ବାଲେଶ୍ବରରେ ଶିଳ୍ପ ମରୁଡି; ୨୫୦ କାରଖାନା ବନ୍ଦ, ୪୦ ହଜାର ବେକାର

ରେମୁଣା: ସରକାର ଶିଳ୍ପ ବିକାଶର କଥା କହିଛନ୍ତି। ଏକାଧିକ ବୁଝାମଣା ଓ ଚୁକ୍ତି ସ୍ବାକ୍ଷର କରାଯାଉଛି। ରାଜ୍ୟରେ ବାହାର କମ୍ପାନୀଙ୍କୁ ଆକର୍ଷିତ କରିବା ଲାଗି ଓଡ଼ିଶାରେ ଅନୁକୂଳ ଶିଳ୍ପ ପରିବେଶ ସୃଷ୍ଟି ହୋଇଥିବା ରାଜ୍ୟ ସରକାର ଦାବି କରୁଛନ୍ତି। କିନ୍ତୁ ଏସବୁ ଦାବି ଓ ପ୍ରଚାର ଭିତରେ ବାସ୍ତବତା ହେଉଛି ରାଜ୍ୟରେ ଚାଲୁଥିବା ଅନେକ ବୃହତ୍ତ ଶିଳ୍ପ କାରଖାନା ଏବେ ବନ୍ଦ ପଡିଛି। ଏମିତି ଦେଖିଲେ ବିର୍ଲା ଟାୟାର୍ସ ଫାଟକରେ ଏବେ ତାଲା। ବାଲେଶ୍ୱର ଆଲୟେଜ କାରଖାନା ଚିମନିରୁ ଆଉ ଧୂଆଁ ଉଠୁନି। ଇମାମି କାଗଜ କଳର ସବୁ ୟୁନିଟ୍‌ ଚାଲୁ ହେଉନି।

ବାଲେଶ୍ୱର ଜିଲାର ଏହି ତିନୋଟି ବୃହତ୍‍ ଶିଳ୍ପ ଏଭଳି ଅବସ୍ଥାରେ ଥିବାବେଳେ ୨୫୦ରୁ ଅଧିକ ବଏଲରଯୁକ୍ତ କାରଖାନା ବନ୍ଦ ହୋଇଯାଇଛି। ଫଳରେ ୪୦ ହଜାରରୁ ଅଧିକ ଲୋକ ବେକାର ହୋଇ ସୁରତ, ମଦୁରାଇ, ଗୋଆ ମୁହାଁ ହେଉଛନ୍ତି। ଏଠାରେ ବିଭିନ୍ନ କାରଖାନାରେ କେବଳ ଜିଲାର ଯୁବକ ଯୁବତୀ ନୁହନ୍ତି, ଅନ୍ୟ ଜିଲାର ଲୋକ ବି କାମ କରୁଥିଲେ। ମାତ୍ର ପ୍ରଚୁର ଲାଭ ଉଠାଇବା ପରେ, ନିଜର ଅନ୍ୟ ଉଦ୍ୟୋଗ ଓ ବିପୁଳ ଅର୍ଥ ଥିବାରୁ କାରଖାନା ଚଳାଇବାକୁ ମାଲିକଙ୍କ ବିମୁଖତା, ସଠିକ ପରିଚାଳନାର ଅଭାବ ଏବଂ ସରକାରୀ ଉଦାସୀନତା ଯୋଗୁଁ ଏଭଳି ଶିଳ୍ପ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି।

prayash

କାରଖାନା ଓ ବାଷ୍ପିତ(ଫ୍ୟାକ୍ଟ୍ରି ଏଣ୍ଡ ବଏଲର) ବିଭାଗ ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ, ଜିଲାରେ ବଏଲରଯୁକ୍ତ ୩୦୦ରୁ ଅଧିକ କାରଖାନା ସ୍ଥାପିତ ହୋଇଥିବାବେଳେ ସେଥିରୁ ୨୫୦ରୁ ଅଧିକ ଉଦ୍ୟୋଗ ବନ୍ଦ ହୋଇଯାଇଛି। ସେହିପରି ଜିଲା ଶିଳ୍ପ କେନ୍ଦ୍ରର ସୂଚନା ଅନୁସାରେ, ଜିଲାରେ ୧୯୮୦ ଦଶକରୁ ଶିଳ୍ପାୟନର ଧାରା ଆରମ୍ଭ ହୋଇ ୨୭୬୨ଟି ଛୋଡ଼ ବଡ଼ ଉଦ୍ୟୋଗ ପ୍ରତିଷ୍ଠା ହୋଇଥିବାବେଳେ ଏବେ ଅଧିକାଂଶ ଉଦ୍ୟୋଗ ବନ୍ଦ। ୧୯୯୧ରେ ବାଲେଶ୍ୱର ଉପକଣ୍ଠ ବାମପଦାର ବିର୍ଲା ଟାୟାର୍ସ ଜିଲାରେ ଶିଳ୍ପାୟନର ପ୍ରତୀକ ପାଲଟିଥିଲା। ବସନ୍ତ କୁମାର ବିର୍ଲାଙ୍କ କେଶୋରାମ ଇଣ୍ଡଷ୍ଟ୍ରିଜ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି କାରଖାନା

ହେଉଛି ଜିଲାର ସର୍ବ ବୃହତ ଶିଳ୍ପ। ଏହି କାରଖାନାରୁ ବିଭିନ୍ନ ଯାନ ପାଇଁ ଊତ୍ପାଦିତ ଟାୟାର ଭାରତ ସମେତ ୪୩ଟି ଦେଶରେ ବିକ୍ରୟ ହେଉଥିଲା। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫ ହଜାରରୁ ଅଧିକ କର୍ମଚାରୀ ତଥା ଶ୍ରମିକ କର୍ମନିଯୁକ୍ତି ପାଇଥିଲେ। ତେବେ ୨୦୧୯ ଦୁର୍ଗା ପୂଜା ଠାରୁ କାରଖାନା ବନ୍ଦ ରହିଛି। ନଭେମ୍ବର ୨୦୨୧ ସୁଦ୍ଧା କାରଖାନାର ଋଣ ପରିମାଣ ୧୦୫୭.୮ କୋଟି ଓ ୮୪୭.୭ କୋଟି ଟଙ୍କାର କ୍ଷତି ହୋଇଥିବା ଜଣାଯାଇଛି। କମ୍ପାନୀ ନିଜ ହରିଦ୍ୱାର ଟାୟାର ୟୁନିଟକୁ ଜେକେ ଟାୟାରକୁ ୨୧୫୦ କୋଟି ଟଙ୍କାରେ ବିକ୍ରି କରିଥିବାବେଳେ ବାଲେଶ୍ୱର ୟୁନିଟକୁ କାର୍ଯ୍ୟକ୍ଷମ କରୁ ନାହିଁ।

kalyan agarbati

Comments are closed.