ରେଙ୍ଗାଲି: ରେଙ୍ଗାଲି ବ୍ଳକ୍ କିନାଲୋଇ ଗ୍ରାମ ପଞ୍ଚାୟତର ଲୁହାଖଣ୍ଡି ଗ୍ରାମର ବାଇପାସ୍ ରାସ୍ତାରେ ଚାଲିଥିବା କଲଭର୍ଟ ନିର୍ମାଣ କାମକୁ ବିରୋଧ କରି ଆଜି କାମ ବନ୍ଦ ହୋଇଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ବ୍ଳକ୍ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରି ଗ୍ରାମବାସୀ ଲିଖିତ ଆପତ୍ତି ଜଣାଇଥିବାର ପ୍ରକାଶ। ରାସ୍ତାରେ ଉଭୟ ପାର୍ଶ୍ବରେ ରୟତି ଜମି ଥିବାରୁ ପୂର୍ବରୁ ଏହି ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ମଞ୍ଜୁର ହୋଇଥିବା ୯୬ ଲକ୍ଷ ଟଙ୍କା କାମ ନହୋଇ ଫେରି ଯାଇଥିଲା। ରାସ୍ତା ର ଉଭୟ ପାର୍ଶ୍ବରେ ରୟତି ଜମି ବିବାଦର ସମାଧାନ ନକରି ଗ୍ରାମବାସୀଙ୍କ ଅଜାଣତରେ ରାସ୍ତା ମଝିରେ କାହାର ସ୍ୱାର୍ଥରେ କଲଭର୍ଟ ନିର୍ମାଣ କରାଯାଉଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଏହାବ୍ୟତୀତ କୌଣସି ଉନ୍ନୟନ କାମ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ନିର୍ମାଣ କରିବାର ନିୟମ ଥିଲେ ମଧ୍ୟ ଲୁହାଖଣ୍ଡି ବାଇପାସ୍ ରାସ୍ତାରେ ନିର୍ମାଣ ହେଉଥିବା କଲଭର୍ଟ କାମ ସୂଚନା ଫଳକ ନିର୍ମାଣ ହୋଇ ନାହିଁ। ସୂଚନା ଫଳକ ନଥିବାରୁ ଏହା କେଉଁ ଯୋଜନା ପାଣ୍ଠିରୁ କେତେ ଟଙ୍କା ମଞ୍ଜୁର ହୋଇଛି ଜଣାପଡୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଗ୍ରାମବାସୀଙ୍କ ଅଜାଣତ ରେ କଲଭର୍ଟ କାମ ହେଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।
Popular Categories



