ଘୁଞ୍ଚି ଘୁଞ୍ଚି ଯାଉଛି ମୌସୁମୀ: ଜଳିଯାଉଛି ଧାନ ଖଳା ଓ ପାଳ ଗଦା
ରେଙ୍ଗାଲିକ୍ୟାମ୍ପ: ଚଳିତ ବର୍ଷ ମୌସୁମୀ ଆଗମନରେ ବିଳମ୍ବ ହେଉଥିବା ବେଳେ ପ୍ରଚଣ୍ଡ ରୌଦ୍ରତାପ ରେ ନିଆଁ ଜଳିଲା ପରି ଲାଗୁଛି। ପୋଖରୀ,ଗାଡିଆ, ନାଳ ସବୁ ଶୁଖିଯାଇ ମାଟି ଫାଟି ଆଁ କରି ସାରିଲାଣି। ତାପମାତ୍ରା ଦିନକୁ ଦିନକୁ ବୃଦ୍ଧିପାଉଥିବାବେଳେ ମୌସୁମୀ ଘୁଞ୍ଚି ଘୁଞ୍ଚି ଯାଉଛି। ଅସରାଏ ବର୍ଷାକୁ ସମସ୍ତେ ଚାହିଁ ରହିଥିବାବେଳେ ଏହି ପ୍ରତିକୂଳ ପରିସ୍ଥିତିର କଷ୍ଟକୁ ଦ୍ବିଗୁଣିତ କରୁଛି ମଣିଷ ଦ୍ବାରା ଲାଗୁଥିବା ନିଆଁ। ଧାନ ଅମଳ ପରେ ଲୋକେ ଜମିରେ ଥିବା ଶୁଖିଲା ନଡ଼ାରେ ନିଆଁ ଲଗାଇ ଚାଲିଯାଉଛନ୍ତି । କିନ୍ତୁ ଖରା ସାଙ୍ଗକୁ ଦକ୍ଷିଣା ପବନରେ ସେଇ ନିଆଁରେ ଜଳି ଯାଉଛି ବଡ ବଡ଼ ପାଳଗଦା, ହୁତୁହୁତୁ ହୋଇ ଜଳୁଛି ଏକର ଏକର ଜମିର ଧାନ ଖଳା । ନିଆଁ ଲାଗି ଆଖ ପାଖ ଅଞ୍ଚଳର ୨/୩ କିଲୋମିଟର ପର୍ଯ୍ୟନ୍ତ ଧୂଆଁ ବ୍ୟାପିଯାଉଛି।
ଏହା ସହିତ ବଢୁଛି ଅଞ୍ଚଳର ତାପମାତ୍ରା। ବେଳେ ବେଳେ ନିଆଁକୁ ଆୟତ୍ତ କରିପାରୁନି ଅଗ୍ନିଶମ ବାହିନୀ। ଅତାବିରା ଅଗ୍ନିଶମ ବିଭାଗର ରିପୋର୍ଟ ଅନୁଯାୟୀ ଗତ ୧ ରୁ ୧୩ ତାରିଖ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ୫୧ଟି ପାଳଗଦା ଜଳିଯାଇଛି। ଏହାସହିତ ସିନ୍ଦୂର ବାହାଲର ନରେନ୍ଦ୍ର ସିଂଙ୍କ ୨୫ ହଜାର ଟଙ୍କାର ଧାନ ଖଳା, ଜହ୍ନା ପଡ଼ାର ପୁରୁଷୋତ୍ତମ ପ୍ରଧାନଙ୍କ ୭ ଏକରର ଧାନ ଖଳା ସହ ଦୁଇଟି କୁଡିଆ ଘର ଓ ଗୋଟିଏ ବାଉଁଶ ବିଡା, ବାବେବୀରାର ଜିଉଁନୀ ଚୌଧୁରୀଙ୍କ ମୂଲ୍ୟବାନ ଗଛ, ଖିରାପାଲିର ଭିମା କାମାଙ୍କ କଟା ହୋଇଥିବା ଗଛ, ଭୂତଟିକ୍ରାର ସଦାନନ୍ଦ କର୍ମୀଙ୍କ ଗଛ ଓ ବାଉଁଶ ଗଦା, ଗୁଦୁଗୁଦିର ଉନି ନାଥଙ୍କ ଏକ ଏକର ଜମିର ଧାନ ଖଳା, ବାଗବହାଲର ଜନ୍ମ ଭୋଇଙ୍କ ୪ ଏକର ଜମିର ଧାନ ଖଳା, ପିପିଲର କ୍ଷେତ୍ର ପ୍ରଧାନଙ୍କ ଛତୁ ଚାଷ ହେଉଥିବା ଦୁଇଟି ଘର, ପତ୍ରପାଲିର କୃପା ପଟେଲଙ୍କ ୧୦ ହଜାର ଟଙ୍କାର ଧାନ ବସ୍ତା ଓ ନଡ଼ା ଗଦା, ବାଟିମୁଣ୍ଡାର ପଦ୍ମା ଭୁଏଙ୍କ ଚାରି ବଖରା ଚାଲ ଘର, ହିମାଂଶୁ ଭୁଏଙ୍କ ୧ ଏକର ଆମ୍ବ ବଗିଚା, ଅତାବିରା ଶାନ୍ତି ପଡ଼ାର ସଇଦ ଅନୱାରଙ୍କ ଦୁଇଟି ନଡ଼ିଆ ଗଛ, ଦେବାହାଲ ଅରୁଣ ପ୍ରଧାନଙ୍କ କାଠ ଗଦା, ଜହ୍ନ ପଡ଼ା ସିଦ୍ଧେଶ୍ୱର ମାଝୀଙ୍କ କାଠ ଗଦା, ପାହାର ଶ୍ରିଗିଡାର ଦିଲୀପ ସ୍ୱାଇଁଙ୍କ ଟାୱାର ଓ ତ୍ରାନ୍ସଫର୍ମର, କର୍ଣ୍ଣ ଟିକ୍ରା ସୁବୋଧ ବାରିକଙ୍କ ନର୍ସରୀ, ବାବେଵିରାର ଓମ୍ ପ୍ରକାଶଙ୍କ କଦଳୀ ଓ ନଡ଼ିଆ ବଗିଚା, କୁକୁଣ୍ଡାର ଲକ୍ଷ୍ମଣ ପ୍ରଧାନଙ୍କ ଚାଳଘର, ଲରମ୍ଭା କୃଷି ବିଜ୍ଞାନ କେନ୍ଦ୍ର ଫାର୍ମର ସମସ୍ତ ଗଛ ସହ ପାଣି ପମ୍ପ ଓ ଭୋଇ ପାଲିର ଶ୍ରୀରାମ ଧାନ ମିଲର ଭିତରେ ଥିବା ପାଲଗଦା ଆଦି ସହ ଅନେକ ଗ୍ରାମରେ ଅସାଧୁ ବ୍ୟକ୍ତିମାନଙ୍କ ସାମାନ୍ୟ ଭୁଲ ପାଇଁ ନିଆଁ ଲାଗି ଲୋକଙ୍କ ଅନେକ କ୍ଷତି ହୋଇଥିବା ଉଲ୍ଲେଖ ରହିଛି ।
ଅତାବିରା ଅଗ୍ନିଶମ ବିଭାଗର କେନ୍ଦ୍ର ଅଧିକାରୀ ମିଶ୍ର କିଷାନଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଅଗ୍ନିକ ଏକେ ଦେହେରି, ପି.ସାହୁ , କେ.ସି.ଝାଙ୍କର, ରଞ୍ଜିତ ନାଏକ, ସୁଦର୍ଶନ କିଶାନ, କର୍ମଚାରୀ ଜନାର୍ଦ୍ଦନ ବିଶ୍ବାଳ ଓ ସି.ମୁଣ୍ଡା ପ୍ରମୁଖ ନିଆଁ ଲିଭା କାର୍ଯ୍ୟରେ ଦମକଳ ବିଭାଗର ଦୁଇଟି ଗାଡି ସହ ଲାଗିଥିଲେ। ବର୍ଷକର ରୋଜଗାର ଆଖି ଆଗରେ ପୋଡି ପାଉଁଶ ହୋଇଯାଉଥିବା ଦେଖି ଚିନ୍ତାରେ ପଡିଯାଇଛନ୍ତି ଅନେକ ଚାଷୀ। କିଛି ଅସାମାଜିକ ବ୍ୟକ୍ତି ଙ୍କ ସାମାନ୍ୟ ଭୁଲ ପାଇଁ ଚଳିତ ବର୍ଷ ଅଗ୍ନିକାଣ୍ଡ ଜନିତ ସମସ୍ୟା ରେ ଏତେ ସଂଖ୍ୟକ କ୍ଷୟକ୍ଷତି ସହ ପରିବେଶ ପ୍ରଦୂଷଣ ହେଉଛି।
Comments are closed.