ରେଢ଼ାଖୋଲ ସହର: ପଲିଥିନମୁକ୍ତ ଷୋଷଣାର ୭ ବର୍ଷ ପରେ ବି ଫଳ ଶୂନ

ରେଢ଼ାଖୋଲ: ପରିବେଶ ପ୍ରଦୂଷଣ ଆଜି ଦିନରେ ମଣିଷ ସମାଜ ପାଇଁ ଏକ ମୁଖ୍ୟ ସମସ୍ୟା ହୋଇ ଦେଖାଯାଇଛି। ସଂପ୍ରତି ପରିବେଶ ସମସ୍ୟା ଦିନକୁ ଦିନ ଏତେ ମାତ୍ରାରେ ବଢି ଚାଲିଛି ଯେ ମଣିଷ ଅଣନିଶ୍ୱାସୀ ହେବାକୁ ବସିଲାଣି। ପରିବେଶରେ କିପରି ଏକ ସନ୍ତୁଳନ ରକ୍ଷା କରାଯାଇ ସମସ୍ତେ ସୁସ୍ଥରେ ରହିବେ ତାହା ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ତଥାପି ନିଜର ସୁଖସୁବିଧା ପାଇଁ ମଣିଷ ଦିନକୁ ଦିନ ପ୍ରକୃତି ପ୍ରତି ଅନ୍ୟାୟ କରିଚାଲିଛି। ଫଳରେ ଆଜିକାଲି ଆମେ ପ୍ରତିଦିନ ନୂଆ ନୂଆ ସମସ୍ୟା ସହିତ ସଂଘର୍ଷ କରୁଛୁ। ବିଶେଷକରି ପରିବେଶକୁ କିପରି ପ୍ରଦୂଷଣମୁକ୍ତ କରାଯିବ ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ନୀତି ନିୟମ ପ୍ରଣୟନ କରିବା ସହିତ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରି ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଛନ୍ତି। ହେଲେ ସରକାରଙ୍କ ଏହି ନୀତି ନିୟମକୁ ବାସ୍ତବରେ କାର୍ଯ୍ୟକାରୀ କରିବା ଦିଗରେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଏହି ସମସ୍ୟା କମିବା ବଦଳରେ ଦିନକୁ ବଢି ଚାଲିଛି। ଏଭଳି ଏକ ଜ୍ୱଳନ୍ତ ନମୁନା ରେଢ଼ାଖାଲ ବିଜ୍ଞାପିତ ପରିଷଦ ଅଂଚଳରେ ଦେଖିବାକୁ ମିଳିଛି। ରେଢ଼ାଖୋଲ ସହରକୁ ପଲିଥିନମୁକ୍ତ ଘୋଷଣା କରିବାର ୭ ବର୍ଷ ପରେ ମଧ୍ୟ ଏହି ସହର କେତେ ପଲିଥିନମୁକ୍ତ ହୋଇପାରିନାହିଁ।

