇଥିବା ଶୌଚାଳୟ ଅତି ଦୟନୀୟ ତଥା ଅସ୍ୱାସ୍ଥ୍ୟକର ସ୍ଥିତିରେ ପଡ଼ି ରହିଛି। ଶୌଚାଳୟ ସାପ ଆଦି ବିଷାକ୍ତ ସରୀସୃପମାନଙ୍କ ବାସସ୍ଥଳୀ ପାଲଟିଛି। ପାନୀୟ ଜଳ ଯୋଗାଣର ସୁବ୍ୟବସ୍ଥା ଏବଂ ଶୋଚାଳୟକୁ ବ୍ୟବହାର ଉପଯୋଗି କରିବାକୁ ଦାବି କରାଯାଇଛି। ଏହି ଷ୍ଟେସନରେ କାର୍ଯ୍ୟରତ କେତେକ କର୍ମଚାରୀଙ୍କ ଯାତ୍ରୀମାନଙ୍କ ପ୍ରତି ରୁକ୍ଷ ବ୍ୟବହାର ପ୍ରଦର୍ଶନ କରୁଥିବାରୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଏହାବ୍ୟତିତ ରେଙ୍ଗାଲି ଷ୍ଟେସନରେ ତତ୍କାଳ ଟିକେଟ୍ ବୁକିଂ ବ୍ୟବସ୍ଥା ଶୀଘ୍ର କାର୍ଯ୍ୟକାରୀ କରାଯିବାକୁ ଦାବି କରାଯାଇଛି। ରେଙ୍ଗାଲି ଷ୍ଟେସନ ରେ ତତ୍କାଳ ଟିକେଟ୍ ବୁକିଂ ହେଉନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଉଚ୍ଚ କର୍ତ୍ତୃପକ୍ଷ ଉପରୋକ୍ତ ସମସ୍ୟାଗୁଡିକର ଶୀଘ୍ର ସମାଧାନ ପାଇଁ ଦାବି ହେଉଛି।
Comments are closed.