ଚାକିରିରୁ ଅବସର ନେଲେ ବରଗଡ଼ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଆଶୁତୋଷ ଦେ
ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଆଶୁତୋଷ ଦେ ଚାକିରିରୁ ଅବସର ନେଇଛନ୍ତି । ସେ ଖାଲି ଶାରୀରିକ ଶିକ୍ଷା ଅଧିକାରୀ ନ ଥିଲେ, ସେ ଥିଲେ ଜିଲ୍ଲା ସ୍କାଉଟ୍ ଗାଇଡ ର ସମ୍ପାଦକ, ବରିଷ୍ଠ ଦକ୍ଷ ଏନ୍ ସି ସି କମାଣ୍ଡେଟ୍ ଅଫିସର, ସ୍କାଉଟ୍ ଗାଇଡ ର ରାଜ୍ୟ ସ୍ତରୀୟ ସାଧନା କର୍ମୀ ଏବଂ ତାଲିମ ଦାତା ତଥା ସାହିତ୍ୟ ଓ କଳା କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ହାସଲ କରିଥିଲେ । ତାଙ୍କ ଅବସର ପରେ ବିଭିନ୍ନ ମହଲରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଉଛି।
ଅବସର ପରେ ପରେ ବରଗଡ଼ ଲେଂଗୁ ମିଶ୍ର ଷ୍ଟାଡିୟମ୍ ,ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଗୋଡଭାଗା ଜନତା ଉଚ୍ଚ ବିଦ୍ୟାଳୟ ଆଦି ସ୍ଥାନରେ ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଦ୍ଵାରା ନିମନ୍ତ୍ରିତ ହୋଇ ସମ୍ବର୍ଦ୍ଧିତ ହୋଇ ସାରିଛନ୍ତି । ଅବସର ଗ୍ରହଣ ପରେ ମଧ୍ୟ ବିଦ୍ୟାଳୟ ମାନଙ୍କରେ କ୍ରୀଡା , ସ୍କାଉଟ୍/ ଗାଇଡ କ୍ଷେତ୍ରରେ ତାଙ୍କରି ଦିଗଦର୍ଶନର ଆବଶ୍ୟକତା ରହିଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମିତ୍ରଭାନୁ କଛପ କହିଥିଲେ । ଠିକ୍ ସେମିତି ଆଜି ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ହରପାଲ୍ , ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁରେନ୍ଦ୍ର ବେହେରା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତପନ ଦାସ, ଲଦେର ପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ ପ୍ରମୁଖ ମଞ୍ଚାସିନ ଥିବାବେଳେ ଶ୍ରୀଯୁକ୍ତ ଦେ ସ୍ଵତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ ।
କିଶୋର ଚନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଲକ କ୍ରୀଡା ସମ୍ପାଦକ ଲବ ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସମସ୍ତ ମଞ୍ଚାସିନ ଅତିଥି ବୃନ୍ଦଙ୍କ ସହ ଉପସ୍ଥିତ ବ୍ଲକର ସମସ୍ତ ଖେଳ ଶିକ୍ଷକ ଶ୍ରୀଯୁକ୍ତ ଦେଙ୍କ ଅନନ୍ୟ ପ୍ରତିଭାକୁ ପ୍ରଶଂସା କରିଥିଲେ । ତାଙ୍କର ସେହି ପ୍ରତିଭା ତାଙ୍କୁ ଏକ ଅସାଧାରଣ ବ୍ୟକ୍ତିତ୍ଵ ସମ୍ପନ୍ନ କରିଛି, ସେ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ, ତାଙ୍କରି ଦିଗଦର୍ଶନରେ ଅଞ୍ଚଳରର କ୍ରୀଡା ତଥା ସ୍କାଉଟ୍ ଗାଇଡ ବିଭାଗ ସବୁଠାରେ ଅଗ୍ରଣୀ ହୋଇ ପାରିଛି, ସୁନାମ ଅର୍ଜନ କରିଛି ବୋଲି ନିଜ ନିଜ ବକ୍ତବ୍ୟରେ ସମସ୍ତେ ପ୍ରକାଶ କରିଥିଲେ । ଶ୍ରୀଯୁକ୍ତ ଦେ ୧୯୮୪ ମସିହାରୁ ଅଭିଭକ୍ତ ସମ୍ବଲପୁର ଜିଲ୍ଲାର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ପରୁଆବାଡ଼ିରୁ ଖେଳ ଶିକ୍ଷକ ରୂପେ ନିଯୁକ୍ତି ପାଇ ତାଙ୍କ ଚାକିରି ଜୀବନର ଶୁଭାରମ୍ଭ କରିଥିଲେ ।
ଦୀର୍ଘ ୧୩ ବର୍ଷ ପରେ ସେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଜନତା ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତରିତ ହୋଇ ଆସିଥିଲେ ୧୯୯୭ ମସିହାରେ । ଏହିଠାରେ ତାଙ୍କର କ୍ରୀଡା ଶିକ୍ଷକ ଭାବେ କାର୍ଯ୍ୟ କରୁ କରୁ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ସେ ଜିଲ୍ଲା ଶାରୀରିକ କ୍ରୀଡା ନିରୀକ୍ଷକ ରୂପେ ୨୦୨୦ ମସିହାରୁ ଦାୟିତ୍ଵ ନିର୍ବାହ କରିଥିଲେ । ଜିଲ୍ଲାର ସମସ୍ତ ଖେଳ ଶିକ୍ଷକ ମାନଙ୍କ ପାଇଁ ସେ ଏକ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି ଓ ଆଗକୁ ମଧ୍ୟ ରହିବେ। ଅବସର ନେବା ସରକାରୀ ନିୟମର ଔପଚାରିକତା ମାତ୍ର,କିନ୍ତୁ ବାସ୍ତବରେ ତାଙ୍କର ବ୍ୟକ୍ତିତ୍ୱର ଅବସର କେବେ ଆସିବନି ।
Comments are closed.