prayash

ପ୍ରକାଶ ଥାଉ କି ଓଡିଶାରେ ରେଢ଼ାଖୋଲ ସହରକୁ ପ୍ରଥମ ପଲିଥିନ ମୁକ୍ତ ସହର ଭାବେ ପରିଣତ କରିବା ପାଇଁ ୨୦୧୪ ମସିହା ଡିସେମ୍ବର ୧୬ ତାରିଖରେ ବିଜ୍ଞାପିତ ଅଂଚଳ ପରିଷଦ ଆନୁକୁଲ୍ୟରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା। ସେହି ସମୟରେ ସମ୍ବଲପୁର ସହରରେ ଜଂଡିସ ମହାମାରୀ ରୂପ ନେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଏନଏସିର ସମ୍ମିଳନୀ କକ୍ଷରେ ରେଢ଼ାଖୋଲ ତତ୍କାଳୀନ ଉପଜିଲ୍ଲାପାଳଙ୍କ ସଭାପତିତ୍ୱରେ ଏହି ସଭାରେ ତତ୍କାଳୀନ ଏନଏସି ନିର୍ବାହୀ ଅଧିକାରୀ ସୂଚନା ପ୍ରଦାନ କରିଥିଲେ ଯେ ରେଢ଼ାଖୋଲ ସହରର ଜନସଂଖ୍ୟା ପ୍ରାୟ ୧୫ ହଜାର। ଏହା ବ୍ୟତୀତ ରେଢ଼ାଖୋଲ ସହର ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ପ୍ରତିଦିନ ପ୍ରାୟ ୧୦ ହଜାରୁ ଅଧିକ ଲୋକ ଯାତାୟତ କରୁଛନ୍ତି । ହୋଟେଲ, ଢାବା, ଦୋକାନ ମାନେ ପଲିଥିନ ବ୍ୟବହାର ନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥିରୂୂପେ ତତ୍କାଳିନ ଡିଏଫଓ ଯୋଗଦେଇ ଆଗାମୀ ଏକ ମାସ ମଧ୍ୟରେ ରେଢ଼ାଖୋଲକୁ ସଂପୂର୍ଣ୍ଣ ପଲିଥିନ ମୁକ୍ତ କରିବା ପାଇଁ କହିଥିିଲେ ଏବଂ ଜନସାଧାରଣ ୪୦ ମାଇକ୍ରନ୍ରୁ କମ୍ ଥିବା ପିଲିଥିନ୍ ବ୍ୟବହାର ନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।
କିନ୍ତୁ ସବୁ ସରକାରୀ ଯୋଜନା ପରି ଏହା ମଧ୍ୟ କେବଳ ଘୋଷଣାରେ ସୀମିତ ରହିଯାଇଛି। ୭ ବର୍ଷରୁ ଅଧିକ ସମୟ ଇତି ମଧ୍ୟରେ ବିତି ଯାଇଥିଲେ ବି ସରକାରୀ ବାବୁମାନେ ଏ ଦିଗରେ କେତେ ସଚେତନ ହୋଇ ପଦକ୍ଷେପ ନେଇଛନ୍ତି ତାହା ନ କହିବା ଭଲ। ରେଢ଼ାଖୋଲ ସହରରେ ପଲିଥିନ୍ ଓ ଅନ୍ୟାନ୍ୟ ଆବର୍ଜନା କମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ପରିତାପର କଥା ଉଭୟ ସରକାରୀ ପଦାଧିକାରୀ ଓ ଲୋକ ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସୁନ୍ଦର ସୁନ୍ଦର ଭାଷଣ ଦେଇ ରେଢ଼ାଖୋଲକୁ ଏକ ସରସ, ସୁନ୍ଦର ଓ ପ୍ରଦୂଷଣମୁକ୍ତ ସହର କରି ଗଢ଼ି ତୋଳିବାର ରଂଗୀନ ସ୍ୱପ୍ନ ଦେଖାଇଥିଲେ ମଧ୍ୟ ତାହାର ଓଲଟା କାର୍ଯ୍ୟକ୍ଷେତ୍ରରେ ଦେଖିବାକୁ ମିଳୁଛି। ଅପରପକ୍ଷରେ ବିଭିନ୍ନ ଦୋକାନୀମାନେ ଏହି ନିୟମକୁ ଉଲଘଂନ କରି ଖୁଲମ୍ଖୁଲା ପଲିଥିନ୍ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ପ୍ରଶାସନ ତରଫରୁ ଏ ଦିଗରେ ତତ୍ପରତା ପ୍ରକାଶ କରାଯାଇ କାହିଁକି ବିଭିନ୍ନ ଦୋକାନ, ଢ଼ାବା ଉପରେ ଚଢଉ କରାଯାଉ ନାହିଁ ତାହାର ରହସ୍ୟ ଜନସାଧାରଣ ଜାଣି ପାରୁ ନାହାନ୍ତି। କେତେକ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିବାକୁ ଆରମ୍ଭ କରି ଏହା ଭିତିରି ସଲାସୁତରା ବୋଲି କହିବାକୁ ପଛାଉ ନାହାନ୍ତି। ତେଣୁ ତୁରନ୍ତ ଏ ଦିଗରେ ଉଭୟ ଏନଏସି କର୍ତୃପକ୍ଷ ଓ ଉପଖଣ୍ଡ ପ୍ରଶାସନ ଦୃଢ଼ ପଦକ୍ଷେପ ନେଇ ଦୋଷୀଙ୍କ ବିରୋଧରେ ଆଇନ୍ ଅନୁସାରେ ଦଣ୍ଡବିଧାନ କରିବାକୁ ସାଧାରଣରେ ଦାବି ହେଉଛି।

kalyan agarbati

Comments are closed.