Patra electronics

ଖଣିଖନନ ବିରୋଧୀଙ୍କୁ ଗିରଫ ପ୍ରତିବାଦରେ କାଶୀପୁର ଥାନା ଘେରାଉ: ଉତ୍ତ୍ୟକ୍ତଙ୍କ ଥାନାରେ ଭଙ୍ଗାରୁଜା, ପୋଡ଼ାଜଳା

ରାୟଗଡା : ଖଣିଖନନ ବିରୋଧୀଙ୍କୁ ଗିରଫ ପ୍ରତିବାଦରେ ଶୁକ୍ରବାର କାଶୀପୁର ଥାନା ଘେରାଉ କରିଛନ୍ତି ଶତାଧିକ ପୁରୁଷ ଓ ମହିଳା । ଏଥିସହ ଉତ୍ତ୍ୟକ୍ତ ଲୋକେ ଥାନାକୁ ଧସେଇ ପଶି ଚେୟାର, କବାଟ, ଝରକା ଆଦି ଭଙ୍ଗାରୁଜା କରିବା ସହ ଥାନା ପରିସରରେ ନିଆଁ ଲଗାଇ ଦେଇଛନ୍ତି। କାଶୀପୁର ବ୍ଲକର ସୁଙ୍ଗେର ପଞ୍ଚାୟତର ବନ୍ତେଜ ଗ୍ରାମର କାର୍ତ୍ତିକ ନାୟକ ନାମକ ବ୍ୟକ୍ତିଙ୍କୁ କାଶୀପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାକୁ ନେଇ ତୁମୁଳକାଣ୍ଡ ଘଟାଇଛନ୍ତି ଉତ୍ତ୍ୟକ୍ତ ଲୋକେ । କାଶୀପୁରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

କାଶୀପୁର ବ୍ଲକର ସୁଙ୍ଗେର ଅଞ୍ଚଳରେ ସିଜିମିଳି ଖଣି ଖନନକୁ ବିରୋଧ କରି ଆସୁଛନ୍ତି ମାଆ ମାଟି ସୁରକ୍ଷା ମଞ୍ଚ କର୍ମକର୍ତ୍ତା । ଏହାକୁ ବିରୋଧ କରି ଜେଲ ଯାଇଥିଲେ କାର୍ତ୍ତିକ ନାୟକ । ମୈତ୍ରୀ କମ୍ପାନୀ ବିରୋଧୀକୁ ଗିରଫ ପ୍ରତିବାଦରେ ରାୟଗଡ଼ା ଜିଲା କାଶୀପୁର ଥାନା ଉପରେ ସିଜିମାଳି ଖଣି ଅଞ୍ଚଳର ଗ୍ରାମବାସୀ ସଂଘବଦ୍ଧ ହୋଇ ଥାନାରେ ଧସେଇ ପଶିବା ସହ ଭଙ୍ଗାରୁଜା କରିଛନ୍ତି ।

ଶତାଧିକ ପୁରୁଷ ଓ ମହିଳା ୨୦ କିମି ରାସ୍ତା ଚାଲି ଚାଲି ଆସି ଥାନା ଘେରାଉ କରିଛନ୍ତି । ଆନ୍ଦୋଳନକାରୀମାନେ ଟାଙ୍ଗିଆ, ଠେଙ୍ଗା ଓ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଥାନାରେ ପ୍ରବେଶ କରିଥିଲେ । ପରେ ଥାନାର ଆସବାବପତ୍ର ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ସନ୍ଧ୍ୟାରେ କାଶୀପୁର ବ୍ଲକର ବନ୍ତେଜ, ସରମ୍ବାଇ, କଣ୍ଟାମାଳ, ବଣ୍ଡେଲ ଏବଂ କଳାହାଣ୍ଡି ଜିଲାର କେରପାଇ ପଞ୍ଚାୟତର ଶହ ଶହ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ପରେ ମିଳିତଭାବେ ଆସି କାଶୀପୁର ଥାନା ଘେରାଉ କରିଥିଲେ।

ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ପୁଲିସ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କେହି ଶୁଣି ନଥିଲେ । ପରେ ଉତ୍ତ୍ୟକ୍ତ ଲୋକେ ଥାନା ପରିସରରେ ଧାରଣାରେ ବସିଛନ୍ତି । ଗିରଫ ହୋଇଥିବା କାର୍ତ୍ତିକଙ୍କୁ ତୁରନ୍ତ ଖଲାସ କରା ନ‌ଗଲେ ସେମାନେ ଧାରଣାରୁ ହଟିବେ ନାହିଁ ବୋଲି କହିଛନ୍ତି । ପରସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାୟଗଡା ଏସ୍‌ପି ହରିଶ ବି.ସି, ଏସଡିପିଓ ରଶ୍ମିରଞ୍ଜନ ସେନାପତି ପ୍ରମୁଖ ପରିସ୍ଥିତି ପ୍ରତି ଦୃଷ୍ଟି ରଖିଛନ୍ତି।

Comments are closed.