ସୁନ୍ଦରଗଡ଼ ଜିଲାର ଅର୍ଥନୈତିକ ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ସମୀକ୍ଷା, ପରିଦର୍ଶନ କଲେ ରାଉରକେଲା ସ୍ୱୟଂଶାସିତ ମହାବିଦ୍ୟାଳୟ
ଭୁବନେଶ୍ୱର: ଆଜି ରାଉରକେଲା ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୃଷି, ଉଦ୍ୟାନକୃଷି, ପ୍ରାଣୀସଂପଦ ବିକାଶ, ମତ୍ସ୍ୟ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଓଡ଼ିଶା ଜୀବିକା ମିଶନ ଏବଂ ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା ବିଭାଗ ସମୂହ ଯୋଗଦେଇଥିବାବେଳେ ବିଭିନ୍ନ ଯୋଜନା ଅଧିନରେ ଜୀବିକା ଉପାର୍ଜନ କାର୍ଯ୍ୟକ୍ରମଗୁଡ଼ିକ ଉପରେ ସମୀକ୍ଷା କରାଯାଇଥିଲା। ଜିଲାର ଅର୍ଥନୈତିକ ଯୋଜନା ପ୍ରସ୍ତୁତିବେଳେ ଆବଶ୍ୟକୀୟ ଅର୍ଥନୈତିକ କାର୍ଯ୍ୟକ୍ରମ ନିମନ୍ତେ ଘରୋଇ ଉଦ୍ୟୋଗୀମାନଙ୍କ ସକାଶେ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ଉପରେ ସମସ୍ତ ଅଧିକାରୀଙ୍କୁ ଶ୍ରୀ ତ୍ରିପାଠୀ ସଚେତନ କରିଥିଲେ। ସେ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲା ପାଇଁ କାର୍ଯ୍ୟକ୍ରମ ସ୍ଥିର କଲାବେଳେ ପାରସ୍ପାରିକ ଯୋଗସୂତ୍ର ରକ୍ଷା କରି ସୁସଂଯୋଜିତ ଭାବେ କାର୍ଯ୍ୟ କରିବାକୁ ଗୁରୁତ୍ୱ ଦେଇଥିଲେ। ବର୍ତ୍ତମାନ ଯୋଗାଣଶୃଙ୍ଖଳର ନକ୍ସା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ଏବଂ ଏହା ବ୍ୟବସାୟିକ କୃଷିକୁ ପ୍ରୋତ୍ସାହିତ କରିବା ଜରୁରୀ ବୋଲି ସେ କହିଥିଲେ। ଜିଲାରେ ଅଣପାରମ୍ପରିକ ଶସ୍ୟ ଯଥା ବାଦାମ, ମୁଗ, ସୂର୍ଯ୍ୟମୁଖୀର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ପିସିକଲଚର କ୍ଷେତ୍ରରେ ଜିଲା ଦିନକୁ ଦିନ ଅଧିକ ମାତ୍ରାରେ ସଫଳତା ହାସଲ କରୁଥିବାବେଳେ ଏଥିରେ ବ୍ୟକ୍ତିଗତ ହିତାଧିକାରୀ, ଗ୍ରାମପଞ୍ଚାୟତର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଘରୋଇ ପୋଖରୀଗୁଡ଼ିକ ସାମିଲ ହୋଇପାରିଛନ୍ତି। ଆଞ୍ଚଳିକ ବିକାଶ ପାଇଁ ଦଳଗତ ମନୋଭାବ ନେଇ କାର୍ଯ୍ୟ କରିବା, କ୍ଲଷ୍ଟର ଆପ୍ରୋଚକୁ ଆପଣାଇବା, ନୂତନ ବ୍ରାଣ୍ଡିଂ ସୃଷ୍ଟି କରିବା ଏବଂ ବଜାର ସହ ସଂଯୁକ୍ତ କରିବା ଆଦି କରାଯାଇ ଏହି ଧାରାକୁ ବଞ୍ଚାଇ ରଖିବା ଉପରେ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଶ୍ରୀ ତ୍ରିପାଠୀ ରାଉରକେଲା ଗସ୍ତ ସମୟରେ ଆଜି ସେକଫର ୨୧ର ଓଏସ୍ଏପି କଲୋନୀରେ ନବନିର୍ମିତ କଲ୍ୟାଣ ମଣ୍ଡପର ଶୁଭ ଉଦ୍ଘାଟନ କରିଥିଲେ। ଏହାକୁ ପଶ୍ଚିମ ଓଡ଼ିଶା ବିକାଶ
ପରିଷଦ ପ୍ରଦତ୍ତ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ବହୁ ଦିନ ଧରି ସ୍ଥାନୀୟ ବାସିନ୍ଦାଙ୍କ ସମେତ ସ୍ଥାନୀୟ ବିଧାୟକ ଏହାର ନିର୍ମାଣ ପାଇଁ ଦାବି କରିଆସୁଥିଲେ। ଏହା ଏଣିକି ବିଭିନ୍ନ ସାମାଜିକ-ସାଂସ୍କୃତିକ କାର୍ଯ୍ୟକ୍ରମ ସକାଶେ ସ୍ଥାନୀୟ ଲୋକଙ୍କ ଚାହିଦା ପୂରଣ କରିବାରେ ପ୍ରମୁଖ ସ୍ଥଳୀ ହେବ। କଲ୍ୟାଣ ମଣ୍ଡପ ଉଦ୍ଘାଟନ ଅବସରରେ ସେଠାରେ ସମବେତ ଜନସାଧାରଣଙ୍କୁ ଉଦ୍ବୋଧନ
ଦେଇ ଏହି କାର୍ଯ୍ୟ ପାଇଁ ଲାଠିକଟା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସେ ପ୍ରଶଂସା କରିଥିଲେ।
ଏହାପରେ ସେ ବିର୍ସା ମୁଣ୍ଡା ଖେଳ ପଡ଼ିଆଠାରେ ନିର୍ମାଣାଧିନ ଫୁଟବଲ ଷ୍ଟାଡିୟମ୍, ଦୌଡ଼କଦୁ ଟ୍ରାକ୍, ସନ୍ତରଣାଗାର ଏବଂ ବହୁମୁଖୀ କ୍ରୀଡ଼ା କାର୍ଯ୍ୟକ୍ରମ ସମେତ ବହୁତଳ ଯାନପାର୍କିଂ ପ୍ରଭୃତି ପରିଦର୍ଶନ କରିଥିଲେ ଓ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପ ନିମନ୍ତେ ସର୍ବମୋଟ ୧୪୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହା ଆଗାମୀ ନଭେମ୍ବର, ୨୦୨୨ ସୁଦ୍ଧା ପୂର୍ଣ୍ଣାଙ୍ଗ ହେବ ଏବଂ ଏହି କ୍ରୀଡ଼ା ଭିତ୍ତିଭୂମି କ୍ରୀଡ଼ାବିତ୍ମାନଙ୍କୁ ତାଙ୍କର ପ୍ରତିଭା ବିକାଶ ଦିଗରେ ଯଥେଷ୍ଟ ସାହାଯ୍ୟ କରିବ ବୋଲି ଜଣାପଡ଼ିଛି।
ଶ୍ରୀ ତ୍ରିପାଠୀ ରାଉରକେଲା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଜିଲା ଖଣିଜ ପାଣ୍ଠି ଓ ଉଚ୍ଚଶିକ୍ଷା ବିଭାଗ ପ୍ରଦତ୍ତ ୯୨ ଲକ୍ଷ ଟଙ୍କା ଅନୁଦାନ ରାଶିରେ ନିର୍ମିତ କମ୍ପୁ୍ୟଟର ବିଜ୍ଞାନର ସ୍ନାତକୋତ୍ତର ବିଭାଗର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗରେ ଓ ସରକାରଙ୍କ ଦ୍ୱାରା ଦିଆଯାଉଥିବା ତାଲିମଗୁଡ଼ିକରୁ ନିଜର ଦକ୍ଷତା ବୃଦ୍ଧି କରି ସମାଜରେ ପ୍ରତିଷ୍ଠିତ ହେବାକୁ ସେ ପ୍ରବର୍ତ୍ତାଇଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ଶ୍ରୀ ଶାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁନ୍ତି ପ୍ରଧାନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଡ. ଅଜିତ ମିଶ୍ର, ସୁନ୍ଦରଗଡ଼ ଜିଲାପାଳ ଡ. ପରାଗ ହର୍ଷଦ ଗୱାଲି, ରାଉରକେଲାର ଅତିରିକ୍ତ ଜିଲାପାଳ ଡ. ଶୁଭଙ୍କର ମହାପାତ୍ର, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭୈରବ ସିଂ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.